ମୁଖ୍ୟ ଖବର

ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ର ରେକର୍ଡ: ଦିନ ୨ଟାରେ ୪୩.୨ ଡିଗ୍ରିରେ ସିଝିଲେ ଭୁବନେଶ୍ବରବାସୀ

ଭୁ‌ବନେଶ୍ବର: ଚଳିତ ବର୍ଷର ସର୍ବାଧିକ ତାପମାତ୍ର ଆଜି ରେକର୍ଡ ହୋଇଛି। ପୂରା ରାଜ୍ୟବାସୀ ତତଲା କଡ଼େଇରେ ଭାଜି ହୋଇଛନ୍ତି। ସକାଳ ୮ଟା ହେବା ମାତ୍ରେ ସୂର୍ଯ୍ୟଙ୍କ କିରଣ ପ୍ରଖର ଅନୁଭୂତ ହୋଇଥିଲା। ଦିନ ୧୦ଟା ବେଳକୁ ତାପମାତ୍ରା ବଢ଼ି ଯାଇଥିଲା। ରାଜ୍ୟର ୫ଟି ସହରରେ ଅପରାହ୍‌ଣ ୨ଟାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଏଥିରେ ଭୁବନେଶ୍ବର ସର୍ବାଧିକ ରହିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୩.୨ ଡିଗ୍ରି ଛୁଇଁଛି। ଆଞ୍ଚଳିକ  ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମ୍ବଲପୁରରେ ଆଜି ଦିନ ୨ଟାରେ ୪୦.୮, ହୀରାକୁଦ ଓ ଚାନ୍ଦବାଲିରେ ୪୦.୬ ଏବଂ ଝାରସୁଗୁଡ଼ାରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ରାଉରକେଲାରେ ୩୯.୬, କେନ୍ଦୁଝରରେ ୩୯, ବାଲେଶ୍ୱରରେ ୩୭.୮, ପୁରୀରେ ୩୩, ଗୋପାଳପୁରରେ ୩୨.୨ ଓ ପାରାଦୀପରେ ତାପମାତ୍ରା ୩୨ ଡିଗ୍ରିରେ ପହଞ୍ଚିଛି।

ଆଜି ଉପକୂଳରୁ ନେଇ ଉପାନ୍ତ ସବୁଠି ପ୍ରଚଣ୍ଡ ତାତିରେ ଖଇ ଫୁଟୁଛି । ଆଜି ରାଜଧାନୀରେ ସ୍ଥିତି ଅସମ୍ଭାଳ ହୋଇଛି। ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୯.୮ ଡିଗ୍ରି ରେକର୍ଡ ହୋଇଥିଲା। ଭୁବନେଶ୍ୱରରେ ବର୍ଦ୍ଧିତ ତାପମାତ୍ରା ସହ ଆଦ୍ରତା ପ୍ରାୟ ୪୫ ପ୍ରତିଶତ ରହିଥିଲା। ସକାଳ ସମୟରେ ବାୟୁମଣ୍ଡଳର ତଳ ଭାଗରେ ବାୟୁ ଚଳାଚଳ ପଶ୍ଚିମ ଦିଗରୁ ଏବଂ ବର୍ତ୍ତମାନ ଉତର ପଶ୍ଚିମ ଦିଗରୁ ଶୁସ୍କଏବଂ ଗରମ ବାୟୁ ପ୍ରବାହିତ ହେଉଛି, ଯେଉଁ କାରଣରୁ ତାପମାତ୍ରା ବଢୁଛି ଏବଂ ସ୍ଥଳଭାଗ ଉତପ୍ତ ହେଉଛି।

ଆଜି ଏବଂ ଆସନ୍ତାକାଲି ହିଟ୍ ୱେଭର ପ୍ରଭାବ ଯଥେଷ୍ଠ ଅଧିକ ରହିବା ନେଇ ସତର୍କତା ଜାରି କରାଯାଇଛି। ତାପମାତ୍ରା ୨ରୁ ୩ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ସେହିପରି ଅଧିକାଂଶ ଜିଲ୍ଲାରେ ଉଷ୍ମ ରାତି ଅନୁଭୁତ ହେବା ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି।  ବର୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେଭ ପାଇଁ ଚେତାବନୀ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *