ରାଜନୀତି

ଦିଲ୍ଲୀର ୪ ବିଜେପି ସାଂସଦଙ୍କ ଟିକେଟ କଟିଲା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ୫ଟି ପାଇଁ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଆଶ୍ଚର୍ଯ୍ୟ କଥା ହେଉଛି ଦଳ ୪ ଜଣ ସାଂସଦଙ୍କ ଟିକେଟ କାଟି ଦେଇଛି। ସେହିପରି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ପୂର୍ବ ଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀ ଲୋକସଭା ଆସନ ପାଇଁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ଦିଲ୍ଲୀରେ ୭ଟି ଲୋକସଭା ଆସନ ଥିବା ବେଳେ ଗତ ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ଆସନ ଦଖଲ କରିଥିଲା।ନୂଆଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ, ଦକ୍ଷିଣ ଦିଲ୍ଲୀରୁ ରମେଶ ବିଧୁରିଙ୍କ ସ୍ଥାନରେ ରାମବୀର ସିଂହ ବିଧୁରୀ, ଚାନ୍ଦନୀ ଛକରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସ୍ଥାନରେ ପ୍ରବୀଣ ଖଣ୍ଡେଲୱାଲ, ପଶ୍ଚିମ ଦିଲ୍ଲୀରୁ ପରବେଶ ବର୍ମାଙ୍କ ସ୍ଥାନରେ କମଲଜିତ ସେହରାଓ୍ଵତଙ୍କୁ ଦଳ ପ୍ରାର୍ଥୀ କରିଛି। ଦିଲ୍ଲୀ ବିଜେପିର ପୂର୍ବତନ ସଭାପତି ମନୋଜ ତିୱାରୀଙ୍କୁ ପୁଣି ଥରେ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରାଯାଇଛି। ପୂର୍ବ ଦିଲ୍ଲୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ସେଠାରୁ ଏବେ ପୂର୍ବତନ କ୍ରିକେଟ ଖେଳାଳି ଗୌତମ ଗମ୍ଭୀର ସାଂସଦ ଅଛନ୍ତି । ତେବେ ସେ ମଧ୍ୟ ଏଥର ନିର୍ବାଚନ ଲଢିବାକୁ ଆଶାୟୀ ନଥିବା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *