ମୁଖ୍ୟ ଖବର

ଦୁଇ ବର୍ଷ ପରେ ପୁଣି ଦାଦାଗିରି ଦେଖାଇଲେ ଚିଲିକା ବିଧାୟକ, କାର୍ଯ୍ୟରତ ସାମ୍ବାଦିକଙ୍କୁ ନିସ୍ତୁକ ପିଟିଲେ

ଖୋର୍ଦ୍ଧା: ଦୁଇ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଓରଫ ଗଣେଶ ଜଗଦ୍ଦେବ ପୁଣି ଥରେ ଦାଦାଗିରି ଦେଖାଇଛନ୍ତି। କାର୍ଯ୍ୟରତ ସାମ୍ୱାଦିକଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ପ୍ରଶାନ୍ତଙ୍କ ନାମରେ ଜଙ୍କିଆ ଥାନାରେ ଏତଲା ହେବା ପରେ ପୁଲିସ ମାମଲା ରୁଜୁ କରିଛି।

ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ଛଣଗିରିରେ ସାଂସଦଙ୍କ ଜନସମ୍ପର୍କ ପଦଯାତ୍ରାରେ ଗ୍ରାମବାସୀଙ୍କ ସହିତ ହାତାହାତି ହୋଇଛନ୍ତି ଶ୍ରୀ ଜଗଦ୍ଦେବ, ଯାହାର ଚିତ୍ର ଏବେ ଦେଖିବାକୁ ମିଳିଛି। ଚିତ୍ର ଉତ୍ତୋଳନ ବେଳେ ସାମ୍ୱାଦିକ ପ୍ରକାଶ ହାତୀଙ୍କୁ ଗଣେଶ ଧମକ ଦେଇଥିଲେ। ହାତରୁ ମୋବାଇଲ ଛଡାଇ ନେଇଥିଲେ। ଗଣେଶଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏକ ମାମଲା ରୁଜୁ କରିଛି ବୋଲି ଖୋର୍ଦ୍ଧା ଏସ୍‌ଡିପିଓ ଦିଲୀପ ଦାସ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୨୨ ମାର୍ଚ୍ଚ ମାସ ୧୨ ତାରିଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ପୁଲିସ ଗିରଫ କରିଥିଲା। ବିଧାୟକଙ୍କ ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ। ଚିକିତ୍ସା ପରେ ମାର୍ଚ୍ଚ ୨୨ ତାରିଖରେ ପୁଲିସ ବିଧାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଲା ପରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ଜେଏମ୍‌ଏଫ୍‌ସି କୋର୍ଟ  ଜାମିନ ପ୍ରଦାନ କରିଥିଲେ। ଜାମିନ ପାଇବାପରେ ସେ ୨୦୨୨ ଜୁଲାଇ ୨୬ ତାରିଖରେ ବାଣପୁର ସବ୍‌ଜେଲ୍‌ରୁ ସେ ବାହାରିଛନ୍ତି। ଏକବର୍ଷ ପର୍ଯ୍ୟନ୍ତ ନିଜ ନିର୍ବାଚନମଣ୍ଡଳୀରେ ରହିପାରିବେନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ଆରୋପ କରିଥିଲେ।

Leave a Reply

Your email address will not be published. Required fields are marked *