ମହାନଗର

କପିଳେଶ୍ବରଙ୍କୁ ଅପୂଜା ରଖିବା ମାମଲା: ମନ୍ଦିରରେ ଧସେଇ ପଶିଲେ ମହିଳା

ଭୁବନେଶ୍ବର, : ‘୧୦ ଦିନ ହେଲା ପାଲା ଲଗାଇଛି ପ୍ରଶାସନ। ଆମର ଆରାଧ୍ୟ ଦେବତା ତଥା ଜୀବନ୍ତ ଠାକୁରଙ୍କୁ ‌ଭୋକ ଉପାସରେ ମନ୍ଦିରରେ ତାଲା ପକାଇ ବନ୍ଦୀ କଲା ଭଳି ରଖିଛି ପ୍ରଶାସନ। ହାଣ୍ଡିଭଙ୍ଗା ଯାତ ବନ୍ଦ ହେଲା। ଫଗୁ ଦଶମୀରେ ପ୍ରଭୁଙ୍କଠାରେ ଅବିର ଲାଗି ହୋଇପାରିଲାନି। ଶେଷରେ ଦୋଳ ଯାତ୍ରା ବି ବନ୍ଦ କରିବେ! ଏହାକୁ ବରଦାସ୍ତ କରିହେବ ନାହିଁ। ଦୋଳଯାତ୍ରା ହେବ ହିଁ ହେବ। ପାଞ୍ଚ ଖଣ୍ଡ ମୌଜାର ହଜାର ହଜାର ଲୋକ ଭୋଗ ଧରି ଅପେକ୍ଷା କରିଛନ୍ତି। ପ୍ରଭୁ କପିଳେଶ୍ବର ଚାଚେରି ଭୋଗ ଖାଇବେ। ଦେଖିବା, ପ୍ରଶାସନ ଆମର କ’ଣ କରିବ! ଠାକୁର ତ ବନ୍ଦୀ ହୋଇ ପଡ଼ିଛନ୍ତି, ଆମେ ବି ବନ୍ଧା ହେବୁ!’ ଏମିତି ରଣହୁଙ୍କାର ଦେଇ ଆଜି ମଲିଆ ସେବାୟତ ପରିବାରର ଶତାଧିକ ମହିଳା କପିଳେଶ୍ବର ମନ୍ଦିରକୁ ଧସେଇ ପଶିଥିଲେ।

ଗଣ୍ଡଗୋଳ ଆଶଙ୍କାରେ ପୂର୍ବରୁ ମୁତୟନ ଥିବା ପୁଲିସ ହଠାତ୍ ଏସବୁ ଦେଖି ଅପ୍ରସ୍ତୁତ ହୋଇପଡ଼ିଥିଲା। ଶତାଧିକ ମହିଳାଙ୍କୁ ରୋକିବାକୁ ପୁଲିସର ଜୁ’ ନଥିଲା। ତେଣୁ ମହିଳାମାନେ ମନ୍ଦିରର ତାଲା ଭାଙ୍ଗିଦେଲେ ଏବଂ ମନ୍ଦିର ଭିତରକୁ ପଶିଥିଲେ। ସାଙ୍ଗରେ ଆସିଥିବା ପୂଜକ ଠାକୁରଙ୍କ ନିତିଦିନିଆ ନୀତିକାନ୍ତି କଲେ। କଥା ସେତିକିରେ ଅଟକି ନଥିଲା। ମୁଖ୍ୟ ପ୍ରସଙ୍ଗ ଥିଲା ଦୋଳଯାତ୍ରା। ତେଣୁ ପ୍ରସ୍ତୁତି ପାଇଁ ଦୋଳବିମାନକୁ ବାହାର କରି ସାଜସଜ୍ଜା କରିବାରେ ଲାଗିଲେ ଏବଂ ଜଗି ରହି ଦୋଳଯାତ୍ରା ପ୍ରସ୍ତୁତି ତଦାରଖ କଲେ। ହାଣ୍ଡିଭଙ୍ଗା ଯାତଠାରୁ ‌୧୦ ଦିନ ଯାଏ ମନ୍ଦିରରେ ଅପୂଜା ଅବସ୍ଥାରେ ଉପାସରେ ରହିଥିବା କପିଳେଶ୍ବରଙ୍କ ସବୁଦିନିଆ ପୂଜା ନୀତିକାନ୍ତି ଆଜି ଏମିତି ଏକ ଭିନ୍ନ ପରିବେଶରେ ପୁଣି ଆରମ୍ଭ ହୋଇଛି। ଏଣେ ହାଇକୋର୍ଟଙ୍କ ପରମ୍ପରା ରକ୍ଷା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନଥିବାରୁ ମନ୍ଦିର ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ଥାନାରେ ଏତଲା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ହାଇକୋର୍ଟ ପରମ୍ପରା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଦେବାତ୍ତର ବିଭାଗ ଓ ମନ୍ଦିର ଟ୍ରଷ୍ଟର ସମସ୍ତ ଆଲୋଚନାକୁ ମଲିଆ ସେବାୟତମାନେ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି। ଫଳରେ ହାଣ୍ଡିଭଙ୍ଗା ଯାତଠାରୁ ମନ୍ଦିରରେ ତାଲା ଝୁଲୁଥିଲା। ଠାକୁର ଅପୂଜା‌ ଓ ଉପାସରେ ଥିଲେ। ଗତକାଲି ମଧ୍ୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସମେତ ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାମାନେ ବିବାଦର ସମାଧାନ ପାଇଁ ବୈଠକ କରିଥିଲେ ଏବଂ ତା’ ବି ବିଫଳ ହୋଇଥିଲା।

ତେଣୁ ଠାକୁରଙ୍କ ଦୋଳ ଯାତ୍ରା ବନ୍ଦ ହୋଇଯିବା ଆଶଙ୍କା ଦେଖାଯାଇଥିଲା। କିନ୍ତୁ ଆଜି ସକାଳୁ ମଲିଆ ସେବାୟତ ପରିବାରର ଶତାଧିକ ମହିଳା ଏକାଠି ହୋଇ ମନ୍ଦିରକୁ ଆସିଥିଲେ। ମନ୍ଦିରର ତାଲା ଭାଙ୍ଗି ପଶିଥିଲେ ଏବଂ ସାଥୀରେ ଆସିଥିବା ମଲିଆ ସେବାୟତମାନେ ପୂଜାର୍ଚ୍ଚନା କଲେ। ଦୋଳବିମାନ ଅଣାଗଲା ଏବଂ ଆଜି ରାତିରେ ଠାକୁରଙ୍କ ଗଡ଼ଯାତ୍ରା(ଭୋଗଖିଆ ପାଇଁ ସାହି ଭ୍ରମଣ) ପାଇଁ ପ୍ରସ୍ତୁତି ଚାଲିଲା। ପୂର୍ବରୁ ମୁତୟନ ହୋଇଥିବା ପୁଲିସ କର୍ମଚାରୀମାନେ ନିରୁପାୟ ହୋଇ କେବଳ ଠିଆହୋଇରହିଥିଲେ। ଆଜି ରାତିରେ ଠାକୁର କପିଳନାଥ ଓ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ କପିଳପ୍ରସାଦ, ପାଲାମଣ୍ଡପ ବୁଲିବା ପରେ ମୁସଲମାନ ସାହି ଦେଇ ସୁନ୍ଦରପଦା, ନନ୍ଦ ସାହି, ତଳସାହି ଆଦିରେ ଚାଚେରି ଭୋଗ ଖାଇବେ। ଭୋର୍‌ରୁ ଠାକୁର ଦୋଳ ବେଦିକୁ ଫେରିବେ ଏବଂ ବିଧି ଅନୁସାରେ ମେଣ୍ଢାକୁଡ଼ୁଆରେ ଅଗ୍ନି ସଂଯୋଗ ହେବା ପରେ ଭୋଗ ଲାଗି ସରିବା ପରେ ଠାକୁର ମନ୍ଦିରକୁ ବିଜେ କରିବେ।

ଏନେଇ ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ପରମ୍ପରା ରକ୍ଷା ପାଇଁ ପ୍ରଶାସନ ଉଦ୍ୟମ କରିଆସିଥିଲା। ଗଣ୍ଡଗୋଳ ନହେବା ପାଇଁ ପୁଲିସ ମୁତୟନ କରାଯାଇଥିଲା। କିନ୍ତୁ ମହିଳାମାନେ ତାଲା ଭାଙ୍ଗି ଏକଚାଟିଆ ଭାବେ ସବୁ କରିଛନ୍ତି। ମନ୍ଦିର ମ୍ୟାନେଜରଙ୍କ ସୂଚନା ଅନୁଯାୟୀ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ମାମଲା କରାଯିବ ବୋଲି ପୁଲିସ କହିଛି। ଏଣେ ଖୁଣ୍ଟିଆ ସେବାୟତମାନେ ଏସବୁ ଘଟଣାକୁ ନେଇ ପ୍ରଶାସନକୁ ଦାୟୀ କରିଛନ୍ତି।ପରମ୍ପରା ରକ୍ଷା କରିବାରେ ପ୍ରଶାସନ ବିଫଳ ହୋଇଛି ବୋଲି ସେମାନେ କହିଛନ୍ତି। ସେହିଭଳି କପିଳେଶ୍ବର ମନ୍ଦିରରେ ଯେଉଁ ସେବାୟତମାନେ ବିଶୃଙ୍ଖଳା କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରିବାକୁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଆଜି ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନିକଟରେ ଅଭିଯୋଗ କରାଯାଇଛି। କପିଳଶ୍ବରଙ୍କ ନୀତି ବନ୍ଦ କରାଉଥିବା ବିଶୃଙ୍ଖଳିତ ସେବାୟତଙ୍କୁ ସେବାରୁ ବେଦଖଲ କରିବା ସହ ସରକାରୀ ସେବାୟତ ନିଯୁକ୍ତି କରିବାକୁ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଦାବି କରିଛନ୍ତି। ସେହିଭଳି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସେବା ପ୍ରତିନିଧି ମୁଖ୍ୟ ସଂଗଠକ ନୀଳମଣି ମିଶ୍ର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *