ମୁଖ୍ୟ ଖବର

ପଥଚାରୀଙ୍କ ଉପରେ ଚଢ଼ିଗଲା କାର: ଜଣେ ଯୁବକ ମୃତ

ରେଢ଼ାଖୋଲ: ରାଞ୍ଚି-ବିଜୟୱାଡା ରାଜପଥର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ବଡ଼ବାହାଲ ଛକ ନିକଟରେ ଆଜି ରାତିରେ ଜଣେ ଯୁବକଙ୍କ ଉପରେ କାର ଚଢ଼ିଯାଇଛି। ଅନ୍ୟ ୨ ଜଣ ବାଇକ୍‌ ଅରୋହୀଙ୍କୁ କାର(ୱାଗନର) ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ  କ୍ଷତିପୂରଣ ଦାବିରେ ଉତ୍ତେଜନା ଜାରି ରଖିଛନ୍ତି। ମୃତକ ହେଲେ  ବିଦ୍ୟାଧର ମୁଣ୍ଡା (୪୦)। ସେ ବଡ଼ବାହାଲ ଗ୍ରାମପଞ୍ଚାୟତର ଝରମୁଣ୍ଡା ନିବାସୀ।

ସୂଚନା ଅନୁସାରେ ବିଦ୍ୟାଧର ବଡ଼ବାହାଲସ୍ଥିତ ପଞ୍ଚଖଣ୍ଡା ହାଇସ୍କୁଲରେ ଅସ୍ଥାୟୀ ଭାବେ କାମ କରୁଥିଲେ। ସେ ଆଜି ରାତି ସାଢ଼େ ୮ଟାରେ ଘରକୁ ଚାଲିଚାଲି ଫେରୁଥିଲେ। ସେ ସ୍କୁଲ ସାମ୍ନାରେ ଦୁର୍ଘଟଣାର ଶିକାର ହୋଇଥିଲେ। ରେଢ଼ାଖୋଲ ପାର୍ଶ୍ବରୁ ବୌଦ୍ଧ ଦିଗରେ ଯାଉଥିବା ଏକ ୱାଗନର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ମାରିଥିଲା। କିଛି ସମୟ ‌ପରେ କାର୍‌ଟି ଅନ୍ୟ ଏକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା।ତେବେ ଘଟଣାସ୍ଥଳରେ ବିଦ୍ୟାଧରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି ଓ କାର ଚାଳକଙ୍କୁ ଗିରଫ କରିବା ସହ ରାସ୍ତାରୋକ କରିଛନ୍ତି। ଉଭୟ ପାର୍ଶ୍ବରୁ ଅନେକ ସଂଖ୍ୟାରେ ଗାଡ଼ି ଅଟକି ରହିଛି। ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଛା କରୁଛି।

Leave a Reply

Your email address will not be published. Required fields are marked *