ରାଜ୍ୟ

କଚ୍ଛପ ଗତିରେ ସ୍ବେରେଜ ପ୍ରକଳ୍ପ

ରାଉରକେଲା: ଆଗଉନି ସହରର ସ୍ବେରେଜ ପ୍ରକଳ୍ପ। କୁହାଗଲା ହକି ବିଶ୍ବକପ୍‌ ପୂର୍ବରୁ ସରିବ। ହକି ବିଶ୍ବକପ୍‌ ସରିଲା, କିନ୍ତୁ ପ୍ରକଳ୍ପ ଅଧପନ୍ତରିଆ ଭାବେ ଚାଲିଛି। ୨୦୧୭ର ପ୍ରକଳ୍ପ ୨୦୨୦ରେ ସରିବାର ଥିଲା। ତା’ ମଧ୍ୟ ହେଲାନି। ଦୁଇ ବର୍ଷ ଅଧିକ ବିତିଗଲାଣି, ପ୍ରକଳ୍ପ ସେମିତି କଚ୍ଛପ ଗତିରେ ଚାଲିଛି। କେବଳ ଏତିକି ନୁହେଁ ଜାଗା ବିବାଦରୁ ପୂର୍ବ ରାଉରକେଲା ଯଥା କୋଏଲନଗର ଓ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୨୦ରୁ ୨୫% କାମକୁ ବାଦ୍‌ ଦିଆଯାଇଛି। ସହରର ବାସନ୍ତୀ କଲୋନି, ଛେଣ୍ଡ, କଳିଙ୍ଗ ବିହାର, ସିଭିଲଟାଉନସିପ୍‌, ପାନପୋଷ, ଡେଲିମାର୍କେଟ ଓ ଏହାର ଆଖପାଖର ୧୨ ହଜାର ଘରକୁ ସ୍ବେରେଜ ପାଇପ୍‌ ସଂଯୋଗ କରିବାକୁ ଟାର୍ଗେଟ ରହିଥିଲା। ଆଶ୍ଚର୍ଯ୍ୟ ଏଯାଏଁ ମାତ୍ର ୧୩୪୦ ଘରକୁ ପାଇପ୍‌ ସଂଯୋଗ କରାଯାଇଛି।

କଲୋନିବାସୀ ଘରକୁ ସ୍ବେରେଜ ପାଇପ୍‌ ସଂଯୋଗ କରିବାକୁ ରାଜି ନ ହେବାରୁ ବିଭାଗ ପକ୍ଷରୁ ଥରେ ନୁହେଁ ଅନେକ ବାର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମାତ୍ର ୩,୧୦୦ ଗୃହକର୍ତ୍ତା ସ୍ବେରେଜ ପାଇପ ଘରକୁ ସଂ‌ଯୋଗ କରିବାକୁ ଆବେଦନ କରିଛନ୍ତି। ଅବଶିଷ୍ଟ ଲୋକ କରିବେ ନାହିଁ, କାହାକୁ ଜଣା ନାହିଁ। ଯଦି ସିଭିଲଟାଉସିପ୍‌, ଛେଣ୍ଡରେ ପ୍ରାୟ ୧୩୪୦ ଘରକୁ ପାଇପ୍‌ ସଂଯୋଗ ପାଇଁ ଦୁଇ ବର୍ଷ ଲାଗିଲା। ତେବେ ଅବଶିଷ୍ଟ ୧୦,୬୬୦ ଘରକୁ ସ୍ବେରେଜ ପାଇପ୍‌ ସଂଯୋଗ ପାଇଁ କେତେ ସମୟ ଲାଗିବ,ଏଥିରୁ ଅନୁମାନ କରାଯାଇପାରେ। ପୂର୍ବ ରାଉରକେଲା ବାଦ୍‌ ପଡିବା ପରେ ପ୍ରକଳ୍ପ ଅଟକଳ ୩୪୦ରୁ ୨୨୮ କୋଟିକୁ ହ୍ରାସ ପାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ ଅବା ଠିକା ସଂସ୍ଥାର ଖାମଖିଆଲି ମନୋଭାବ ‌ଯୋଗୁ ସହରରେ ଚାଲିଥିବା ସ୍ବରେଜ ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ ତ ? ଏମିତି ପ୍ରଶ୍ନ ସାଧାରଣରେ ଉଠିବା ସ୍ବାଭାବିକ।

ଉଲ୍ଲେଖଯୋଗ୍ୟ, ସ୍ମାର୍ଟସିଟିର ପରିମଳ ବ୍ୟମସ୍ଥାରେ ସୁଧାର ଆଣିବାକୁ ୨୦୧୭ ଜାନୁଆରି ୯ରେ ସ୍ବରେଜ କାମ ଆରମ୍ଭ ହୋଇଥିଲା। ତିନି ବର୍ଷ, ଅର୍ଥାତ୍ ୨୦୨୦ ଜାନୁଆରି ୮ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଠିକାସଂସ୍ଥା କାମ ନ ସାରିବାରୁ ୬ ମାସ, ଅର୍ଥାତ୍ ୨୦୨୦ ଜୁନ୍ ଡେଡ୍ ଲାଇନ ଦିଆଯାଇଥିଲା। ତଥାପି ଠିକା ସଂସ୍ଥା କାମ ସାରି ପାରି ନଥିଲା। ତା’ ପରେ ପୁଣି ଆହୁରି ୬ ମାସ, ଅର୍ଥାତ୍ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ଦୁଇ ଦୁଇଥର ସମୟ ଘୁଞ୍ଚାଯାଇଥିଲେ ହେଁ ଅଦ୍ୟାବଧି କାମ ସରୁ୩ନି।

ବାକି ଥିବା କାମ ଭିତରେ ରହିଛି ସେକ୍ଟର-୨୧ ନୟାବଜାର ଅଞ୍ଚଳର ଆର୍‌ଏମ୍‌ସି ଏରିଆରେ କିଛି କାମ ବାକି ରହିଛି। ଝିରପାଣି, କୋଏଲନଗର, ଜଗଦା ଆର୍‌ଏସ୍‌ପି ଜାଗା ହୋଇଥିବାରୁ ଏଠାରେ ମଧ୍ୟ ସମାନସ୍ଥିତି ଉପୁଜିଛି। କେବଳ ସିଭିଲଟାଉନ୍‌ସିପ୍‌, ଛେଣ୍ଡ କଲୋନିରେ ମାତ୍ର ୧୩୪୦ ଘରକୁ ବିଭାଗ ସଂଯୋଗ କରିବାରେ ସକ୍ଷମ ହୋଇପାରିଛି। କଳିଙ୍ଗ ବିହାର ହାଉସିଂ କଲୋନି, ଡେଲିମାର୍କେଟ, ଉଦିତନଗର, ପାନପୋଷ ଆଦି ସ୍ଥାନରେ ଜଣେ ହେଲେ ଘରକୁ ପାଇପ୍ ସଂଯୋଗ ହୋଇ ପାରିନି। ଉଲ୍ଲେଖନୀୟ ଯେ ବର୍ଜ୍ୟଜଳ ପରିଚାଳନା ପାଇଁ ଆରଏମ୍‌ସିର ପ୍ରଧାନପାଲୀ, ମ୍ୟୁନିସିପାଲ କଲେଜ, ଶିଳ୍ପାଞ୍ଚଳ, ସିଭିଲଟାଉସିପ୍‌ ପମ୍ପହାଉସ୍‌ ସ୍ଥାପନ କରାଯାଇଛି। ବାଲୁଘାଟରେ ୪୦ ଏମ୍‌ଏଲ୍‌ଡ଼ିର ଏସ୍‌ଟିପି ରହିଛି। ସବୁକାମ ସରିଥିବା ସତ୍ବେ ଆଜି ଯାଏଁ ଯେତିକି ଘରକୁ ସ୍ବେରେଜ ପାଇପ୍‌ ସଂଯୋଗ ହେବା କଥା, ତା’ ହୋଇ ପାରି ନଥିବାରୁ ପ୍ରକଳ୍ପର ଭାଗ୍ୟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *