ଅପରାଧ

ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ନୋଟିସ

କଟକ,:- ଚିଟ୍‌ଫଣ୍ଡ ମାମଲାରେ ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ହାଇକୋର୍ଟ ଗୁରୁବାର ନୋଟିସ୍‌ ଜାରି କରିଛନ୍ତି। ଦୁର୍ନୀତି ନିବାରଣ ଆଇନ୍‌ରୁ ହାଁସଦାଙ୍କୁ ଦୋଷମୁକ୍ତ କରାଯିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସିବିଆଇ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ହାଇକୋର୍ଟ ଉକ୍ତ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ମୟୂରଭଞ୍ଜର ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦାଙ୍କୁ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ୨୦୧୪ରେ ଗିରଫ କରିଥିଲା। ସେ ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଚିଟ୍‌ଫଣ୍ଡ ସଂସ୍ଥା ସହ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିଲେ। ସେତେବେଳେ ନବଦିଗନ୍ତର ସିଏମ୍‌ଡି ଅଞ୍ଜନ ବଳିୟାରସିଂ, ପ୍ରତିଷ୍ଠାତା ପ୍ରଦୀପ କୁମାର ଓ କେନ୍ଦୁଝରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ମଧ୍ୟ ଗିରଫ ହୋଇଥିଲେ।

ହାଁସଦା ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଥିବାବେଳେ ଗୋଟିଏ ଦିନ ସଂସଦରେ ଯୋଗଦେବା ନିମନ୍ତେ ଅନୁମତି ଦେବାକୁ ୨୦୧୫ରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ। କାରଣ ଲଗାତର ୬୦ ଦିନ ସଂସଦରେ ଅନୁପସ୍ଥିତ ରହିଲେ ସଭ୍ୟ ପଦ ରଦ୍ଦ ହେବାର ଆଇନ ରହିଛି। ଏହି କାରଣରୁ ତାଙ୍କ ଆବେଦନକୁ ହାଇକୋର୍ଟ ଗ୍ରହଣ କରି ଅନୁମତି ଦେଇଥିଲେ। ହାଁସଦା ସିବିଆଇ ହେପାଜତରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ସଂସଦରେ ଗୋଟିଏ ଦିନ ଯୋଗ ଦେବା ପରେ ପୁଣି ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ପରବର୍ତ୍ତୀ ସମୟରେ ମାମଲାର ବିଚାର ପରେ ନିମ୍ନ କୋର୍ଟ ତାଙ୍କ ବିରୋଧରେ ଥିବା ଦୁର୍ନୀତି ଅଭିଯୋଗରୁ ହାଁସଦାଙ୍କୁ ଦୋଷମୁକ୍ତ କରିଥିଲେ। ଏହାକୁ ନେଇ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

Leave a Reply

Your email address will not be published. Required fields are marked *