ଦେଶ- ବିଦେଶ

ଝିଅକୁ ପିତାଙ୍କ ବିରୋଧରେ କହିବାକୁ ଉସୁକାଇବା ଏକ ଅପରାଧ: ହାଇକୋର୍ଟ

ଭୋପାଳ: ଦାମ୍ପତ୍ୟ ଜୀବନରେ ଝିଅକୁ ପିତାଙ୍କ ବିରୋଧରେ କହିବାକୁ ଉସୁକାଇବା ଏକ ଅପରାଧ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଏକ ମାମଲାର ବିଚାର ସମୟରେ କହିଛନ୍ତି। ସ୍ତ୍ରୀଙ୍କ ଏଭଳି କାର୍ଯ୍ୟ ସ୍ବାମୀଙ୍କ ପ୍ରତି କ୍ରୁରତା ବର୍ଗରେ ଆସୁଛି ବୋଲି ବିଚାରପତି ଶିଲ ନାଗୁ ଏବଂ ବିନୟ ସରାଫଙ୍କ ନେତୃତ୍ବରେ ଗଠିତ ଏକ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିବା ସହ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ମହିଳା ଜଣକ ସ୍ବାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବିଭିନ୍ନ ଅପରାଧିକ ମାମଲା ରୁଜୁ କରିଛନ୍ତି। ସେ ନିଜ ନାବାଳିକା ଝିଅକୁ ପିତାଙ୍କ ବିରୋଧରେ କହିବାକୁ ଉସୁକାଇଛନ୍ତି। ଏଭଳି କାର୍ଯ୍ୟ ଅପରାଧ ବର୍ଗରେ ଆସିବ।
ପରିବାର କୋର୍ଟ ଝିଅକୁ‌ ସ୍ବାମୀ ସାକ୍ଷାତ୍ କରି ପାରିବେ ବୋଲି ରାୟ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ସ୍ତ୍ରୀ ମାନି ନ ଥିଲେ। ସେ ସ୍ବାମୀଙ୍କୁ ଝିଅ ସହ ଭେଟିବାର ସୁଯୋଗ ପ୍ରଦାନ କରି ନ ଥିଲେ।

ଖଣ୍ଡପୀଠ ଦିଲ୍ଲୀ ଏବଂ କେରଳ ହାଇକୋର୍ଟଙ୍କ ବିଭିନ୍ନ ରାୟର ଉଦାହରଣ ପ୍ରଦାନ କରି ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିଛନ୍ତି।
ସ୍ତ୍ରୀ ପରିବାର କୋର୍ଟଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିଛନ୍ତି। ଏହା ସହିତ ନାବାଳିକା ଝିଅକୁ ପିତାଙ୍କ ବିରୋଧରେ କହିବା ଲାଗି ଉସୁକାଇଛନ୍ତି। ଯାହାକି ଏକ ଅପରାଧ ଏବଂ ସ୍ବାମୀଙ୍କ ପାଇଁ ମାନସିକ କ୍ରୁରତାର ଏକ ମୁଖ୍ୟ କାରଣ ।

ସ୍ବାମୀଙ୍କ ବିରୋଧରେ ସ୍ତ୍ରୀଙ୍କ ଏଭଳି ଆଚରଣକୁ ଅଣଦେଖା କରାଯାଇ ପାରିବ ନାହିଁ। ପାରିବାରିକ ଜୀବନରେ ଏଭଳି ଅଶାନ୍ତି ବାତାବରଣ ଠିକ୍ ନୁହେଁ। ‌ତେଣୁ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରାଯାଇଥିବା କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *