ଦେଶ- ବିଦେଶ

ଆସାମ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା: ଜଲପାଇଗୁଡିରେ ଏକାଧିକ ମୃତାହତ,

କୋଲକାତା/ଦିସପୁର: ଆଜି ଅପରାହ୍ନରେ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ ତାଣ୍ଡବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ପ୍ରବଳ ପବନ ସହ କୁଆପଥର ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଜଲପାଇଗୁଡି ଓ ଆଖପାଖ ଅଞ୍ଚଳରେ ପ୍ରାୟ 4ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଶତାଧିକ ଆହତ ହୋଇଛନ୍ତି । ବହୁସଂଖ୍ୟାରେ ଘର, ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ସମ୍ପର୍କରେ ପ୍ରାଥମିକ ଆକଳନ ପରେ ସ୍ପଷ୍ଟ ହେବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛିl ସେହିପରି ଆସାମର ଅନ୍ୟତମ ପ୍ରମୁଖ ସହର ଗୌହାଟୀ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଆଜି ଅପରାହ୍ନରେ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଫଳରେ ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଟର୍ମିନାଲ ବିଲ୍ଡିଂର ସେଡ ଭାଙ୍ଗି ପାଣି ପଶିଛି । ଫଳରେ ଯାତ୍ରୀସେବା ପ୍ରଭାବିତ ହୋଇଛି । ବିମାନ ବନ୍ଦରରେ ସାମୟିକ ଅଚଳାବସ୍ଥା ମଧ୍ୟ ଦେଖାଯାଇଛି । କିଛି ବିମାନର ଉଡାଣ ବିଳମ୍ବ ହେବା ସହ ଅବତରଣ କରିବାକୁ ଥିବା ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି । ସହରରେ ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଗଛ ଓ ବିଜୁଳି ଖୁଣ୍ଟି ମଧ୍ୟ ଉପୁଡି ପଡିଥିବା ଜଣାପଡିଛି । ସହରରେ ମୃତାହତଙ୍କ ସମ୍ପର୍କରେ କୌଣସି ତଥ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ସ୍ପଷ୍ଟ କରିନି ।ଗୌହାଟୀର ଲୋକପ୍ରିୟ ଗୋପନାଥ ବୋର୍ଦୋଲାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ଉତ୍ପଲ ବରୁଆ ଖବର ସରବରାହ ସଂସ୍ଥା ‘ଏଏନଆଇ’କୁ ଦେଇଥିବା ସୂଚନାରେ କହିଛନ୍ତି, 6ଟି ବିମାନକୁ ଅନ୍ୟତ୍ର ଡାଇଭର୍ଟ କରିବାକୁ ପଡିଛି । ଅପରାହ୍ନରେ ଅବତରଣ କରିବା ସୂଚୀରେ ଥିବା 6ଟି ବିମାନକୁ ନିକଟବର୍ତ୍ତୀ ଅଗରତାଲା ଓ କୋଲକାତା ବିମାନ ବନ୍ଦରକୁ ଡାଇଭର୍ଟ କରାଯାଇଛି । ରୁଫ ସିଲିଂରେ ସମସ୍ୟା କାରଣରୁ ଟର୍ମିନାଲ ବିଲ୍ଡିଂରେ ପାଣି ପଶିଛି । ବିମାନ ବନ୍ଦରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ମଧ୍ଯରେ ଏକ ବଡ ଗଛ ଭାଙ୍ଗି ପଡିବାରୁ ଯାତାୟତ ବିଚ୍ଛିନ୍ନ ହୋଇଛି । ପୁନରଦ୍ଧାର କାର୍ଯ୍ୟ ଜାରି ରହିଛି । ଖୁବଶୀଘ୍ର ସବୁ କିଛି ସ୍ବାଭାବିକ କରିବାକୁ ଅପରେସନ ଜାରି ରହିଛି ।

Leave a Reply

Your email address will not be published. Required fields are marked *