ମୁଖ୍ୟ ଖବର

ଶ୍ରୀଲିଙ୍ଗରାଜ ମନ୍ଦିରରେ ଦଳାଚକଟା: ଅବ୍ୟବସ୍ଥା ଓ ବିଶୃଙ୍ଖଳା

ଭୁବନେଶ୍ବର: ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଆଇପି ଦର୍ଶନ, ବିଶୃଙ୍ଖଳିତ ଓ ଅବ୍ୟବସ୍ଥିତ ଦର୍ଶନ ପରିଚାଳନା ପାଇଁ ଆଜି ହଜାର ହଜାର ଶ୍ରଦ୍ଧାଳୁ ମାନସିକ ଭାବେ ଆହତ ହେବା ସହିତ ଯନ୍ତ୍ରଣା ସହିଛନ୍ତି। ଉପବାସଧାରୀ, ମହିଳା, ବୟସ୍କ ବ୍ୟକ୍ତି ଓ ଛୋଟପିଲାଙ୍କ କଥା ନକହିବା ଭଲ। ଏକାଧିକ ଥର ପେଲାଠେଲା ଓ ଦଳାଚକଟାରେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମନ୍ଦିର ପ୍ରଶାସନ ଓ ପୁଲିସ ଅଧିକାରୀ ତଥା କିଛି ସେବାୟତଙ୍କ ପାଇଁ ଦର୍ଶନରେ ବିଶୃଙ୍ଖଳା ହୋଇଥିବା ଅଭିଯୋଗ ହୋଇଛି।ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗତକାଲି ରାତି ପ୍ରାୟ ୧ଟାରୁ ଭିଡ଼ ଆରମ୍ଭ ହୋଇଥିଲା। ରାତି ପ୍ରାୟ ୨ଟା ବେଳକୁ ଗଙ୍ଗାଯମୁନା ଛକ ନିକଟ ବ୍ୟାରିକେଡ୍‌ରେ ଧାଡ଼ି ବାନ୍ଧିଥିଲେ ଶ୍ରଦ୍ଧାଳୁ। ହେଲେ ସେତିକିବେଳୁ ଧାଡ଼ିରେ ଠିଆହୋଇ ମଧ୍ୟ ଆଜି ଅପରାହ୍ନ ୩ଟା ସୁଦ୍ଧା ଅନେକ ଲିଙ୍ଗରାଜଙ୍କୁ ଦର୍ଶନ କରି ପାରିନଥିଲେ। ଏହାର କାରଣ ଥିଲା ଭିଆଇପିଙ୍କ ଦର୍ଶନ। ମନ୍ଦିର ପ୍ରଶାସନ ପକ୍ଷରୁ ‘ଭିଆଇପି ପାସ୍‌’ ବଣ୍ଟା ଯାଇଥିଲା। ଏହି ପାସ୍‌ ପାଇଥିବା ଲୋକେ ଦକ୍ଷିଣ ଦ୍ବାର ଦେଇ ପ୍ରବେଶ କରି ମନ୍ଦିରର ଉତ୍ତର ପଟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ନିୟମ କରାଯାଇଥିଲା। କିନ୍ତୁ ଦାୟିତ୍ବରେ ଥିବା କିଛି ପୁଲିସ ବାବୁ ଓ ସେବାୟତ ନିଜ ସମ୍ପର୍କୀୟ ଓ ପରିଚିତଙ୍କୁ ସେହି ଉତ୍ତର ଓ ଦକ୍ଷିଣ ଦ୍ବାରରେ ଭିତରକୁ ଛାଡ଼ିଥିଲେ। ପ୍ରଥମେ ଏହାକୁ ନେଇ ‌କଥା କଟାକଟି ହୋଇଥିଲା। କିନ୍ତୁ ପରେ ଉଭୟ ସେବାୟତ ଓ ପୁଲିସ ଅଧିକାରୀମାନେ ଯିଏ ଯେମିତି ପାରିଲେ ନିଜ ସମ୍ପର୍କୀୟ ଓ ପରିଚିତଙ୍କୁ ଭିତରକୁ ଛାଡ଼ିଥିଲେ।

Leave a Reply

Your email address will not be published. Required fields are marked *