ରାଜନୀତି

ବିଜେପି ମଣ୍ଡଳ ସଭାପତି ଗିରଫ ମାମଲା, ହେମଗିର ଥାନା ଘେରିଲେ ବିଧାୟିକା

ସୁନ୍ଦରଗଡ଼/ହେମଗିର: ହେମଗିର ଥାନା ରତନପୁରର ପ୍ରେମ କାଲୋ (୬୫)ଙ୍କୁ ପ୍ରାଣାନ୍ତକ ଆକ୍ରମଣ ମାମଲାରେ ଗତକାଲି ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ମଣ୍ଡଳ ସଭାପତି ଘୋଘରପାଲି ଗ୍ରାମର ମାଧବ ବାରିକଙ୍କୁ ପୁଲିସ ଗିରଫ କରିଥିଲା। ଆଜି ଏହାର କଡ଼ା ପ୍ରତିବାଦ କରି ସୁନ୍ଦରଗଡ଼ ବିଧାୟକ କୁସୁମ ଟେଟେ ହେମଗିର ଥାନା ଘେରାଉ କରିଛନ୍ତି। ବିଜେଡି ଚାପରେ ପୁଲିସ ଜଣେ ନିରପରାଧ ବିଜେପି ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରିଛି, ଏହା ବ୍ରିଟିଶ ଶାସନର ନମୁନା ବୋଲି କହିଛନ୍ତି କୁସୁମ। ବିଜେଡିର ଏ ହୀନ ରାଜନୀତିକୁ କୌଣସି ସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏହାର ଉଚିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ହେମଗିର ପୂର୍ତ୍ତ ବିଭାଗ ଡାକବଙ୍ଗଳାରୁ ବିଧାୟିକାଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି ଥାନା ଘେରାଉ କରିଥିଲେ। ଏହା ପରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ପରେ ପରେ ବିଧାୟିକା କୁସୁମ ଓ ଏକ ପ୍ରତିନିଧିଦଳ ସହ ବରିଷ୍ଠ ପୁଲିସ ଅଧିକାରୀ ଆଲୋଚନା କରିଛନ୍ତି। ବିଜେପି ନେତାଙ୍କ ଗିରଫଦାରୀ ବେଆଇନ ବୋଲି କୁସୁମ ପୁଲିସ ଅଧିକାରୀଙ୍କ ସହ ଯୁକ୍ତି କରିଥିଲେ। ମାଧବଙ୍କୁ ତୁରନ୍ତ ଛାଡ଼ି ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଗିରଫ ମାଧବଙ୍କ ପୁଅ ପାଲଟା ଏତଲା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ସକାଳ ୮ଟାରେ ପ୍ରେମ କାଲୋ ଘୋଘରପାଲିସ୍ଥ ନିଜ ପୈତୃକ ଜମିରେ ଘର ତିଆରି କରିବାକୁ ଯାଇଥିଲେ। ସେଠାରୁ ରତନପୁର ଫେରିବାକୁ ବାହାରିଲା ବେଳେ ମାଧବ ବାରିକଙ୍କ ଘର ସମ୍ମୁଖରେ ମହେନ୍ଦ୍ର ବାରିକ, ହୀରାଧର ଖମାରୀ ଅଟକାଇ ସେ ଜମିରେ ଘର ତିଆରି ନକରିବାକୁ ତାଗିଦ୍‌ କରି ନିସ୍ତୁକ ପିଟିଥିଲେ। ପ୍ରେମଙ୍କ କାନରୁ ରକ୍ତସ୍ରାବ ହେବା ଓ ସେ ଅଚେତ ହୋଇପଡ଼ିଯିବା ପରେ ସେମାନେ ଛାଡ଼ି ଚାଲିଗଲେ। ଏ ସମ୍ପର୍କରେ ସୂଚନା ପାଇ ସ୍ତ୍ରୀ ଉମେଶ୍ବରୀ କିଛି ଲୋକଙ୍କ ସହ ଯାଇ ପ୍ରେମଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଉମେଶ୍ବରୀ ଏତଲାରେ ଉଲ୍ଲେଖ କରିଥିଲେ ଯେ, ୨୫ ବର୍ଷ ତଳେ ମାଧବ ବାରିକ ଓ ତାଙ୍କ ପରିବାର ଲୋକେ ପ୍ରେମ କାଲୋଙ୍କ ଘୋଘରପାଲିସ୍ଥ ଘରକୁ ଭାଙ୍ଗି, ମାଡ଼ପିଟ କରି ଗାଁରୁ ତଡ଼ି ଦେଇଥିଲେ। ସେଦିନଠାରୁ ‌ସେମାନେ ରତନପୁରରେ ରହି ଆସୁଛନ୍ତି। ହେଲେ ରତନପୁର ଗାଁ ଏମସିଏଲ ଦ୍ବାରା ଅଧିଗ୍ରହଣ ହେବାକୁ ଥିବାରୁ ପ୍ରେମ ଓ ତାଙ୍କ ପରିବାର ଘୋଘରପାଲିରେ ଘର ତିଆରି କରିବାକୁ ଯୋଜନା କରିଛନ୍ତି। ଏହି ସମୟରେ ତାଙ୍କ ଉପରେ ଆକ୍ରମଣ କରି ସେ ଜମି ଛଡ଼ାଇ ନେବାକୁ ମସୁଧା ଚାଲିଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ଦେବାକୁ ଉମେଶ୍ବରୀ ପୁଲିସକୁ ଅନୁ‌ରୋଧ କରିଥିଲେ। ଅଭିଯୁକ୍ତମାନେ ଚୋରା କୋଇଲା ବେପାରରେ ଜଡ଼ିତ ଥିବା ଓ ଏହି କାରଣରୁ ଗାଁର ଅନ୍ୟ ଏକ ଗୋଷ୍ଠୀଙ୍କ ସହ ସବୁବେଳେ ଝଗଡ଼ା, ମାଡ଼ପିଟ କରୁଥିବା ଅଭିଯୋଗ ରହିଛି।

Leave a Reply

Your email address will not be published. Required fields are marked *