ରାଜନୀତି

ପାପାଙ୍କୁ ଲଗାତାର ହଇରାଣ କରାଯାଉଛି : ଲାଲୁଙ୍କ ଝିଅ ରୋହିଣୀ

ପାଟ୍‌ନା: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାର ତଦନ୍ତ କରି ପୂର୍ବ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ଜେରା ଆରମ୍ଭ କରିଛି। ଅଭିଯୋଗ ରହିଛି ଯେ ଲାଲୁଙ୍କ ପରବାରକୁ ଜମି ‌ଦାନ କଲେ କିମ୍ବା ଜମି ବିକ୍ରି କଲେ ସରକାରୀ ଚାକିରି ମିଳୁଥିଲା। ଏହି ମାମଲା ହେଉଛି ଲାଲୁ ୨୦୦୪ରୁ ୨୦୦୯ ମଧ୍ୟରେ ରେଳ ମନ୍ତ୍ରୀ ଥିବା ସମୟର। ଏହି ମାମଲାକୁ ନେଇ ଜେରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲାଲୁଙ୍କ ଝିଅ ରୋହିଣୀ।

ରୋହିଣୀ ଆଚାର୍ଯ୍ୟ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ପାପାଙ୍କୁ ଲଗାତର ହଇରାଣ କରାଯାଉଛି। ଯଦି ତାଙ୍କୁ କିଛି ହୋଇଯାଏ ତ ମୁଁ କାହାକୁ ବି ଛାଡ଼ିବିନି। ପାପାଙ୍କୁ ହଇରାଣ କରୁଛନ୍ତି, ଏହା ଠିକ୍‌ କଥା ନୁହେଁ। ଏ ସବୁ କଥା ମନେ ରହିବ। ସମୟ ବହୁତ ଶକ୍ତିଶାଳୀ, ତାହାର ବହୁତ ଶକ୍ତି ଥାଏ। ଏକଥା ମନେ ରଖିଥାନ୍ତୁ।’

‘ଜମି ବଦଳରେ ଚାକିରି’ ଦୁର୍ନୀତି ମାମଲାରେ ଆଜି ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ଯାଦବଙ୍କୁ ଜେରା କରିଛି ସିବିଆଇ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ଗତକାଲି ପଚରାଉଚରା କରିବା ପରେ ଆଜି ଜେରା ପାଇଁ ଲାଲୁ ଯାଦବଙ୍କୁ ସିବିଆଇ ସମନ ପଠାଇଥିଲା। ଦିଲ୍ଲୀର ସିବିଆଇ କାର୍ଯ୍ୟାଳୟରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା।

ତେବେ ଗତକାଲି ‘ସିବିଆଇ’ ଅଧିକାରୀମାନେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଚଢ଼ଉ କରି ତାଙ୍କୁ ‘ଜମି ବଦଳରେ ଚାକିରି’ ଦୁର୍ନୀତି ସଂକ୍ରାନ୍ତରେ ୪ ଘଣ୍ଟା ଧରି ଜେରା କରିଥିଲେ।

Leave a Reply

Your email address will not be published. Required fields are marked *