କୃଷକଙ୍କ ଆୟ, ଓ ଆତ୍ମହତ୍ୟା
ଗତ ବର୍ଷ ଜୟଦେବ ଭବନରେ ଏକ କୃଷି-ପୁସ୍ତକ ଉନ୍ମୋଚନ ସଭାରେ ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାହିତ୍ୟିକ କହିଲେ, ‘‘ଚାଷ ଅଛି ଯାହାର, ଆତ୍ମହତ୍ୟାଟି ସାର’’। ଆମେ ଆଗରୁ କହୁଥିଲୁ, ‘‘ଚାଷ ଅଛି ଯାହାର, କି ଆନନ୍ଦ ତାହାର; ଚାଷୀ ସିନା ଯୋଗାଉଛି ଦୁନିଆକୁ ଆହାର’’। କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଓ ଜନସଂଖ୍ୟାର ୭୦ ପ୍ରତିଶତ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଉପରେ ନିର୍ଭରଶୀଳ। ଏଣୁ ସରକାର କୃଷିର ଉନ୍ନତି କଳ୍ପେ ସର୍ବବିଧ ଉଦ୍ୟମ କରୁଛନ୍ତି। ଏହା ସତ୍ତ୍ବେ କୃଷକମାନଙ୍କ କ୍ରମାଗତ ଆତ୍ମହତ୍ୟା ଏକ ଜାତୀୟ ସମସ୍ୟା ରୂପେ ଦେଖାଯାଇଛି। ଜାତୀୟ ଅପରାଧ ପଂଜୀକରଣ ବ୍ୟୁରୋ (ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ) ତଥ୍ୟ ଅନୁସାରେ ଆମ ଦେଶରେ ମୋଟ ବାର୍ଷିକ ଆତ୍ମହତ୍ୟାର ପ୍ରାୟ ୧୦ ପ୍ରତିଶତ ହେଉଛି କୃଷକମାନଙ୍କ ଆତ୍ମହତ୍ୟା। ଦେଶରେ ଏକ ଲକ୍ଷ ଲୋକ ମଧ୍ୟରେ ମୋଟ ଆତ୍ମହତ୍ୟା ସଂଖ୍ୟା ୧୦.୬ ଥିବା ବେଳେ ଏକ ଲକ୍ଷ କୃଷକ ଏବଂ କୃଷି ଶ୍ରମିକ ମଧ୍ୟରେ ୧୨.୯ ଜଣ ଆତ୍ମହତ୍ୟା କରୁଛନ୍ତି। ୧୯୯୫ରୁ ୨୦୨୨ ମଧ୍ୟରେ ବର୍ଷରେ ହାରାହାରି କୃଷକ/କୃଷି ଶ୍ରମିକ ଆତ୍ମହତ୍ୟା ସଂଖ୍ୟା ୧୦,୦୦୦ରୁ ୧୮,୦୦୦ ମଧ୍ୟରେ ରହୁଛି।ଦେଶରେ କୃଷକ ଆତ୍ମହତ୍ୟା ହାର ସବୁ ରାଜ୍ୟରେ ସମାନ ନୁହେଁ। ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଦେଶର ମୋର କୃଷକ ଆତ୍ମହତ୍ୟା ପ୍ରାୟ ୮୭.୫ ପ୍ରତିଶତ। କୃଷିକ୍ଷେତ୍ରରେ ଯଥେଷ୍ଟ ଆଗୁଆ ପଞ୍ଜାବରେ ମଧ୍ୟ କୃଷକ ଆତ୍ମହତ୍ୟା ଅଧିକ। ୧୯୯୫ରୁ ୨୦୧୫ ମଧ୍ୟରେ ଏହି ରାଜ୍ୟରେ ୪,୬୮୭ କୃଷକ ଆତ୍ମହତ୍ୟା ମଧ୍ୟରୁ କେବଳ ମାନ୍ସ ଜିଲ୍ଲାରେ ୧,୩୩୪ କୃଷକ ଆତ୍ମହତ୍ୟା କରିଥିଲେ। ସେହି ଦୃଷ୍ଟିରୁ କୃଷକ ଆତ୍ମହତ୍ୟା ଯେ ଏକ ଉଦ୍ବିଗ୍ନ କରୁଥିବା ଭଳି ସମସ୍ୟା, ଏଥିରେ ସନ୍ଦେହ ନାହିଁ।
କୃଷକ ଆତ୍ମହତ୍ୟାର ମୁଖ୍ୟ କାରଣଗୁଡ଼ିକ ହେଲା: ପ୍ରାକୃତିକ ବିପର୍ଯ୍ୟୟଜନିତ ଫସଲ ହାନି, ଜଳବାୟୁର କ୍ରମାଗତ ପରିବର୍ତ୍ତନଜନିତ କ୍ଷୟକ୍ଷତି, ଅସହନୀୟ ଋଣ ବୋଝ, କୃଷି ଉତ୍ପାଦର ଅଭାବୀ ବିକ୍ରି, କୃଷି ସାମଗ୍ରୀଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଚାଷ ଖର୍ଚ୍ଚ ବୃଦ୍ଧି, ପାରିବାରିକ ଚାପ ଓ ମାନସିକ ଅବସ୍ଥା। ପ୍ରାକୃତିକ ବିପର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଫସଲ ଚାଷରେ ଅନିଶ୍ଚିତତା ଲାଗି ରହେ ଏବଂ ଅଧିକ ପୋକରୋଗ ଆକ୍ରମଣ ଦେଖାଯାଏ। ଏହି ସମସ୍ୟାର ସମାଧାନ କରି ନ ପାରି କୃଷକ ଆତ୍ମହତ୍ୟା କରିପାରେ। ଚାଷୀର ଭାଗ୍ୟ ବଜାର ସ୍ଥିର କରେ। ବହୁ କଷ୍ଟରେ ଉତ୍ପାଦିତ କୃଷିଜର ବିପଣନ ଭଲ ଭାବରେ ହୋଇ ନ ପାରିଲେ କୃଷକ ବହୁ କ୍ଷତିର ସମ୍ମୁଖୀନ ହୋଇ କୃଷି ଋଣ ପରିଶୋଧ କରିବାରେ ସକ୍ଷମ ହୁଏ ନାହିଁ। ବେଳେବେଳେ ଅଭାବୀ ବିକ୍ରି ସମସ୍ୟା ଉତ୍କଟ ହେଲେ କୃଷକ ଉତ୍ପାଦିତ ଦ୍ରବ୍ୟକୁ ବଜାରକୁ ନ ନେଇ ନିଜ ହାତରେ ତାହାକୁ ନଷ୍ଟ କରିଦିଏ।ଏନ୍.ସି.ଆର୍.ବି.ର ୨୦୧୫ ତଥ୍ୟରୁ ଜଣାଯାଏ ଯେ ୩,୦୦୦ କୃଷକ ମଧ୍ୟରୁ ୨,୪୭୪ କୃଷକ ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରିଥିଲେ। ଏହି କୃଷକଙ୍କ ମଧ୍ୟରୁ ୯.୮ ପ୍ରତିଶତ ଗ୍ରାମ୍ୟ ମହାଜନ ଠାରୁ ଅଧିକ ହାରଯୁକ୍ତ ସୁଧରେ ଋଣ ଆଣିଥିଲେ। ବେଳେବେଳେ କୃଷକମାନେ ଆଣୁଥିବା ଋଣକୁ କୃଷି କ୍ଷେତ୍ରରେ ବିନିଯୋଗ ମଧ୍ୟ କରି ପାରି ନଥାଆନ୍ତି। ତାହାର କାରଣ ହେଲା ପରିବାରର ଆର୍ଥିକ ଦୁରବସ୍ଥା, ରୋଗ ଓ ଚିକିତ୍ସା ଖର୍ଚ୍ଚର ବୋଝ ଓ ପିଲାଙ୍କ ପାଠପଢ଼ା ବା ଝିଅ ବାହାଘର ଇତ୍ୟାଦି। କୃଷି ସାମଗ୍ରୀ ହିସାବରେ ସାର, ବିହନ, କୀଟନାଶକ, ଯନ୍ତ୍ରପାତି ଭଡ଼ା ଓ ମଜୁରି ଜନିତ ବ୍ୟୟ ବୃଦ୍ଧି ଯୋଗୁଁ ଚାଷ ଖର୍ଚ୍ଚ ବଢ଼ିଥାଏ। ଏଣେ ବିପଣନ ସମସ୍ୟା ଯୋଗୁଁ ଖର୍ଚ୍ଚ ତୁଳନାରେ ଆୟ ଅଧିକ ହୁଏ ନାହିଁ। ତେଣୁ ଚାଷୀ କ୍ଷତି ସହେ। ଏହି କାରଣରୁ କେତେକ ଚାଷୀ ଚାଷ ଛାଡ଼ି ଦେଉଛନ୍ତି। କେତେକ କୃଷକ ଅଧିକ ଲାଭ ଆଶାେର ହାଇବ୍ରିଡ୍ ବିହନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ କୀଟନାଶକ ବ୍ୟବହାର କରି ମଧ୍ୟ ଆଶାନୁରୂପ ଫଳ ନ ପାଇ କ୍ଷତିଗ୍ରସ୍ତ ହୁଅନ୍ତି; ଫଳରେ ମାନସିକ ଭାରସାମ୍ୟ ହରାଇ ବସନ୍ତି। ଆମ ଦେଶର ପ୍ରାୟ ୮୨% କୃଷକ କ୍ଷୁଦ୍ର ଓ ନାମମାତ୍ର। ଏମାନଙ୍କ ମଧ୍ୟରୁ ଅଧିକାଂଶ ନିରକ୍ଷର କିମ୍ବା ଅଳ୍ପ ଶିକ୍ଷିତ। ଫଳେର ଉନ୍ନତ କୃଷି କୌଶଳ ସମ୍ବନ୍ଧରେ ସେତେଟା ସଚେତନ ନୁହନ୍ତି। ଚାଷକୁ ପାଣିପାଗର ଦୟା ଓ ନିଜ ଭାଗ୍ୟ ଉପରେ ଛାଡ଼ି ଦିଅନ୍ତି। ସତ କହିଲେ ସର୍ବାଧିକ ବିପଦର ଆଶଙ୍କା ରଖୁଥିବା ବୃତ୍ତି ମଧ୍ୟରେ ଚାଷ ଅନ୍ୟତମ ହୋଇଛି।ଗୋଟିଏ ଦୃଷ୍ଟିରୁ ବିଚାର କଲେ କୃଷକ ଆତ୍ମହତ୍ୟାର କାରଣ ଅର୍ଥନୈତିକ ବା ବୃତ୍ତିଗତ ବିଫଳତା ହୋଇଥିଲେ ହେଁ ଅନ୍ୟାନ୍ୟ ବୃତ୍ତିରେ ବିଫଳତା ସାଧାରଣତଃ ଏଭଳି ଆତ୍ମହତ୍ୟା ମନସ୍କତା ସୃଷ୍ଟି କରି ନ ଥାଏ। ତେଣୁ ଏହାର ଏକ ବଡ଼ କାରଣ ଏହି ବିଫଳତାରୁ ସୃଷ୍ଟି ହେଉଥିବା ଅସହନୀୟ ମାନସିକ ଚାପ। କ୍ରମାଗତ ଭାବେ ଦାରିଦ୍ର୍ୟର ନିପୀଡ଼ନ ସହୁଥିବା ଚାଷୀ ବାରମ୍ବାର ଫସଲ ହାନି ବା ଅଭାବୀ ବିକ୍ରି ସମସ୍ୟା ଦେଖି ମାନସିକ ଭାବେ ଏଭଳି ଦୁର୍ବଳ ହୋଇଥାଏ ଯେ ଅଧିକ ଚାପ ସହ୍ୟ କରି ନ ପାରି ଅନାୟାସରେ ଆତ୍ମହତ୍ୟାର ପଥ ବାଛିନିଏ। ଆଉ ଏକ କଥା ହେଲା, ଦଲାଲ ହେଉ ବା ବ୍ୟବସାୟୀ ହୁଅନ୍ତୁ ବା ମିଲ ମାଲିକ ହୁଅନ୍ତୁ; ଏମାନଙ୍କ ହାତରେ କୃଷକମାନଙ୍କ ଶୋଷଣ ସ୍ପଷ୍ଟ ଦିବାଲୋକରେ ହୋଇଥାଏ ଏବଂ ସେଥିରେ ସରକାରୀ କର୍ମଚାରୀ ହାତବାରିସି ସାଜନ୍ତି। ଏଭଳି ପରିବେଶରେ କ୍ଷତି ସହୁଥିବା ଚାଷୀ ସଂକଟରୁ ପରିତ୍ରାଣର ସାମାନ୍ୟତମ ସମ୍ଭାବନା ଦେଖି ନ ପାରି ସ୍ବାଭାବିକ ଭାବେ ଭାଙ୍ଗି ପଡ଼େ ଓ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାର ପନ୍ଥା ବାଛିନିଏ।
ଭାରତରେ କୃଷକ ଆତ୍ମହତ୍ୟା ହାର ଧୀରେ ଧୀରେ ବୃଦ୍ଧି ପାଉଛି। ଏନ୍.ସି.ଆର୍.ବି. ତଥ୍ୟ ଅନୁସାରେ ୨୦୧୯ରେ ୧୦,୨୮୫, ୨୦୨୦ରେ ୧୦,୬୭୭, ୨୦୨୧ରେ ୧୦,୮୮୧ ଓ ୨୦୨୨ରେ ୧୧,୨୯୦ କୃଷକ ଓ କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ୨୦୨୧ ଓ ୨୦୨୨ରେ କୃଷକ ଅପେକ୍ଷା ଅଧିକ କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି। ଏମ୍.ଓ.ଏସ୍.ପି.ଆଇ. ସର୍ଭେ ଅନୁସାରେ କୃଷିକ୍ଷେତ୍ରରେ ପରିବାର ପ୍ରତି ହାରାହାରି ଋଣଭାର ୨୦୨୩ରେ ୧୨,୫୮୫ ଟଙ୍କା, ୨୦୧୩ରେ ୪୨,୦୦୦ ଟଙ୍କା ଓ ୨୦୧୯ରେ ୭୪,୧୨୧ ଟଙ୍କା ହୋଇଛି। ଏଣୁ ଋଣ ଛାଡ଼ ପାଇଁ ବାରମ୍ବାର ଦାବି ହେଉଛି। ଅତୀତରେ କୃଷି ଋଣ ଛାଡ଼ ପାଇଁ ପଦକ୍ଷେପ ନିଆଯାଇଛି, କିନ୍ତୁ ଏହା ବିଶେଷ ଫଳପ୍ରଦ ହୋଇନାହିଁ। କାରଣ ଚାଷୀମାନେ ବ୍ୟାଙ୍କ ଋଣ ତୁଳନାରେ ଅଧିକ ପରିମାଣର ଋଣ ମହାଜନ ଠାରୁ ଅଧିକ ସୁଧ ହାରରେ ନେଇ ଥାଆନ୍ତି।କୃଷକ ଆତ୍ମହତ୍ୟା ସମସ୍ୟାର ନିରାକରଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଇଛି। ୨୦୦୬ ମସିହାରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳ ରାଜ୍ୟରେ ୩୧ ଜିଲ୍ଲା ପାଇଁ ସ୍ବତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷିତ ହୋଇଥିଲା। ୨୦୦୮ ମସିହାରେ କେନ୍ଦ୍ର ସରକାର କୃଷି ଋଣ ଛାଡ଼ ଓ କୃଷି ଋଣ ଉପଶମ ଯୋଜନା (ଏଗ୍ରିକଲ୍ଚର୍ ଡେବ୍ଟ ୱାଇଭର୍ ଆଣ୍ଡ୍ ଡେବ୍ଟ ରିଲିଫ୍ ସ୍କିମ୍, ୨୦୦୮) ଆରମ୍ଭ କରି ୩୬ ନିୟୁତ ଚାଷୀଙ୍କର ଋଣ ଛାଡ଼ ବାବଦରେ ୬,୫୦୦ କୋଟି ଟଙ୍କା ବ୍ୟୟ କରିଥିଲେ। ଏହି ଯୋଜନାରେ କୃଷି ଋଣ ମୂଳଧନର କିଛି ଅଂଶ ସହିତ ସୁଧର କେତେ ଭାଗ ଛାଡ଼ କରାଯାଇଥିଲେ ମଧ୍ୟ ଏଥିରୁ ବିଶେଷ ସଫଳତା ମିଳିଲା ନାହିଁ। ୨୦୧୩ ମସିହାରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳ ରାଜ୍ୟର କୃଷକ ଆତ୍ମହତ୍ୟାପ୍ରବଣ ଅଞ୍ଚଳ ପାଇଁ ପ୍ରାଣୀ ଓ ମତ୍ସ୍ୟ ପାଳନ ନିମନ୍ତେ ଏକ ସ୍ବତନ୍ତ୍ର ପ୍ୟାକେଜ୍ର ବ୍ୟବସ୍ଥା କରିଥିଲେ। ଏହା ଥିଲା କୃଷିର ବିବିଧୀକରଣ ଦିଗରେ ଏକ ଉଦ୍ୟମ। ଏହା ବ୍ୟତୀତ କେତେକ ରାଜ୍ୟ ସରକାର କୃଷକ ଋଣ ଛାଡ଼ କରିଛନ୍ତି। ୨୦୦୮ ମସିହାରେ ମହାରାଷ୍ଟ୍ର ସରକାର କୃଷି ଋଣ ନିୟନ୍ତ୍ରଣ ବିଲ୍ ଓ ୨୦୧୨ ମସିହାରେ କେରଳ ସରକାର କୃଷକଙ୍କ ଋଣ ଉପଶମ (ସଂଶୋଧନ) ବିଲ୍ ଆଣିଥିଲେ।
କୃଷକଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରେ ଅଶୋକ ଦଲଭାଇ କମିଟି ପରାମର୍ଶରେ କେତେକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ଫସଲ ସହିତ ପ୍ରାଣୀ ସଂପଦ ଉତ୍ପାଦନ ବୃଦ୍ଧି, କୃଷି ସମ୍ବଳର ଦକ୍ଷ ବିନିଯୋଗ ଦ୍ବାରା ଚାଷ ଖର୍ଚ୍ଚ ହ୍ରାସ, ଫସଲ ଚାଷର ସାନ୍ଦ୍ରତା ବୃଦ୍ଧି, ଫସଲର ବିବିଧୀକରଣ ସହିତ ଅର୍ଥକରୀ ଫସଲ ଚାଷ, ଅଣ-କୃଷି ଆୟ ବୃଦ୍ଧି ଓ କୃଷକଙ୍କ ଫସଲର ବାସ୍ତବ ମୂଲ୍ୟ ପ୍ରତି ଗୁରୁତ୍ବ ଦିଆଗଲା। ଭାରତ ସରକାର ମୃତ୍ତିକା ଗୁଣମାନ ରକ୍ଷା ପାଇଁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ କରିଛନ୍ତି। ସେହି ଭଳି କୃଷକ ପ୍ରଶିକ୍ଷଣ, କୃଷି ବିପଣନରେ ଉନ୍ନତି ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ୨୦୨୨-୨୩ ସୁଦ୍ଧା କୃଷକ ଆୟ ଦ୍ବିଗୁଣିତ ହୋଇ ପାରିନାହିଁ। ଜାତୀୟ ନମୁନା ସେର୍ବକ୍ଷଣକାର୍ଯ୍ୟାଳୟ (ଏନ୍.ଏସ୍.ଏସ୍.ଓ.)ର ୭୭ତମ ତଥ୍ୟ ଅନୁସାରେ ଜାତୀୟସ୍ତରରେ କୃଷକର ମାସିକ ଆୟ ୨୦୧୨-୧୩ରେ ୬,୪୨୬ ଟଙ୍କା ଥିବାବେଳେ ୨୦୧୮-୧୯ରେ ଏହା ୧୦,୨୧୮ ଟଙ୍କାକୁ ବୃଦ୍ଧି ପାଇଥିଲା। କେନ୍ଦ୍ର ସରକାର କୃଷି ବଜେଟ୍କୁ ୨୦୨୨-୨୩ରେ ୧,୩୮,୫୫୫ କୋଟି ଟଙ୍କାକୁ ବୃଦ୍ଧି କଲେ ଯାହାକି ୨୦୧୫-୧୬ରେ ୨୫,୪୬୦ କୋଟି ଟଙ୍କା ଥିଲା। ପ୍ରଧାନମନ୍ତ୍ରୀ କୁସୁମ ଯୋଜନାରେ ଯୋଗ୍ୟ କୃଷକ ନିମନ୍ତେ ୬,୦୦୦ ଟଙ୍କାର ବାର୍ଷିକ ଅନୁଦାନ ଦିଆଗଲା। ପ୍ରଧାନମନ୍ତ୍ରୀ ଫସଲ ଯୋଜନା ଅର୍ଥ ବୃଦ୍ଧି, କିଷାନ କ୍ରେଡିଟ୍ କାର୍ଡ ଦ୍ବାରା ବାର୍ଷିକ ୪ ପ୍ରତିଶତ ସୁଧରେ ଋଣ ମଞ୍ଜୁର ୨୦୨୨-୨୩ରେ ୧୮.୫ ଲକ୍ଷ କୋଟି ଟଙ୍କାର ଋଣ ଲକ୍ଷ୍ୟଧାର୍ଯ୍ୟ, ଅନୁମୋଦିତ ୨୩ଟି ଫସଲ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟକୁ ଚାଷ ଖର୍ଚ୍ଚର ଦେଢ଼ ଗୁଣା କରିବା, ଜୈବିକ ଓ ପରମ୍ପରାଗତ କୃଷି ବିକାଶ, ଅଣୁ ଜଳସେଚନ ବିକାଶ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଜାତୀୟ କୃଷି ବିପଣନ, କୃଷକ ଉତ୍ପାଦନକାରୀ ସଂଗଠନ, ଜାତୀୟ ଖାଇବା ତେଲ ମିସନ, ମହୁମାଛି ପାଳନ ମିସନ, କୃଷି ଭିତ୍ତିଭୂମି ଗଠନ, ସମନ୍ବିତ ଉଦ୍ୟାନ ବିକାଶ ମିସନ, କୃଷି ଷ୍ଟାର୍ଟ-ଅପ୍, ମତ୍ସ୍ୟ ସଂପଦ ଯୋଜନା ଇତ୍ୟାଦି କରାଯାଇଥିଲେ ମଧ୍ୟ କୃଷକ ଆତ୍ମହତ୍ୟା ହ୍ରାସ ପାଉନାହିଁ।ତେଣୁ ଚିନ୍ତା କରିବାର ସମୟ ଉପନୀତ ଯେ ଏତେ ସବୁ କରାଯିବା ସତ୍ତ୍ବେ କୃଷକର ଆୟ ବୃଦ୍ଧି ପାଉନାହିଁ କାହିଁକି? କୃଷକ ଦରିଦ୍ର ଓ ହତାଶ କାହିଁକି? କୃଷକ ଆତ୍ମହତ୍ୟାକୁ ତା’ର ଏକମାତ୍ର ମୁକ୍ତିର ମାର୍ଗ ବୋଲି ମଣୁଛି କାହିଁକି? ଏ ସବୁ ଗୂଢ଼ ପ୍ରଶ୍ନ। ଆମ ଦେଶରେ ଅନେକ ଯୋଜନା ଓ ନୀତି ନିର୍ଦ୍ଧାରଣ କୃଷି ବୈଜ୍ଞାନିକମାନେ ଦ୍ବାରା ହୋଇଥାଏ, ଯେଉଁମାନଙ୍କ କ୍ଷେତ୍ର ସ୍ତରୀୟ ବାସ୍ତବ ସମସ୍ୟା ସହିତ ପରିଚିତି ନ ଥାଏ। ତେଣୁ କୃଷି ସହିତ ଯୋଡ଼ି ହୋଇ ରହିଥିବା ଚାଷୀ ବା ବିଜ୍ଞ ବ୍ୟକ୍ତିବିଶେଷଙ୍କ ପରାମର୍ଶାନୁସାରେ ଯୋଜନା ପ୍ରସ୍ତୁତ କରାଯାଉ ଏବଂ କୃଷକମାନଙ୍କ ଲାଗି ଯେ ସରକାର ବାସ୍ତବରେ ସଂବେଦନଶୀଳ, ଏଭଳି ଏକ ସନ୍ଦେଶ ମିଳୁ।