ରାଜନୀତି

ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ:ବିଜେଡିରୁ ସୁଶାନ୍ତଙ୍କୁ ସଙ୍କେତ,ପ୍ରିୟଦର୍ଶୀ ଲୋକପ୍ରିୟତାଠୁ ବହୁତ ଦୂରରେ

ଭୁବନେଶ୍ୱର : ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ମଉଳିଯିବା ପରେ ଉତ୍ତର ଭୁବନେଶ୍ବର ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ତିନି ଦଳରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ ସବୁଠି ଆଲୋଚନା। ତାରିଖ ଘୋଷଣା ସରିଥିଲେ ମଧ୍ୟ କୌଣସି ଗୋଟିଏ ବି ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏମିତି ସମୟରେ ଗତକାଲି ନବୀନ ନିବାସରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ଭିନ୍ନ ଏକ ପରିସ୍ଥିତି ସୃଷ୍ଟି କରିଛି। ଚର୍ଚ୍ଚା ଚାଲିଛି ଯେ ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତ ପୁଣିଥରେ ଏଠାରୁ ଲଢ଼ିବେ। ଏ ନେଇ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇଛି। ସୁଶାନ୍ତଙ୍କ ସମର୍ଥକ ଉତ୍ସାହିତ। ଏପଟେ ବିଜେଡି ଟିକେଟ୍‌ ପାଇବାକୁ ଅନ୍ୟତମ ଆଶାୟୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପରଠାରୁ ଶ୍ରୀ ମିଶ୍ର କୌଣସି ବନ୍ଧୁମିଳନ କିମ୍ବା ସମାବେଶ କରୁ ନ ଥିଲେ। ଯଦି ବିଜେଡିରୁ ଟିକେଟ୍‌ ନ ପାଆନ୍ତି ତେବେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ନା ଅନ୍ୟ କୌଣସି ଦଳରେ ନିଜର ଭାଗ୍ୟ ପରୀକ୍ଷା କରାଇବେ, ସେ ନେଇ ଚିତ୍ର ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଶ୍ରୀ ମିଶ୍ର ଏଥର ନିର୍ବାଚନ ନିଶ୍ଚିନ୍ତ ଲଢ଼ିବେ। କିଭଳି ଲଢ଼ିବେ ‌ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ।କିଛି ଠିକାଦାର, ଓ ବାଲିମାଫିଆ ପ୍ରିୟଦର୍ଶୀଙ୍କ ସପକ୍ଷରେ ରହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଅର୍ଥ ଖର୍ଚ୍ଚ କରୁଛନ୍ତି l ପ୍ରିୟଦର୍ଶୀ ବିଗତ ସମୟରେ ବିଧାୟକ ଥିବା ସମୟରେ ପାଣ୍ଠି ବିକ୍ରି କରି ଠିକାଦାର ପୋଷୁଥିଲେ ଏବଂ ଭୋଟର ମାନଙ୍କ ଠାରୁ ବହୁତ ଦୂରତା ରଖୁଥିଲେ l ବିଜେଡି ରେ ରହି ଦଳୀୟ ଶୃଙ୍ଖଳା ଭାଙ୍ଗି ଅନ୍ତ୍ରଘାତି କାର୍ଯ୍ୟ କରୁଥିବାର ଖବର ସଭାପତି ଙ୍କ ନିକଟରେ ପହଂଚିଛି l କିଛି ସରକାରୀ ବିରୋଧୀ ସଂଗଠନ ରେ ସାମିଲ ହୋଇ ସେମାନଙ୍କୁ ସହଯୋଗ କରୁ ଥିବା ପ୍ରିୟଦର୍ଶୀ କୁ ବିଜେଡି ରୁ ବହିଷ୍କାର କରିବାକୁ କିଛି କର୍ମୀ ଦାବି କରୁଥିବାର ଚର୍ଚ୍ଚା ହେଉଛି l ରାଜନୀତିରୁ ମେଣ୍ଟ ଛାୟା ହଟିବା ପରେ ଉତ୍ତର ଭୁବନେଶ୍ବର କଂଗ୍ରେସ ଶିବିରରେ ମଧ୍ୟ ଉଷ୍ମତା ପରିଲକ୍ଷିତ ହୋଇଛି। ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ମୁଖପାତ୍ର କୃଷ୍ଣଚନ୍ଦ୍ର ପତି। ରାତି ପର୍ଯ୍ୟନ୍ତ ସେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ଯଥା କଳାଝରି, ଖଇରାପଡ଼ା, ଓସ୍ତପଡ଼ା, କଳାରାହାଙ୍ଗ, ରୋକଟ, ଇଞ୍ଜଣା ପ୍ରଭୃତି ଗାଁରେ ବୁଲିବା ସହ ଲୋକଙ୍କୁ ଭେଟିଛନ୍ତି। କଂଗ୍ରେସଠାରୁ ଦୂରେଇ ଯାଇଥିବା କର୍ମୀଙ୍କୁ ଫେରାଇ ଆଣିବା ଲାଗି କସରତ ଚଳାଇଛନ୍ତି। ନାରା ଦେଇଛନ୍ତି ଯେ ୨୦୨୪ ନିର୍ବାଚନରେ ‘କଂଗ୍ରେସ ଆସୁଛି’। ଅନ୍ୟତମ କଂଗ୍ରେସ ଟିକେଟ୍‌ ଆଶାୟୀ ଅଶୋକ ଦାସ ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଲୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ୨୦୦୯, ୨୦୧୪ ତୁଳନାରେ ୨୦୧୯ରେ ବିଜେପି ଭଲ ପ୍ରଦର୍ଶନ କରିଥିଲା। ପ୍ରତିଥର ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବିଜେପିରୁ ଏଥର କିଏ ପ୍ରାର୍ଥୀ ହେବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। କାରଣ ଏଥର ବି ଟିକେଟ୍‌ ଦୌଡ଼ରେ ୨୦୧୪ର ବିଜେପି ପ୍ରାର୍ଥୀ ଦିଲ୍ଲୀପ ମହାନ୍ତି ଓ ବିଜେପି ନେତା ଯୁଗାଂଶୁ ଶେଖର ପଣ୍ଡା ଅଛନ୍ତି। ଯୁଗାଂଶୁଙ୍କ ପଛରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ରହିଥିବା ବେଳେ ଦିଲ୍ଲୀପଙ୍କ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ଥିବା କୁହାଯାଉଛି। ଏ ଦୁଇଜଣଙ୍କ ବ୍ୟତୀତ ପ୍ରିୟଦର୍ଶୀ ମିଶ୍ରଙ୍କୁ ଯଦି ବିଜେଡି ଟିକେଟ୍ ନ ଦିଏ ତା’ହେଲେ ସେ ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଗୋଟିଏ ମହଲରେ ଆଲୋଚନା ହେଉଛି।ପ୍ରିୟଦର୍ଶୀ ବିଜେପି ରେ ମିଶିବାକୁ ଭିତିରିଆ ଲବି କରୁଥିବା ଜଣା ପଡିଛି

Leave a Reply

Your email address will not be published. Required fields are marked *