ଦେଶ- ବିଦେଶ

ଭୂକମ୍ପର ୨୭୮ ଘଣ୍ଟା ପରେ ଭଗ୍ନାବଶେଷ ତଳୁ ୪୫ବର୍ଷର ବ୍ୟକ୍ତି ଜୀବିତ ଉଦ୍ଧାର

ନୂଆଦିଲ୍ଲୀ: ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିୟାରେ ୪୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଭୂକମ୍ପ ତୁର୍କୀର ୧୧ ପ୍ରଦେଶକୁ ଦୋହଲାଇ ଦେଇଛି। ଏହି କ୍ରମରେ ଭୂକମ୍ପକୁ ଫେବ୍ରୁଆରି ୧୮ ତାରିଖକୁ ୧୨ଦିନ ବିତିଛି। ଏହାରି ଭିତରେ ଭୂକମ୍ପର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କ ପାଇଁ ଦେବଦୂତ ସାଜି ଉଦ୍ଧାରକାରୀ ଦଳ ପହଞ୍ଚୁଛନ୍ତି। ଆଉ ଭଗ୍ନାବଶେଷ ତଳୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ‌ରେ ଭର୍ତ୍ତି କରାଯାଉଛି।

ଭଗ୍ନାବଶେଷ ତଳୁ ଲୋକଙ୍କୁ ଭୂକମ୍ପର ଦିନଠାରୁ ଏଯାବତ ଉଦ୍ଧାର କରାଯିବା ପ୍ରକ୍ରିୟା ଉଦ୍ଧାରକାରୀ ଦଳ ଜାରି ରଖିଛନ୍ତି।  ତୁର୍କୀ ଏବଂ ସିରିୟାରେ ହୋଇଥିବା ଭୟାବହ ଭୂକମ୍ପକୁ ୧୨ଦିନ ବିତିଥିବା ବେଳେ ଭଗ୍ନାବ‌‌‌ଶେଷ ତଳୁ ସୌଭାଗ୍ୟବଶତଃ ଜଣେ ୪୫ବର୍ଷର ବ୍ୟକ୍ତିଙ୍କୁ ଜୀବିତ ଭାବେ  ଉଦ୍ଧାର କରାଯାଇଛି। ଏହା କୌଣସି  ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି।

ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଉକ୍ତ ବ୍ୟକ୍ତିଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଦଳ ଷ୍ଟ୍ରେଚର ସାହାଯ୍ୟରେ ଆମ୍ବୁଲାନ୍ସ ନିକଟକୁ ନେଇ ଯାଉଥିବା ଦେଖିବାକୁ ମିଳୁଛି।

ଗତ ଶୁକ୍ରବାର ଦିନ ବି ଭଗ୍ନାବଶେଷ ତଳୁ ଜଣେ ୧୪ ବର୍ଷୀୟ ବାଳକ ଏବଂ ଅନ୍ୟ ୨ ଜଣ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ଭୂକମ୍ପର ୨୬୦ ଘଣ୍ଟା ପରେ ୧୪ ବର୍ଷୀୟ ଓସ୍‌ମାନଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ହତୟ ପ୍ରଦେଶର ଅନ୍ତକ୍ୟାରେ ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି।

ଭଗ୍ନାବଶେଷ ତଳୁ ଓସ୍‌ମାନଙ୍କ ସ୍ବର ଶୁଣିବାପରେ ଉଦ୍ଧାରକାଳୀ ଦଳ ତାଙ୍କୁ ଉଦ୍ଧାର କରିଥିଲେ। ଏହାର ଘଣ୍ଟାଏ ପରେ ଉଦ୍ଧାରକାରୀ ଦଳ ଅନ୍ତକ୍ୟାରେ ଜଣେ ୨୬ ବର୍ଷୀୟ ଯୁବକ ଏବଂ ଜଣେ ୩୩ ବର୍ଷୀୟ ଯୁବକଙ୍କୁ ଉଦ୍ଧାର କରିଥିଲେ। ଜଣଙ୍କ ନାମ ମେହମେତ ଅଲି ସକିରୋଗ୍ଲୁ (୨୬) ଏବଂ ଅନ୍ୟ ଜଣଙ୍କ ନାମ ମୁସ୍ତାଫା ଅବକି।

Leave a Reply

Your email address will not be published. Required fields are marked *