ରାଜନୀତି

ବିଜେପି ଘୋଷଣା କଲା ଷଷ୍ଠ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ମଙ୍ଗଳବାର ନିଜର ପ୍ରାର୍ଥୀଙ୍କ ଷଷ୍ଠ ତାଲିକା ପ୍ରକାଶ କରିଛି। ବିଜେପିର ଏହି ପ୍ରାର୍ଥୀ ତାଲିକାରେ ତିନି ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ପ୍ରାର୍ଥୀ ତାଲିକାରେ କାରୋଲିରୁ ଇନ୍ଦୁ ଦେବୀ ଜାଟବଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଦୋଉସାରୁ କହ୍ନେୟାଲାଲ ମୀନାଙ୍କୁ ବିଜେପି ଟିକେଟ ଦେଇଛି। ସେହିପରି ବିଜେପି ମଣିପୁର ଆସନରୁ ବସନ୍ତ କୁମାର ସିଂଙ୍କୁ ଟିକେଟ୍ ଦେଇଛି । ଉଲ୍ଲେଖ ଥାଉ କି ଏହାପୂର୍ବରୁ ମାର୍ଚ୍ଚ ୨୪ରେ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ପ୍ରାର୍ଥୀଙ୍କ ଏହି ତାଲିକାରେ ଉତ୍ତରପ୍ରଦେଶ-ବିହାର ସମେତ ଅନେକ ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ରହିଥିଲା।ଏହି ପ୍ରାର୍ଥୀ ତାଲିକାରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ହିମାଚଳ ପ୍ରଦେଶର ମାଣ୍ଡି ଆସନରୁ ପ୍ରାର୍ଥୀ କରିଥିଲା ବିଜେପି। ଏଥି ସହ ଉତ୍ତରପ୍ରଦେଶର ପିଲିଭିତ ଲୋକସଭା ଆସନରୁ ବରୁଣ ଗାନ୍ଧୀଙ୍କ ଟିକେଟ୍ କାଟି ସମସ୍ତଙ୍କୁ ବିଜେପି ଆଶ୍ଚର୍ଯ୍ୟ କରିଦେଇଥିଲା । ବରୁଣ ଗାନ୍ଧୀଙ୍କ ସ୍ଥାନରେ ଜିତିନ ପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହା ବ୍ୟତୀତ ପୂର୍ବତନ କଂଗ୍ରେସ ନେତା ନବୀନ ଜିନ୍ଦଲଙ୍କୁ ହରିୟାଣାର କୁରୁକ୍ଷେତ୍ର ଆସନରୁ ପ୍ରାର୍ଥୀ କରାଯାଇଥିଲା । ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବିଜେପି ଉତ୍ତରପ୍ରଦେଶର ୬୪ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାର୍ଚ୍ଚ ୨୪ରେ ବିଜେପି ଦ୍ୱାରା ପ୍ରକାଶିତ ୧୧୧ ପ୍ରାର୍ଥୀଙ୍କ ତାଲିକା ପରେ ଦଳ ୪୦୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏଥି ସହିତ, ଆଜି ପ୍ରକାଶିତ ତାଲିକା ପରେ ଏହି ସଂଖ୍ୟା ୪୦୫ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *