ମହାନଗର

ଆଜି ହୋଲି… ରଙ୍ଗଖେଳ ବେଳେ ତ୍ବଚାର ଯତ୍ନ

ରଙ୍ଗର ପର୍ବ ହୋଲି ସମଗ୍ର ଭାରତବର୍ଷର ଅନ୍ୟତମ ବଡ଼ ପର୍ବ। ଦଶହରା, ଦୀପାବଳି ଭଳି ହୋଲିକୁ ଧୁମ୍‌ଧାମରେ ପାଳନ କରାଯାଉଛି। ରଙ୍ଗ ଖେଳ ଏହି ପର୍ବର ମୁଖ୍ୟ ଆକର୍ଷଣ। ଅବିର ବୋଳାବୋଳି ହେବା ଏହି ପର୍ବର ବିଧି। ତେବେ ବହୁ ସମୟରେ ରାସାୟନିକ ରଙ୍ଗ ଖେଳ ବିପଦର କାରଣ ହୋଇଥାଏ। ଚର୍ମ ଓ ଆଖି ପ୍ରତି ବିପଦ ସୃଷ୍ଟି ହୋଇଥାଏ। ଚର୍ମ ସଂକ୍ରମଣ ଯେତିକି ଭୟଙ୍କର ଆଖି ପ୍ରତି ବିପଦ ତା’ଠାରୁ ବହୁଗୁଣରେ ବିପଦର କାରଣ ହୋଇଥାଏ। ବେଳେବେଳେ ରାସାୟନିକ ରଙ୍ଗ ଆଖି ନଷ୍ଟର କାରଣ ହୋଇଥାଏ। ସେହିଭଳି କେଶ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ହୋଲି ଖେଳ ବେଳେ ରାସାୟନିକ ରଙ୍ଗ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହେବା ଉଚିତ। ହର୍ବାଲ୍ ରଙ୍ଗ ଓ ଭଲ ଅବିର ବ୍ୟବହାର କଲେ ବିପଦ ନଥାଏ। ତେଣୁ ରଙ୍ଗ ଖେଳକୁ ଉପଭୋଗ କରିବା ସହିତ ନିଜ ଶରୀରର କିପରି ଯତ୍ନ ନେବେl

ହୋଲି ଉତ୍ସବ ଏକ ଆନନ୍ଦ ଉଦ୍ଦୀପନାର ପର୍ବ। କିନ୍ତୁ ସାମାନ୍ୟ ସତର୍କ ନହେଲେ ଏହି ପର୍ବ ଜୀବନ ପ୍ରତି ବିପଦର କାରଣ ହୋଇଥାଏ ବୋଲି କହିଛନ୍ତି ଚର୍ମରୋଗ ବିଶେଷଜ୍ଞ କୁମାର ଅଭି‌ଷେକ। ତାଙ୍କ କହିବା କଥା ହୋଲି ଖେଳିବା ବେଳେ ହର୍ବାଲ୍‌ ରଙ୍ଗ କିମ୍ବା ପ୍ରାକୃତିକ ଉପାୟରେ ତିଆରି ଅବିର ବା ଫଗୁ ବ୍ୟବହାର କରିବା ଉଚିତ। କିନ୍ତୁ ବେ‌ଳେବେଳେ ଅନେକ ଲୋକ ରାସାୟନିକ ରଙ୍ଗ ବ୍ୟବହାର କରନ୍ତି। ସମ‌ସ୍ତେ ଯଥାସମ୍ଭବ ରାସାୟନିକ ରଙ୍ଗଠାରୁ ଦୂରେଇ ରହିବା ଭଲ ବୋଲି ସେ ସତର୍କ କରାଇଛନ୍ତି। ତେଣୁ ହୋଲି ଖେଳିବା ପୂର୍ବରୁ ଦେହରେ ମଶ୍ଚରାଇଜର୍‌, ଆଲ୍‌ମଣ୍ଡ ଅଏଲ୍‌, ସ୍‌ନସ୍କିନ୍‌ ବ୍ୟବହାର କରିବା ଆବଶ୍ୟକ। ସେହିଭଳି କେଶର କ୍ଷତି ନହେବା ପାଇଁ ଯଥେଷ୍ଟ ତେଲ ଲଗାଇବା ଉଚିତ। ତ୍ୱଚାରୁ ରଙ୍ଗ ନ ଛାଡ଼ିଲେ, ଅଧିକ ରଗଡ଼ିବା ଉଚିତ୍‌ ନୁହେଁ।

ଭଲ ସାବୁନ ଲଗାଇ ଗାଧୋଇବା ଉଚିତ। ସେହିଭଳି ହୋଲି ଖେଳିବା ବେଳେ ପ୍ରଚୁର ପାଣି ପିଇବା ଦରକାର ବୋଲି ସେ କହିଛନ୍ତି। ସେହିପରି ଚକ୍ଷୁ ବିଶେଷଜ୍ଞ ରୀତା ଦାଶଙ୍କ ମତରେ ହୋଲି ଖେଳ ବେଳେ ରାସାୟନିକ ରଙ୍ଗ ବ୍ୟବହାର କରାଯିବା ଦ୍ବାରା ଆଖି ପାଇଁ ବିପଦ ରହିଥାଏ। ଖୁସିରେ ଖେଳିବା ବେଳେ ସାବଧାନ ରହିବା ସମ୍ଭବ ହୋଇନଥାଏ। ତେଣୁ ଆଖିରେ ରଙ୍ଗ ପଡ଼ିଯିବା ସ୍ବାଭାବିକ। ତେବେ ଅସାବଧାନତାବଶତଃ ଆଖିରେ ରଙ୍ଗ ପଡ଼ିଗଲେ, ପ୍ରଥମେ ଥଣ୍ଡା ପାଣିରେ ଧୋଇଦେବା ଆବଶ୍ୟକ। ରଙ୍ଗ ବାହାର କରିବାକୁ ଆଖିକୁ ଆଦୌ ମକଚିବା ‌ଦରକାର ନାହିଁ। କେବଳ ବାରମ୍ବାର ପାଣି ଛିଟିକା ମାରିବା ଉଚିତ। ଦରକାର ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଇ ଡ୍ରପ୍ ବ୍ୟବହାର କରିବା ଉଚିତ। ଆଖି ଜଳାପୋଡ଼ା ହେଲେ ତ ନିଶ୍ଚୟ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *