ମୁଖ୍ୟ ଖବର

ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିଲେ; ଭିନ୍ନଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ିଗଲେ ୩ ନାବାଳକ

ଜଗତସିଂହପୁର/ବାଲେଶ୍ୱର /କଟକ : ରଂଗର ପର୍ବ ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଜଗତସିଂହପୁର ଜିଲ୍ଲା ପାରାଦୀପ, ବାଲେଶ୍ବର ଜିଲ୍ଲା ସୋର ଓ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ହୋଲି ଖେଳି ସାରି ଗାଧୋଇବାକୁ ଯାଇଥିବା ୩ ଜଣ ନାବାଳକ ପୋଖରୀରେ ବୁଡ଼ି ଯାଇଛନ୍ତି। ମୃତକମାନେ ହେଲେ ରାଜକିଶୋର ରାଉତ (୧୨), ଆୟୁଷ ପାତ୍ର (୧୦) ଓ  ଆଶିଷ କୁମାର ଦାସ(୧୭)।ପାରାଦୀପ ଉପକଣ୍ଠ କତକୁଲା ଗ୍ରାମର ଜୟନ୍ତ ଶର୍କରାଙ୍କ ପୁଅ ରାଜକିଶୋର ରାଉତ ଆଜି ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରି ପୋଖରୀକୁ ଗାଧୋଇବାକୁ ଯାଇଥିଲା। ସେଠାରେ ତାର ଗୋଡ଼ ଖସିଯିବାରୁ ସେ ପୋଖରୀର ଗଭୀର ପାଣି ଭିତରେ ବୁଡ଼ିଯାଇଥିଲା। ଅନେକ ଚେଷ୍ଟା ପରେ ମଧ୍ୟ ତାକୁ ପାଖରେ ଥିବା ସାଙ୍ଗସାଥୀ ଉଦ୍ଧାର କରି ପାରି ନଥିବାରୁ ତାର ମୃତ୍ୟୁ ଘଟିଥିଲା।

ଅନ୍ୟ ଏକ ଘଟଣା ସୋର ପୌରାଞ୍ଚଳ ମଧୁସୂଦନପୁର ଗ୍ରାମରେ ଘଟିଥିଲା। ସୋର ଥାନା ଦହିସଡ଼ା ଗ୍ରାମର ମାନସ ପାତ୍ରଙ୍କ ଏକମାତ୍ର ପୁଅ ଆୟୁଷ ସାଙ୍ଗମାନଙ୍କ ସହ ରଙ୍ଗ ଖେଳି ସାରିବା ପରେ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଯାଇଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ସେହିପରି ସାଲେପୁର କଲେଜରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ଛାତ୍ର ଆଶିଷ କୁମାର ଦାସ ପୋଖରୀରେ ଗୋଡ଼ ଖସିଯିବାରୁ ବୁଡି ଯାଇଥିଲେ। ସାଲେପୁର ଥାନା ଅଧିନସ୍ତ ଛାଣିପୁର ଗ୍ରାମର ସରୋଜ କୁମାର ଦାସଙ୍କ ପୁଅ ଆଶିଷ କୁମାର ଦାସ ସାଙ୍ଗ ମାନଙ୍କ ସହ ହୋଲି ଖେଳିସାରି ପାଖ ଗାଁ କରମୁଆଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗୋଡ଼ ଖସି ଯାଇଥିଲା ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇକି ଆସିଥିଲେ। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୁଲିସ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *