ମହାନଗର

ତ୍ରୁଟିପୂର୍ଣ୍ଣ ପରିମଳ ଟେଣ୍ଡର ପାଇଁ ଖର୍ଚ୍ଚାନ୍ତ ବିଏମ୍‌ସି

ଭୁବନେଶ୍ୱର: ପୂର୍ବରୁ ୩ଟି ସଂସ୍ଥା ସହରକୁ ସଫା କରୁଥିଲେ। ଓଜନ ହିସାବରେ ଆବର୍ଜନା ବୋହୁଥିଲେ। ଏଣୁ ଯେଉଁଠୁ ଯାହା ପାରୁଥିଲେ ବୋହି ନେଉଥିଲେ। କେଉଁ ଆବର୍ଜନା ନେବେ, କେଉଁ ଆବର୍ଜନା ନେବେନି, ସେ ନେଇ କୌଣସି କଟକଣା ନଥିଲା। ହେଲେ ଏହି ବ୍ୟବସ୍ଥା ସରକାରୀ ବଡ଼ବାବୁମାନଙ୍କର ପସନ୍ଦ ହେଲାନି। ସଫେଇକୁ ନେଇ ୬୭ ୱାର୍ଡକୁ ୧୦ ଭାଗ କରି ୧୦ଟି ପ୍ୟାକେଜ୍ ବିଶିଷ୍ଟ ଟେଣ୍ଡର ଡାକିଲେ। ବିଏମ୍‌ସିର ବାବୁମାନଙ୍କ ଉପରେ ଗୃହ ନିମାଣ ଓ ନଗର ଉନ୍ନୟନ ବିଭାଗ ବଡ଼ବଡ଼ିଆଙ୍କ ଭରସା ପାଇଲାନି। ଏଣୁ ଏହି ଟେଣ୍ଡର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍‌ସିରେ ଜଣେ ମୁଖ୍ୟଯନ୍ତ୍ରୀଙ୍କୁ ନିଯୁକ୍ତି ଦେଲା। ୧୦ ପ୍ୟାକେଜ୍‌ରେ ୧୦ ସଂସ୍ଥାଙ୍କୁ ସହରର ପରିମଳ ଦାୟିତ୍ବ ଦେଇ ଦିଆଗଲା। କିନ୍ତୁ ଏଥିରେ ଯାବତୀୟ ଦୋଷ ରହିବାରୁ ସହରରୁ ଆବର୍ଜନା ଉଠିଲା ନାହିଁ। ବରଂ ବିଏମ୍‌ସି ଠିକା ସଂସ୍ଥାଙ୍କୁ ଶହେ କୋଟି ଦେଇ ଦେବା ପରେ ମଧ୍ୟ ସହର ସଫା ହେଲା ନାହିଁ। ବିଏମ୍‌ସି ପୁଣି ଅତିରିକ୍ତ ଖର୍ଚ୍ଚ କଲା। ପୂର୍ବରୁ ୫୦ରୁ ଊର୍ଦ୍ଧ୍ବ ଗାଡ଼ି ଲଗାଇ ସହରର ବିଭିନ୍ନ ସ୍ଥାନରୁ ଆବର୍ଜନା ଉଠାଇଥିବା ବେଳେ ଏବେ ସବୁଜ ବର୍ଜ୍ୟ ଏବଂ ନିର୍ମାଣ ଓ ଭଗ୍ନାବଶେଷ ଉଠାଇବା ପାଇଁ ବିଏମ୍‌ସି ୮ଟି ଗାଡ଼ି କିଣିବାକୁ ୨.୫କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିପାଇଁ ତେଲ, ଡ୍ରାଇଭର ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କରିବ। ତ୍ରୁଟିପୂର୍ଣ୍ଣ ଟେଣ୍ଡରକୁ ବାତିଲ କରିବା ପାଇଁ କର୍ପୋରେଟରମାନେ ଦାବି କରିବା ପରେ ବିଏମ୍‌ସି ସରକାରଙ୍କୁ ପ୍ରସ୍ତାବ ଦେଇଛି। ଏଣେ କିନ୍ତୁ ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। ପୂର୍ବରୁ ଓଜନ ହିସାବରେ ପଇସା ଦିଆଯାଉଥିବା ବେଳେ ନୂଆରେ ‘ଲମ୍ପସମ୍‌’ ହିସାବରେ ଦିଆଯାଉଛି। ଚୁକ୍ତି ଅନୁସାରେ ସେମାନେ କେବଳ ନିର୍ଦ୍ଦିଷ୍ଟ ଆବର୍ଜନା ଉଠାଉଛନ୍ତି।ସେହିଭଳି ପୂର୍ବରୁ ଗୋଟିଏ ୱାର୍ଡରେ ଗୋଟିଏ ଗାଡ଼ି ଲାଗୁଥିବା ବେଳେ ନୂଆ ପ୍ୟାକେଜ୍‌ରେ ଗୋଟିଏ ଜୋନ୍‌ ବା ୬ଟି ୱାର୍ଡ ପାଇଁ ଗୋଟିଏ ଗାଡ଼ି ଲାଗିବାକୁ ଚୁକ୍ତି ହୋଇଥିଲା। ଏହାକୁ କର୍ପୋରେଟରମାନେ ମଧ୍ୟ ଘୋର ବିରୋଧ କରିଥିଲେ। ଏହି ଟେଣ୍ଡର ହେବା ପୂର୍ବରୁ ଏକ ପ୍ରି ବିଡ୍‌ ବୈଠକ ବସିଥିଲା। ଏଥିରେ ସଂସ୍ଥାମାନଙ୍କୁ କୁହାଯାଇଥିଲା କି ପ୍ରତ୍ୟେକ ୱାର୍ଡରେ ନିଜେ ନିଜେ ସର୍ଭେକରି ଅଟକଳ ତିଆରି କର। ସଂସ୍ଥାମ‌ାନେ ସର୍ଭେ ନ କରି ବିଏମ୍‌ସି ଅଟକଳ ଅନୁସାରେ ରାଜି ହୋଇଯାଇଥିଲେ। ବରଂ ବିଏମ୍‌ସିର ଅଟକଳ ମୂଲ୍ୟ ଠାରୁ ୯ ପ୍ରତିଶତ କମ୍‌ କରି ଟେଣ୍ଡର ନେଇ ଯାଇଥିଲେ। କିନ୍ତୁ ଏହା ବାସ୍ତବରେ ସମ୍ଭବ ହୋଇନଥିଲା। ନୂଆ ପରିମଳ ଟେଣ୍ଡରରେ ଥିବା ଚୁକ୍ତି ଅନୁସାରେ ସଂସ୍ଥାମାନେ ଗଛଡାଳ ବା ‘ଗ୍ରିନ୍ ଗାର୍ବେଜ୍’ ଉଠାଇଲେ ନାହିଁ। ଯିଏ ଯେଉଁଠି କାଟି ଫିଙ୍ଗିଦେଲା, ତାହା ପଡ଼ି ରହିଲା। କଞ୍ଜରଭାନ୍ସି ଲେନ୍‌ରୁ ବାହାରୁ ଥିବା ଆବର୍ଜନା ମଧ୍ୟ ରାସ୍ତାକଡ଼ରେ ଜମା ହୋଇ ରହିଲା। ଘର ଭଙ୍ଗା ହେବା ବେଳେ ବାହାରୁଥିବା ନିର୍ମାଣ ଭଗ୍ନାବଶେଷ ମଧ୍ୟ ଏହି ସଂସ୍ଥାମାନେ ଉଠାଇଲେ ନାହିଁ। କାରଣ ଏହା ଚୁକ୍ତିରେ ନଥିଲା। ଏହି ସବୁ ସମସ୍ୟାକୁ ନେଇ ମେୟର, ଅଫିସର ମୁହାଁମୁହିଁ ହେଲେ। କର୍ପୋରେସନ ‌ବୈଠକରେ ଘୋରା ବିରୋଧ ହେବାରୁ ଏହାକୁ ବାତିଲ କରିବାକୁ ସରକାରଙ୍କୁ ପାଖକୁ ପ୍ରସ୍ତାବ ଗଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଯିଏ ଏହି ତ୍ରୁଟିପୂର୍ଣ୍ଣ ଟେଣ୍ଡରର ମୁଖ୍ୟ କାର୍ପଟଦାର ଥିଲା, ସେହି ବିଭାଗ ପାଖରେ ହିଁ ବାତିଲ୍ ପ୍ରସ୍ତାବ ପଡ଼ିରହିଛି। ଘଟଣାକୁ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଏହା ବିଭାଗରେ ପଡ଼ିରହିଛି। ଏଣେ ବିଏମ୍‌ସିର ଖର୍ଚ୍ଚ ବଢ଼ି ବଢ଼ି ଚାଲିଛି। ଟେଣ୍ଡରରେ ଥିବା ଚୁକ୍ତି ଅନୁସାରେ ସେମାନେ କାମ କରୁଛନ୍ତି। ଫଳରେ ବିଏମ୍‌ସି ଏଭଳି ଅତିରିକ୍ତ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛି

Leave a Reply

Your email address will not be published. Required fields are marked *