ମୁଖ୍ୟ ଖବର

ନିଲାମ ହେଲା ରାଜ୍ୟର ୨ ଖଣି: ୨,୨୫୦ କୋଟି ପୁଞ୍ଜିନିବେଶ ସମ୍ଭାବନା

ନୂଆଦିଲ୍ଲୀ: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ କରାଯାଇଛି। ଗତ ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଇ-ନିଲାମୀର ଅଷ୍ଟମ ଦିନରେ ଏହି ଖଣି ଦୁଇଟି ନିଲାମ ହୋଇଛି । ଏଥିମଧ୍ୟରୁ ଗୋଟିଏ ସିଏମଏସପି କୋଇଲା ଖଣି ହୋଇଥିବା ବେଳେ ଆଉ ଗୋଟିଏ ଏମଏମଡିଆର କୋଇଲା ଖଣି।

୫୦୦ ନିୟୁତ ଟନ୍ ଖଣିଜ ସମ୍ପଦ ଗଚ୍ଛିତ ଥିବା ସାକ୍ଷୀଗୋପାଳ ବି କାଙ୍କିଲି କୋଇଲା ଖଣିକୁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ ନିଲାମ ନେଇଛି । ଏହା ବ୍ୟତୀତ ଗୁଜରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ ୧,୧୫୨.୧୧ ନିୟୁତ ଟନ ଖଣିଜ ସମ୍ପଦ ଗଚ୍ଛିତ ଥିବା ବୈତରଣୀ ‘ୱେଷ୍ଟ’ ଖଣିରୁ ଉତ୍ତୋଳନ ଅଧିକାର ହାସଲ କରିଛି ।

ଦୁଇଟି ଖଣିରେ ମୋଟ ୧୬୫୨ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ବେଳେ ବୈତରଣୀ ୱେଷ୍ଟ ଖଣିର ବାର୍ଷିକ ଉତ୍ତୋଳନ କ୍ଷମତା ୧୫ ନିୟୁତ ଟନ୍ । ଏହି ଦୁଇଟି କୋଇଲା କାର୍ଯ୍ୟକ୍ଷମ ହେଲେ ୨,୨୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ସମ୍ଭାବନା ରହିଛି । ସେହିପରି ଏହା ଦ୍ବାରା ୨୦ ହଜାର ୨୮୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଅନ୍ୟପଟେ ବାର୍ଷିକ ୨ ହଜାର ୮୭୩ କୋଟି ଟଙ୍କାର ରାଜସ୍ବ ଆୟ ହେବାର ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୩ ନଭେମ୍ବର ୨୦୨୨ ଠାରୁ ବାଣିଜ୍ୟିକ ଖନନ ପାଇଁ ଷଷ୍ଠ ପର୍ଯ୍ୟାୟ ଏବଂ ପଞ୍ଚମ ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସ ଅଧୀନରେ କୋଇଲା ଖଣିଗୁଡ଼ିକର ନିଲାମୀ ଆରମ୍ଭ କରାଯାଇଥିଲା। ଏହି ନିଲାମୀ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଖଣିର ନିଲାମୀ ସମ୍ପନ୍ନ ହୋଇଛି ।

Leave a Reply

Your email address will not be published. Required fields are marked *