ରାଜନୀତି

ବିଜେପିରେ ସାମିଲ ହେଲେ ଅଭିନେତା ଆକାଶ ଦାସ ନାୟକ

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେବାର ଦିନକ ପରେ ବିଜେପିରେ ସାମିଲ ହେଲେ ଜଣାଶୁଣା ଓଡିଆ ଅଭିନେତା ତଥା ପୂର୍ବତନ କୋରେଇ ବିଧାୟକ ଆକାଶ ଦାସ ନାୟକ । ଗତକାଲି BJDରୁ ଇସ୍ତଫା ଦେଇଥିବା ଆକାଶ ଆଜି (ରବିବାର) ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ଅଭିନୟରୁ ରାଜନୀତିକୁ ଆସିଥିବା ଆକାଶ 2014ରେ ବିଜେଡି ଟିକେଟରେ ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 2019ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ରାଜ୍ୟ ସରକାରଙ୍କ ‘ମୋ କଲେଜ’ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ବ ମିଳିଥିଲା । ତେବେ ଚଳିତଥର ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କୁ ବିଜେପି ଟିକେଟରେ ବିଧାନସଭା ନିର୍ବାଚନୀ ମୈଦାନରେ ଦେଖିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ବିଜେପି ଏପର୍ଯ୍ୟନ୍ତ ବିଧାୟକ ପ୍ରାର୍ଥୀ ଘୋଷଣା କରିନି ।

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱର ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ । ଏହି ଅବସରରେ ଆକାଶ ଦାସ ନାୟକ ନିଜର ଅଭିଭାଷଣରେ କହିଛନ୍ତି, “ମୋ କୋରେଇ ମାଟିର ସଂଗ୍ରାମୀ ସାଥୀ । ଓଡ଼ିଶାର ସାମଗ୍ରିକ ବିକାଶ, କୋରେଇ ମାଟିର ଅଧୁରା ସ୍ବପ୍ନ ପୂରଣ ପାଇଁ ଆସିଛି । ମୁଁ ଆତ୍ମ ସମ୍ମାନକୁ ଦଳି ଦେବା ଅପେକ୍ଷା ଓଡ଼ିଆର ଅସ୍ମିତା ବଞ୍ଚାଇ ରଖିବା ପାଇଁ ଆଜି ବିଜେପିରେ ମିଶିଛି । ସ୍ବାଭିମାନ ପାଇଁ କୋରେଇ ମାଟିର ପୁଅ କଣ କରି ପାରିବ ତାହା ପ୍ରମାଣ କରିବି । ଲୋକଙ୍କ ଆଶୀର୍ବାଦ ଆମକୁ ଜିତାଇବ ।”

ସେପଟେ ମନମୋହନ ସାମଲ କହିଛନ୍ତି, “ଓଡ଼ିଆର ସାଧାରଣ ଲୋକଙ୍କର ଜୀବନ ପାଇଁ ତାଙ୍କ ସମ୍ମାନ ପାଇଁ ସମସ୍ତେ ସାମିଲ ହୋଇଛନ୍ତି । ବିଶ୍ଵର ସବୁଠାରୁ ବଡ ରାଜନୀତି ଦଳରେ ସାମିଲ ହୋଇଛନ୍ତି । ସମସ୍ତେ ମିଳିତ ଭାବେ ଲଢ଼ିବା । ବିଜେଡି ଓଡ଼ିଶା ମାଟିରୁ ହଟିବ । ବିଜେପି ସରକାର କରିବ । ୧୮ ଦିନ ବିଜେଡ଼ି କନଫ୍ୟୁଜ କରିଥିଲା । ବଦଳରେ ବୁମେରଙ୍ଗ ହୋଇଛି ବିଜେଡି ପାଇଁ । ନିଜେ ଗାତ ଖୋଳି ସେହି ଗାତରେ ନିଜେ ପଡ଼ିଲେ । ପରିବର୍ତ୍ତନର ଭାବନାକୁ ନଷ୍ଟ କରିବାକୁ ଅପଚେଷ୍ଟା ବିଜେଡିର ବିଫଳ ହୋଇଛି । କେନ୍ଦ୍ରର ପଇସା ଚୋରି ହେଉଥିଲା । ଯେଉଁଦିନ ବିଜେଡି ପତନ ହେବ ସେଇଦିନ ୪୦ ଲକ୍ଷ ଲୋକଙ୍କର ଚିଟଫଣ୍ଡ ଟଙ୍କାକୁ ଫେରାଯିବ । ଚାଷୀର ରୋଜଗାର ଦୁଇଗୁଣ ହେବ । ଜଳ ସେଚନ ୧୭ରୁ ୯୨ ଭାଗ ହେବ । ଆର୍ଥିକ ସ୍ଥିତି ବଢ଼ିଲେ ଓଡ଼ିଶା ଆଗକୁ ନେବ । ଶିଳ୍ପ କ୍ଷେତ୍ରରେ ଆଗକୁ ଯିବି । ଯୁବକଙ୍କୁ ଦାଦନ ଖଟିବେନି । ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ହେବ । ଆମେ ଓଡ଼ିଶାକୁ ଓଡ଼ିଶାର ଭଳିଆ ଦେଖିବାକୁ ଚାହୁଁଚୁ । ପ୍ରଧାନମନ୍ତ୍ରୀଙ୍କ ଟଙ୍କାକୁ ଲୋକଙ୍କ ପାଖରେ ପହଞ୍ଚିବ । ଲୋକଙ୍କ ସମସ୍ୟାର ସମାଧାନ ହେବ । ଓଡ଼ିଶାକୁ ଯେଉଁମାନେ ଲୁଟିବାକୁ ଆସିଛନ୍ତି ସେମାନେ ଜାଗା ଛାଡି ଯିବେ ।”

ଓଡିଆ ସିନେ ଜଗତର ଏହି ବେଶ ଜଣାଶୁଣା ଅଭିନେତା 2014ରେ ରାଜ୍ୟ ରାଜନୀତିରେ ବିଜେଡି ମାଧ୍ୟମରେ ପ୍ରବେଶ କରିଥିଲେ । ଯାଜପୁର କୋରେଇରୁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା । ସେ ନିଜ କ୍ୟାରିୟରର ପ୍ରଥମ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲେ । ହେଲେ 2019ରେ ତାଙ୍କୁ ଦଳ ଆଉ ଥରେ ସୁଯୋଗ ଦେଇନଥିଲା । ତାଙ୍କ ସ୍ଥାନରେ ଅଶୋକ ବଳଙ୍କୁ ଟିକେଟ ଦେଇଥିଲା ବିଜେଡି । ସେତେବେଳେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ପାଇନଥିବା ଆକାଶ ଦଳରେ ରହିଥିଲେ ଓ ପରବର୍ତ୍ତୀ ସମୟରେ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ । ମାତ୍ର ଚଳିତ ନିର୍ବାଚନ ପୂର୍ବରୁ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମର ମୂଲ୍ୟ ବୁଝିପାରି ନାହିଁ, ଯାହାକି ତାଙ୍କ ଅନ୍ତରଆତ୍ମାକୁ ବହୁତ ଆଘାତ କରିଛି ବୋଲି ସେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ଆଜି ଇସ୍ତଫା ଦେବାର ଦିନକ ପରେ ସେ ଆଜି ବିଧିବଦ୍ଧ ଭାବେ ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ଶଙ୍ଖ ଚିହ୍ନରେ ପ୍ରଥମ ନିର୍ବାଚନ ଲଢିଥିବା ଆକାଶ ଚଳିତଥର ଦ୍ବିତୀୟ ଥର ପାଇଁ ପଦ୍ମ ଚିହ୍ନରେ ନିର୍ବାଚନୀ ମୈଦାନରେ ନଜର ଆସିପାରନ୍ତି 

Leave a Reply

Your email address will not be published. Required fields are marked *