ମୁଖ୍ୟ ଖବର

ବାଲୋଚିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ: ୯ ପୁଲିସ ନିହତ

ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ପାକିସ୍ତାନରେ ଜଣେ ବାଇକ୍‌ଆରୋହୀ ଆତ୍ମଘାତୀ ବୋମା ବ‌ିସ୍ଫୋରଣକାରୀ ଗୋଟାଏ ପୁଲିସ ଟ୍ରକ୍‌କୁ ପଛପଟୁ ଧକ୍କା ଦେବାରୁ ଅନ୍ୟୂନ ୯ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୧୧ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି।

ଜଣେ ପୁଲିସ କର୍ମଚାରୀଙ୍କ କଥାରୁ ଉଦ୍ଧୃତ କରି ‘ରଏଟର୍ସ’ ରିପୋର୍ଟ କରିଛି ଯେ, ବ‌ାଲୋଚିସ୍ତାନ ପ୍ରଦେଶର ରାଜଧାନୀ କ୍ବେଟ୍ଟାର ପୂର୍ବକୁ ପ୍ରାୟ ୧୬୦ କିଲୋମିଟର୍‌ ଦୂରବର୍ତ୍ତୀ ସିବ୍‌ବି ନଗରୀ ଓ କଚ୍ଛି ସୀମାନ୍ତବର୍ତ୍ତୀ ବୋଲାନ୍‌ ଅଞ୍ଚଳରେ ଥିବା କାମ୍ବ୍ରି ସେତୁ ଉପରେ ଏହି ଅଘଟଣ ଘଟିଛି। ଏହି ଟ୍ରକ୍‌ରେ ବାଲୋଚିସ୍ତାନ୍‌ କନ୍‌ଷ୍ଟାବୁଲେରିର ସଦସ୍ୟମାନେ ଡିୟୁଟିରୁ ଫେରୁଥିଲେ। ବିସ୍ଫୋରଣ ଯୋଗୁଁ ଟ୍ରକ୍‌ଟି ଓଲଟି ପଡ଼ିଛି।

‘ଡନ୍‌’ ରିପୋର୍ଟ ଅନୁସାରେ, କଚ୍ଛିର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମହମ୍ମଦ୍‌ ନୋଟେଜାଇ କହିଛନ୍ତି, ଆହତ ବ୍ୟକ୍ତିମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ନିରାପତ୍ତା ରକ୍ଷୀ ପହଞ୍ଚିଛନ୍ତି।

ଏହି ଆକ୍ରମଣ ପାଇଁ ଏଯାବତ୍‌ କୌଣସି ସଙ୍ଗଠନ ଦାୟୀ ବୋଲି ଦାବି କରି ନାହାନ୍ତି।

ସୂଚନାଯୋଗ୍ୟ, ସରକାରର ଦଶନ୍ଧି ଦଶନ୍ଧି ଧରି ବାଲୋଚିସ୍ତାନ୍‌ର ସମୃଦ୍ଧ ଗ୍ୟାସ୍‌ ଓ ଖଣିଜ ସମ୍ବଳ ଶୋଷଣ କରୁଥିବା ଅଭିଯୋଗ କରି ଆଦିମ ବାଲୋଚ୍‌ ଗରିଲାମାନେ ସରକାରଙ୍କ ସହିତ ସଂଗ୍ରାମ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *