ବାଣିଜ୍ୟ

ଅଧିକ ଚାହିଦାରେ ୩୦-୫୦ ହଜାର ଟଙ୍କିଆ ଫୋନ୍

ଭୁବନେଶ୍ବର: ଲୋକମାନଙ୍କ ସ୍ମାର୍ଟଫୋନ୍ କିଣିବା ଧାରାରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି। ସେମାନେ ପ୍ରିମିୟମ୍ ଫୋନ୍ କିଣିବା ଆଡ଼କୁ ଢଳିଛନ୍ତି। ସେଥିପାଇଁ ଦେଶରେ ୩୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାମୀ ଫୋନ୍‌ର ଚାହିଦା ଅଧିକ ରହିଛି। ମଧ୍ୟମ-ପ୍ରିମିୟମ୍ ବର୍ଗ ଭାବେ ପରିଚିତ ଏହି ବଜାର ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଗତବର୍ଷ ଏହି ବଜାର ୬୫ ପ୍ରତିଶତ ହାରରେ ଆଗକୁ ବଢ଼ିଥିବା ବେଳେ ଚଳିତ ବର୍ଷ ୪୪ ପ୍ରତିଶତ ବୃଦ୍ଧି ହାସଲ କରିଛି ବୋଲି ସାମସଙ୍ଗ୍‌ ଇଣ୍ଡିଆର ନିର୍ଦ୍ଦେଶକ (ଏମ୍‌ଏକ୍ସ ବିଜନେସ୍‌) ଋଷି କୁଳଶ୍ରେଷ୍ଠ କହିଛନ୍ତି। ଭୁବନେଶ୍ବରରେ କମ୍ପାନିର ଦୁଇ ସ୍ମାର୍ଟଫୋନ୍ ଗାଲାକ୍ସି ଏ୫୫ ୫ଜି ଓ ଗାଲାକ୍ସି ଏ୩୫ ୫ଜିକୁ ଉନ୍ମୋଚନ କରି ସେ କହିଛନ୍ତି ଯେ ଏହି ଦୁଇ ଫୋନ୍ ଜରିଆରେ ଆମେ ମଧ୍ୟମ ପ୍ରିମିୟମ୍ ବର୍ଗରେ ଆମ ସ୍ଥିତିକୁ ଅଧିକ ସୁଦୃଢ଼ କରିବାକୁ ଚାହୁଛୁ। ଆମେ ଏହି ବଜାରରେ ଅଗ୍ରଣୀ ସ୍ଥାନରେ ରହିଛୁ।ସ୍ମାର୍ଟଫୋନ୍ ବ୍ୟବସାୟର ଭବିଷ୍ୟତ ସମ୍ଭାବନା ସମ୍ପର୍କରେ ସେ କହିଛନ୍ତି ଯେ ଚଳିତ ବର୍ଷ ୧୫ ହଜାର ଟଙ୍କାରୁ କମ୍ ମୂଲ୍ୟର ଫୋନ୍‌ରେ ନାମକୁ ମାତ୍ର ବୃଦ୍ଧି ଘଟିବ। ୧୫-୩୦ ହଜାର ଟଙ୍କା ଭିତରେ ଥିବା ଫୋନ୍‌ ବିକ୍ରି ସ୍ଥିର ରହିବ କିମ୍ବା ସେଥିରେ ହ୍ରାସ ଘଟିବା ଆଶଙ୍କା ରହିଛି। ୩୦-୫୦ ହଜାର ଟଙ୍କା ବର୍ଗ ୪୪ ପ୍ରତିଶତ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ିବ। ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଫୋନ୍‌ ବିକ୍ରିରେ ୮-୧୦ ପ୍ରତିଶତ ବୃଦ୍ଧି ହେବ ବୋଲି ସେ କହିଛନ୍ତି। ସାମସଙ୍ଗ୍‌ ଆଣିଥିବା ଗାଲାକ୍ସି ଏ୫୫ ୫ଜିରେ ମେଟାଲ୍ ଫ୍ରେମ୍‌ ଥିବା ଏ୩୫ ୫ଜିର ପଛ ପାର୍ଶ୍ବରେ ପ୍ରିମିୟ୍ ଗ୍ଲାସ୍‌ ରହିଛି। ଫୋନ୍‌ରେ ୬.୬ ଇଞ୍ଚ ଏଫ୍‌ଏଚ୍‌ଡି+ ସୁପର ଆମୋଏଲ୍‌ଇଡି ଡିସ୍‌ପ୍ଲେ, କର୍ଣ୍ଣିଂ ଗୋରିଲା ଗ୍ଲାସ୍‌ ଭିକ୍ଟସ୍‌+, ୫୦ ଏମ୍‌ପି କ୍ୟାମେରା, ଏଆଇ ପ୍ରୋସେସିଂ ବ୍ୟବସ୍ଥା, ନକ୍ସ ଭଲ୍‌ଟ ନିରାପତ୍ତା ବ୍ୟବସ୍ଥା, ଇକ୍ସିନକ୍ସ ୧୪୮୦ ପ୍ରୋସେସର ଏବଂ ଏ୫୫ ୫ଜିରେ ୧୨ ଜିବି ରାମ୍ ରହିଛି। ଗାଲାକ୍ସି ଏ୫୫ ୫ଜିର ଦାମ୍ ୩୬,୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଗାଲାକ୍ସି ଏ୩୫ ୫ଜିର ଦାମ୍ ୨୭,୯୯୯ ଟଙ୍କାରୁ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *