ବାଣିଜ୍ୟ

କେୱାଇସି ହେବ କଠୋର: ଏକରୁ ଅଧିକ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ବହୁସ୍ତରୀୟ ଭେରିଫିକେସନ

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକ କେୱାଇସି ପ୍ରକ୍ରିୟାକୁ କଠୋର କରିବାକୁ ପ୍ରସ୍ତୁତ ହେଉଛନ୍ତି। କେୱାଇସି ଷ୍ଟାଣ୍ଡାର୍ଡକୁ କଠୋର କରିବା ଲାଗି ବ୍ୟାଙ୍କ ଆକାଉଣ୍ଟ ଏବଂ ଆକାଉଣ୍ଟ ଧାରକଙ୍କ ଚିହ୍ନଟ ପାଇଁ ବହୁସ୍ତରୀୟ ଭେରିଫିକେସନ କରାଯିବା ଲାଗି ଯୋଜନା କରାଯାଉଛି। ଯୋଜନା ଅନୁସାରେ ଏକ ଫୋନ ନମ୍ବରରେ ଥିବା ଏକ ବା ଅଧିକ ଆକାଉଣ୍ଟ ଅବା ଜଏଣ୍ଟ ଆକାଉଣ୍ଟ କ୍ଷେତ୍ରରେ କେୱାଇସିକୁ ଅପଡେଟ କରାଯିବ। ଏକାଧିକ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ବହୁସ୍ତରୀୟ ଭେରିଫିକେସନ କରାଯିବ। ଏଭଳି ଗ୍ରାହକଙ୍କଠାରୁ ବ୍ୟାଙ୍କ ପକ୍ଷରୁ ଅଧିକ ପ୍ରମାଣ ପତ୍ର ଲୋଡାଯିବାର ଯୋଜନା ରହିଛି।

ଏନେଇ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥ ସଚିବ ଟିଭି ସୋମନାଥନଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟି ସମଗ୍ର ଆର୍ଥିକ ‌ସେକ୍ଟରର କେୱାଇସି ଯୋଗ୍ୟତାକୁ ସ୍ବଚ୍ଛ ତଥା ସୁନିଶ୍ଚିତ କରିବେ। ‌କେୱାଇସି ପ୍ରକ୍ରିୟାକୁ ପାଳନ କରୁ ନ ଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସରକାରଙ୍କ ପକ୍ଷରୁ ୟୁନିଫର୍ମ କେୱାଇସି ଲାଗୁ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ସମ୍ପ୍ରତି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ପାସପୋର୍ଟ, ଆଧାର, ଭୋଟର ପରିଚୟ ପତ୍ର, ନରେଗା କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସକୁ ଆବଶ୍ୟକ ପ୍ରମାଣ ପତ୍ର ଭାବେ ଗ୍ରହଣ କରାଯାଉଛି। ତେବେ ଜଏଣ୍ଟ ଆକାଉଣ୍ଟ କ୍ଷେତ୍ରରେ ବ୍ୟାଙ୍କଗୁଡିକ ପ୍ୟାନ,ଆଧାର ଅବା ୟୁନିକ ମୋବାଇଲ ନମ୍ବର ଲୋଡି ପାରନ୍ତି।
ସୂଚନାଯୋଗ୍ୟ, କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଫାଇନାନ୍ସିଆଲ ଷ୍ଟାବିଲିଟି ଆଣ୍ଡ ଡେଭଲପମେଣ୍ଟ କାଉନସିଲ(ଏଫଏସଡିସି) ବୈଠକରେ ୟୁନିଫର୍ମ କେୱାସି ଉପରେ ଚର୍ଚ୍ଚା ହୋଇଥିଲା।

Leave a Reply

Your email address will not be published. Required fields are marked *