ରାଜନୀତି

ବିଜେଡି ଛାଡ଼ିଲେଣି ଦୁଇ ବିଧାୟକଙ୍କ ସମେତ ୬ ଜଣ, ଶଙ୍ଖ ଫୁଙ୍କିବେନି ରମେଶ ସାଏ

ଭୁବନେଶ୍ବର/ଆଠମଲ୍ଲିକ: ଜଣକ ପରେ ଜଣେ ବିଜେଡି ନେତା ଦଳ ଛାଡୁଛନ୍ତି। ଧୀରେଧୀରେ ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ୨୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିରେ ବିଦ୍ରୋହର ତୀବ୍ର ହେବାରେ ଲାଗିଛି। ଆଜି ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ବିଜେଡି ଛାଡ଼ିଛନ୍ତି। ସେ ନିଜର ଇସ୍ତଫା ପତ୍ରକୁ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି।ଇସ୍ତଫା ପତ୍ରରେ ଶ୍ରୀ ସାଏ ଉଲ୍ଲେଖ କରିଛନ୍ତି ଯେ, ୨୦୧୯ରେ ବିଜେଡିରୁ ଟିକେଟ୍‌ ଦିଆଯିବା ପରେ ମୁଁ ନିର୍ବାଚନରେ ଜିତିଥିଲି। ରେକର୍ଡ ୪୭ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲି। ବିଗତ ୫ ବର୍ଷ ହେଲା ବିଜେଡିରେ କାମ କରି ଖୁସି ଅନୁଭବ କରିଛି। ଏଥିରୁ ମତେ ବହୁତ ଶିକ୍ଷା ମଧ୍ୟ ମିଳିଛି। ତେବେ ବର୍ତ୍ତମାନ ପରିସ୍ଥିତିରେ ମୁଁ ଦଳରେ କାର୍ଯ୍ୟ କରିବାକୁ ଅସମର୍ଥ ଭାବୁଛି। ତେଣୁ ‌ବିଜେଡିରୁ ମୋର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଉଛି।ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ବିଜେଡି ଏପର୍ଯ୍ୟନ୍ତ ୯୯ଟି ଆସନରେ ପ୍ରାର୍ଥୀ ଦେଇସାରିଛି। ଆହୁରି ୪୮ଟି ଆସନରେ ପ୍ରାର୍ଥୀ ଦେବ। ତେବେ ବୁଧବାର ସନ୍ଧ୍ୟାରେ ବିଜେଡି ୨୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା, ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ଜଗତସିଂହପୁରର ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ଅସିତ୍ ପଟ୍ଟନାୟକ ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡି ଛାଡ଼ିଛନ୍ତି।

Leave a Reply

Your email address will not be published. Required fields are marked *