ରାଜ୍ୟ

ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପରୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପାଇଁ ଆସନ୍ତା ମାର୍ଚ୍ଚ ୨ ତାରିଖ ଠାରୁ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ତିନିଦିନ ହେବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨, ୪ ଓ ୬ ତାରିଖରେ ପରୀକ୍ଷା ଦେବେ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୧୦ଟାରୁ ଓ ଦ୍ଵିତୀୟ ସିଟିଂ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ରହିଛି। ଭିନ୍ନକ୍ଷମମାନଙ୍କୁ ଅଧିକ ୪୦ ମିନିଟ୍ ଦିଆଯିବ। ମାର୍ଚ୍ଚ ୨ ଓ ୪ ତାରିଖରେ ଦୁଇଟି ଲେଖାଏଁ ସିଟିଂରେ ପରୀକ୍ଷା ହେବାକୁ ଥିବା ବେଳେ ୬ ତାରିଖ ଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ। ଏଥିପାଇଁ ଭୁବନେଶ୍ବର ଜୋନ୍‌ରୁ ସମୁଦାୟ ୨୬୮୯ଜଣ ପରୀକ୍ଷାର୍ଥୀ ଥିବା ବେଳେ ବାଲେଶ୍ବର ଜୋନ୍‌ର ୬୫୨ ଓ ସମ୍ବଲପୁର ଜୋନ୍‌ରେ ୬୯୮ଜଣ ପରୀକ୍ଷାର୍ଥୀ ଅଛନ୍ତି। ବ୍ରହ୍ମପୁର ଓ ଜୟପୁର ଜୋନ୍‌ରେ ମଧ୍ୟ ପରୀକ୍ଷାର୍ଥୀମନେ ରହିଛନ୍ତି।

ଭୁବନେଶ୍ବର ଜୋନ୍ ପାଇଁ ବକ୍ସି ଜଗବନ୍ଧୁ (ବିଜେବି) ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ବର ପାଇଁ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଓ ସମ୍ବଲପୁର ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚୟନ କରାଯାଇଛି।

ସୂଚନାଯୋଗ୍ୟ, ଚଳିତ ଶିକ୍ଷାବର୍ଷରୁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ପ୍ରୋତ୍ସାହିତ କରିବା ପାଇଁ ଏହି ଫେଲୋସିପ ଦିଆଯାଉଛି। ରାଜ୍ୟର ୩୦୦ ସ୍ନାତ୍ତକୋତର ଛାତ୍ରଛାତ୍ରୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଏହି ଛାତ୍ରବୃତ୍ତି ଦିଆଯିବ। ଏହାସହ ବିଜ୍ଞାନରେ ସ୍ନାତକୋତ୍ତର କରୁଥିବା ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଓ ସାମାଜିକ ବିଜ୍ଞାନରେ ସ୍ନାତକୋତ୍ତର ପାଇଁ ବାର୍ଷିକ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *