ଦୋଳ ପୂର୍ଣ୍ଣିମା ଓ ହୋଲି : ଭାତୃତ୍ୱର ଗଣ ଉତ୍ସବ
ଆଜି ଦୋଳ ପୂର୍ଣ୍ଣିମା। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ପର୍ବର ପ୍ରାଧାନ୍ୟ ବେଶୀ। ଫାଲ୍ଗୁନ ଦଶମୀ ତିଥିରୁ ସାଧାରଣତଃ ଗୋବିନ୍ଦଙ୍କର ଯାତ୍ରା ଏବଂ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ। ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହିତ ସୁସଜ୍ଜିତ ବିମାନରେ ବିଜେ କରନ୍ତି। ଶ୍ରୀରାଧାକୃଷ୍ଣ ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଆନ୍ତି। ଦୋଳ ପଡ଼ିଆ ବା ମେଳନ ପଡ଼ିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ। ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ରଙ୍ଗ ଖେଳ। ଦୋଳ ପୂର୍ଣ୍ଣିମାର ପର ଦିନ ରଙ୍ଗର ପର୍ବ ହୋଲି ପାଳିତ ହୁଏ।ଆଧ୍ୟାତ୍ମିକ ଭାରତ ବର୍ଷର ବିଭବକୁ ଦେଖିଲେ ସବୁ ସମ୍ପ୍ରଦାୟ ହୋଲିକୁ ଆନନ୍ଦ ଓ ଭାତୃତ୍ୱର ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି। ବିଭିନ୍ନ ରାଜ୍ୟରେ ନାନା ଢଙ୍ଗରେ ହୋଲି ଉତ୍ସବ ପାଳନ କରାଯାଏ। କିଛି ରାଜ୍ୟରେ ହୋଲି ଉତ୍ସବର ନାଁ ମଧ୍ୟ ଭିନ୍ନ। ପଶ୍ଚିମବଙ୍ଗରେ ‘ବସନ୍ତୋତ୍ସବ’, ମହାରାଷ୍ଟ୍ରରେ ‘ରଙ୍ଗପଞ୍ଚମୀ’, ପଞ୍ଜାବରେ ‘ହୋଲା ମହୋଲା’ ଓ ତାମିଲନାଡୁରେ ଏହା ‘କାମ-ଦହନ’ ନାମରେ ଜଣାଶୁଣା। ମଥୁରା ଅନ୍ତର୍ଗତ ବ୍ରଜରେ ଶ୍ରୀକୃଷ୍ଣ ଓ ଶ୍ରୀରାଧା ପ୍ରଥମେ ହୋଲି ଖେଳିଥିବାରୁ ତାହା ‘ବ୍ରଜ ହୋଲି’ ଭାବେ ପ୍ରସିଦ୍ଧ। ବୃନ୍ଦାବନରେ ଫୁଲରେ ହୋଲି ଖେଳାଯାଏ। ମହାରାଷ୍ଟ୍ରରେ ପାଞ୍ଚ ଦିନ ଧରି ହୋଲି ପାଳିତ ହୋଇଥାଏ। ଶେଷ ଦିନରେ ରଙ୍ଗ ଖେଳହୁଏ। ମାଠିଆ ଭଙ୍ଗା ଉତ୍ସବ ମଧ୍ୟ ହୋଲିର ଅନ୍ୟତମ ଆକର୍ଷଣୀୟ ପର˚ପରା। ମଥୁରା ଅନ୍ତର୍ଗତ ଦୁଇ ଗାଁ ବର୍ସନା ଓ ନନ୍ଦଗାଓଁରେ ପ୍ରଚଳିତ ଲାଠିମାର ହୋଲି ବେଶ ଲୋକପ୍ରିୟ। ଗାଁର ପୁରୁଷମାନେ ପଡ଼ୋଶୀ ଗାଁକୁ ରଙ୍ଗ ଖେଳିବାକୁ ଯାଇ ମହିଳାମାନଙ୍କଠାରୁ ଲାଠିମାଡ଼ ଖାଇଥାନ୍ତି। ଉଜ୍ଜୟିନୀର ସନ୍ନ୍ୟାସୀମାନେ ରଙ୍ଗ ବଦଳରେ ଗୋବରକୁ ରଙ୍ଗ ଭାବେ ବ୍ୟବହାର କରି ହୋଲି ଖେଳନ୍ତି।