…….ବାପା……
କବିତା…
** କୃଷ୍ଣଚନ୍ଦ୍ର ପଣ୍ଡା
“ବାପା” ଶବ୍ଦରେ କି ଯାଦୁ ଅଛି ଯେ…
ସବୁ ସମ୍ବୋଧନ,ସମ୍ପର୍କ ଗୁମ୍ ହେଇଯାନ୍ତି
ନିସ୍ପନ୍ଦ,ଅଥର୍ବ ହୁଅନ୍ତି ଭାବନାର ଗ୍ରନ୍ଥି
ବାପାଙ୍କୁ ଭାବିଲେ ଦିଶିଯାଏ
ଲୁହ ଝରେଇ ନ ଥିବା ଦୀପ୍ତିମନ୍ତ ଆଖି
ଦାମ୍ଭିଲା ଛାତି,ଖୁସମିଜାଜୀ ମନ
ଘର ଓ ବାହାର ସମ୍ଭାଳୁଥିବା
ଏକ ବିସ୍ଫାରିତ ପଞ୍ଝାର ତାକତ ଆଉ
ପୁଞ୍ଜାପୁଞ୍ଜା ସମସ୍ୟାକୁ ସାମ୍ନା କରିବାର
ଦୃଢତା ଓ ଦକ୍ଷତା
ପିଲାଙ୍କୁ ଅଭୟମୁଦ୍ରା ଦେଖେଇ
ଭଲମଣିଷଟେ ଗଢିତୋଳିବାର ସଶ୍ରଦ୍ଧ ବାପପଣିଆର ଝଲକ
ବାରି ହେଇପଡେ କର୍ତ୍ତବ୍ୟନିଷ୍ଠାରୁ…
ନିଜେ ସାଙ୍କୁଡ଼ି ଯାଉଥିଲେ ବି
ସଂସାର ଚୌହଦୀରେ ଘଣାପେଲୁଥାଏ ଅଣନିଶ୍ୱାସୀ ହୋଇ,
ଦୁର୍ବଳକାନ୍ଧ,ଅସଳଖ ଅଣ୍ଟାକୁ ନେଇ
ବୋହିଚାଲୁଥାଏ ଅସହିଷ୍ଣୁ ଭାର
ଖାସ ଆମପାଇଁ,କିଛି କୃତଘ୍ନଙ୍କ ପାଇଁ
ସେ ତେଜସ୍ବୀଭାସ୍କର,ଉତ୍ତୁଙ୍ଗ ଶିଖର
ମୋ ଦ୍ଵିତୀୟ ଈଶ୍ୱର…
ସେ ପାଦେ ମୋ ଭକ୍ତି ନୈବେଦ୍ୟ
ଅୟୁତ ଜୁହାର…
କଥାରେ କହନ୍ତି ପରା
ବାପ ଥିଲା ପୁଅ ସଭାରେ ହାରେନି
ତାହା ହିଁ ମୋ ପରିଚୟ …
ତାଙ୍କପାଇଁ ଏ ଅସ୍ତିତ୍ବ,ବ୍ୟକ୍ତିତ୍ବ,ମହତ୍ତ୍ୱ
ସିଏ ମୋ ପୂଜା,ଜୀବନର ଧ୍ବଜା
ତାଙ୍କବିନା ଶୂନ୍ୟ ଏ ଜୀବନ,ମୂଲ୍ୟହୀନ
ସବୁସୁଖ ଶୁଖି ହୁଏ ଚୋପା
ସେ ଜପ,ତପ,ଜୀବନପ୍ରଦୀପ
ମୋ ବାପା …
— ଭୁବନେଶ୍ୱର , ଓଡ଼ିଶା
୦