ମୁଖ୍ୟ ଖବର

ମେଣ୍ଟ ରାଜନୀତି ଫେଲ ମାରିବା ବିଜେଡିକୁ ଶକ୍ତ ଧକ୍କା

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟରେ ୧୮ଜଣ ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି କରି ବିଜେପି ଓଡ଼ିଶାରେ ଏକ ବଡ଼ ଲଢ଼େଇ ପାଇଁ ସଜବାଜ ହେଉଥିବାର ସ୍ପଷ୍ଟ ସଙ୍କେତ ଦେଇଛି। ବିଜେପି ନିଜର ଏହି ହେଭିୱେଟ୍ ନେତାମାନଙ୍କୁ ଲୋକସଭା ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଏବେ ଶାସକ ବିଜେଡିର ମୁଣ୍ଡବ୍ୟଥା ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ଲୋକସଭା ମଇଦାନକୁ ଓହ୍ଲାଇଥିବା ବିଜେପିର ହେଭିୱେଟ୍ ନେତାମାନଙ୍କୁ ଟକ୍କର ଦେବା ପାଇଁ ବିଜେଡି ପାଖରେ ଏବେ ଯୋଗ୍ୟ ପ୍ରାର୍ଥୀଙ୍କ ମରୁଡ଼ି ଦେଖାଦେଇଛି। ବିଶେଷକରି ରାଜ୍ୟତମାମ ଦଳୀୟ ସଂଗଠନରେ ଲାଗି ରହିଥିବା ତୀବ୍ର ଅସନ୍ତୋଷ, ଗୋଷ୍ଠୀକନ୍ଦଳ ଓ ସମାନ୍ତରାଳ ସଂଗଠନ ଯୋଗୁ ବିଜେଡିକୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିବା ଜଣାପଡ଼ିଛି।

ବିଜେପି ସହ ନିର୍ବାଚନୀ ମେଂଟ କରି ବିଜେଡି ନିଜର ଏହି ସାଂଗଠନିକ ଅସନ୍ତୋଷ ଓ ଛକାପଞ୍ଝାକୁ ଚାପି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା,ମାତ୍ର ଶେଷମୁହୂର୍ତ୍ତରେ ମେଂଟ ଫେଲ୍ ମାରିବାରୁ ବିଜେଡି ରଣନୀତିକାରଙ୍କ ସବୁ ଅଙ୍କ ଏପଟସେପଟ ହୋଇଯାଇଛି। କଟକରୁ କୋରାପୁଟ, ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ସମ୍ବଲପୁର ସବୁଠି ବିଜେଡି ସଂଗଠନର ପୁଞ୍ଜିଭୂତ ଅସନ୍ତୋଷ ଏବେ ବାରୁଦଗଦା ଭଳି ହୋଇଛି। ଖାସ୍ ଏହି କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ପିତା ବିଜୁ ପଟ୍ଟନାୟକଙ୍କ ୧୯୯୫ ମସିହା ନିର୍ବାଚନୀ ଫଳାଫଳ ଦଶା ଭୋଗିବାକୁ ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁସାରେ, ମେଂଟ ଆଲୋଚନା ଫେଲ୍ ମାରିବା ପରେ ବିଜେଡି ରଣନୀତିକାରଙ୍କୁ ଶକ୍ତ ଧକ୍କା ଲାଗିଛି। ଆଉ ସେମାନଙ୍କର ସବୁ ଅଙ୍କ ଏପଟସେପଟ ହୋଇଯାଇଛି। ଆଗୁଆ ନିର୍ବାଚନ କଥା କହି ୨୦୨୩ ରଥଯାତ୍ରା ବେଳଠୁ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିବା ବିଜେଡି ଏବେ ବିକଟାଳ ସାଂଗଠନିକ ସ୍ଥିତି ଓ ଦଳୀୟ ଅନ୍ତଃକନ୍ଦଳକୁ ନେଇ ବ୍ୟାକଫୁଟରେ। ଦୀର୍ଘଦିନ ଧରି ସଂଗଠନରେ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶମିତ କରିବା ପାଇଁ କିମ୍ବା ଅସନ୍ତୁଷ୍ଟ ନେତା-କର୍ମୀଙ୍କୁ ବୁଝାଇବା ଦିଗରେ ଦଳ କୌଣସି ଆଖିଦୃଶିଆ କାର୍ଯ୍ୟ କରିନି। ଯେଉଁଥିପାଇଁ ଏବେ ଦଳର ସାଂଗଠନିକ ଅସନ୍ତୋଷ ଏକ ବାରୁଦଗଦା ଭଳି ହୋଇଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ୍ତରାଳ ସଂଗଠନ ଓ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ବିଜେଡି ଏବେ ଭାଗଭାଗ ହୋଇ ରହିଛି।

ବିଜେପି କାନ୍ଧରେ ଲାଉ ହୋଇ ବିଜେଡି ଚଳିତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଥିଲା। ଗତ ଅକ୍ଟୋବର ମାସରୁ ବିଜେଡି ନେତୃତ୍ୱ ରାଜ୍ୟରେ ବିଜେପି ସହ ମେଂଟକୁ ନେଇ ଆଶାବାଦୀ ଥିଲେ। ମାତ୍ର ତାହା ଶେଷମୁହୂର୍ତ୍ତରେ ଫେଲ୍ ମାରିଲା। ଯେଉଁଥିପାଇଁ ଏବେ ବିଜେଡି ନିଜର ଏହି ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଥିବା ଉଗ୍ର କନ୍ଦଳ ଓ ଅସନ୍ତୋଷକୁ ଦୂର କରିବାର କିଛି ବି ଫର୍ମୂଲା ପାଉନଥିବା ଜଣାପଡ଼ିଛି। ଯଦିଓ ଇତିମଧ୍ୟରେ ବିଜେଡି ୧୭ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକର ନେତାମାନଙ୍କୁ ନବୀନ ନିବାସ ଡାକି ସମୀକ୍ଷା କରିଛି। ମାତ୍ର ତାହା କେବଳ ଧର୍ମକୁ ଆଖିଠାର ସଦୃଶ।

Leave a Reply

Your email address will not be published. Required fields are marked *