ମହାନଗର

ସତର୍କତାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦେଲେ କଟକ ଡିସିପି

କଟକ: ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ନେଇ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କଟକ ଡିସିପି ପିନାକ ମିଶ୍ର। ଏନେଇ ଡିସିପି କହିଛନ୍ତି, ହୋଲିରେ ସୁରକ୍ଷାକୁ ନଜରରେ ରଖିବା ଲାଗି ସହରରେ ୧୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ।

ରଙ୍ଗ ଖେଳିବା ସମୟରେ ମଦ୍ୟପାନ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଦ୍ରୁତଗତିରେ ଗାଡ଼ି ନ ଚଳାଇବାକୁ ବି ସତର୍କ କରାଇଛନ୍ତି ଡିସିପି। ରଙ୍ଗ ଖେଳ ପରେ ନଦୀକୁ ଲୋକେ ଗାଧୋଇବାକୁ ନ ଯିବାକୁ ମଧ୍ୟ ଅନୁରୋଧ କରିଛନ୍ତି ସେ। ରଙ୍ଗ ଖେଳିବା ନେଇ ଯଦି କୌଣସି ବ୍ୟକ୍ତି ଜୋରଜବରଦସ୍ତି କରେ ଓ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରେ, ତେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି ପିନାକ ମିଶ୍ର।

ଏଣେ ହୋଲିରେ ରାସାୟନିକ ରଂଗ ଉପରେ କଟକଣା ଲାଗିଥିବା ବେଳେ ଆଇନଶୃଙ୍ଖଳା ଉପରେ ମଧ୍ୟ କଡ଼ା ନଜର ଦେବାକୁ ସମସ୍ତ ଜୋନ୍ ଓ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। କଟକ ସହରକୁ ୬ଟି ସେକ୍ଟର୍‌ରେ ଭାଗ କରାଯାଇଛି। ଜୋନ୍‌ୱାରି ଏସିପିମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ।

ଗୁରୁତ୍ୱପୂର୍ଣ୍ଣ ଛକ ଅଞ୍ଚଳରେ ଅସ୍ଥାୟୀ ପୋଷ୍ଟ ଖୋଲାଯିବ। ଜୋନ୍‌ୱାରି ଥିବା ଥାନାଗୁଡ଼ିକରେ ୨୨ ପିସିଆର୍‌ ଭ୍ୟାନ୍‌ ଓ ୪୦ ବାଇକ୍ ପିସିଆର୍‌ ମୁତୟନ କରାଯାଇଛି। ପୁରା ସହରର ସୁରକ୍ଷା ଦାୟିତ୍ୱରେ ୨ଜଣ ଏଡିସିପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଡିସିପି ପିନାକ ମିଶ୍ର ସିଧାସଳଖ ସ୍ଥିତି ଉପରେ ନଜର ରହିବେ। ଏହାସହିତ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିବାର ଆଶଂକା ଥିବାରୁ ଅଗ୍ନିଶମ ଓ ଓଡ୍ରାଫ୍‌ ପକ୍ଷରୁ ମହାନଦୀ ଓ କାଠଯୋଡ଼ିର ପ୍ରମୁଖ ଘାଟରେ ବୋଟ୍‌ ପାଟ୍ରୋଲିଂ କରାଯିବାକୁ ଯୋଜନା କରାଯାଇଛି।

Leave a Reply

Your email address will not be published. Required fields are marked *