ମହାନଗର

ବାହୁଡ଼ା ଯାତ୍ରା: ଗୋସାଗରେଶ୍ବରରେ ଅଟକିଲା ରୁକୁଣା ରଥ

ଭୁବନେଶ୍ବର: ୫ ଦିନ ରୁକୁଣା ଯାତ୍ରା ପରେ ଆଜି ଦ୍ବାଦଶୀ ତିଥିରେ ମାଉସୀ ମା’ ମନ୍ଦିରରୁ ରାଜଦେଉଳ ଅଭିମୁଖେ ବାହାରିଛନ୍ତି ଦିଅଁ। ହେଲେ ଆଜି ସ୍ବର୍ଣ୍ଣାଦି ବିଜେ ହୋଇପାରି ନାହିଁ। ସନ୍ଧ୍ୟା ହୋଇଯିବାରୁ ଆଜି ରୁକୁଣା ରଥ ଗୋସାଗରେଶ୍ବର ଛକ ନିକଟରେ ଅଟକି ରହିଛି। ଆସନ୍ତାକାଲି ଅପରାହ୍ନ ୨ଟାରୁ ରଥ ଟଣା ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ରବିବାର ସନ୍ଧ୍ୟା ପୂର୍ବରୁ ଦିଅଁ ମନ୍ଦିର ନିକଟରେ ପହଞ୍ଚିଲେ ମଧ୍ୟ ୬ଦିନ ଯୋଗୁୀଁ ସ୍ବର୍ଣ୍ଣାଦି ବିଜେ ନହୋଇ ସପ୍ତମୀ ଦିନ ଅର୍ଥାତ ସୋମବାର ଠାକୁରଙ୍କୁ ମନ୍ଦିରକୁ ବିଜେ କରାଯିବ।

ଆଜି ସକାଳ ସାଢ଼େ ୬ଟାରେ ମଙ୍ଗଳ ଆଳତି ଓ ଅବକାଶ କରାଯାଇ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହୋଇଥିଲା। ଅଧଘଣ୍ଟା ଛାମୁ ପରିସ୍କାର କରାଯାଇ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା କରାଯାଇଥିଲା। ଏହାପରେ ଶ୍ରୀଜୀଉ ଓ ମା’ ଭୁବନେଶ୍ବରୀଙ୍କ ବଲ୍ଲଭ ଏବଂ ସକାଳ ଧୂପ କରାଯାଇଥିଲା। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭୋଗମଣ୍ଡପ ସରିବା ପରେ ରାମେଶ୍ବର ମନ୍ଦିରରେ ଅଧରପଣା ପୂଜା କରାଯାଇଥିଲା। ଏହାପରେ ପ୍ରତିମାମାନଙ୍କର ପୀଠାସୀନ ରମେଶ୍ବରଙ୍କ ସହ ଭେଟ ଆଳତି କରାଯାଇଥିଲା। ତେବେ ମଧ୍ୟାହ୍ନ ସାଢ଼େ ୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଦିଅଁଙ୍କ ପହଣ୍ଡି ହେବା କଥା। କିନ୍ତୁ ପାଳିଆ ବଡ଼ୁ ସେବାୟତ ଆସିବାରେ ବିଳମ୍ବ ହେବାରୁ ପହଣ୍ଡି ବିଳମ୍ବ ହୋଇଥିଲା। ଅପରାହ୍ନ ୩ଟା ୧୫ରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ମହାପ୍ରଭୁ ଲିଙ୍ଗରାଜ, ମା’ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦଙ୍କୁ ରାଜକୀୟ ଶୋଭାଯାତ୍ରାରେ ‌ନିଆଯାଇ ୩ଟା ୪୫ରେ ରଥାରୂଢ଼ କରାଯାଇଥିଲା। ୩ଟା ୩୦ରେ ରଥ ଟଣା ହେବା ପାଇଁ ପ୍ରଶାସନ ନିଷ୍ପତ୍ତି ହୋଇଥିବା ବେଳେ ଆଜି ଅପରାହ୍ନ ୪ଟା ୩୫ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା।

ବାହୁଡ଼ା ଯାତ୍ରା ପାଇଁ ରାଜଦାଣ୍ଡରେ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଥିଲା। ଦିଅଁଙ୍କୁ ରାଜଦେଉଳକୁ ଫେରାଇ ନେବାକୁ ଯେମିତି ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦ୍ବିଗୁଣିତ ହୋଇଥିଲା। ଶିଳ୍ପୀ ନୃତ୍ୟରେ ପ୍ରଭୁଙ୍କୁ ପ୍ରଣାମ ଜଣାଉଥିଲେ। ପହଣ୍ଡି ବେଳେ ଲଉଡ଼ି ନୃତ୍ୟରେ ପ୍ରଭୁଙ୍କ ମନମୋହୁଥିଲେ ଲଉଡ଼ି ନୃତ୍ୟ ଶିଳ୍ପୀ। ହରିବୋଲ, ହୁଳହୁଳି ସହ ଜୟ ଲିଙ୍ଗରାଜ ଧ୍ବନିରେ ପ୍ରକମ୍ପିତ ହେଉଥିଲା ରାଜଦାଣ୍ଡ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେବଦଳନ ରଥକୁ ଉତ୍ସାହର ସହ ଟାଣି ନେଇଥିଲେ। ତେବେ ଅସୁର କିଆରି ପୂର୍ବରୁ ରଥ ବାମପାର୍ଶ୍ବ ଆଗ ଚକ ଦବି ଯାଇଥିଲା। ପ୍ରାୟ ଅଧଘଣ୍ଟାଏ କାଳ ମହାରଣା ସେବାୟତ ଓ ଖରୁଡ଼ା ସେବାୟତଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ରଥ ରାସ୍ତାକୁ ଆସିଥିଲା। ପୁଣି ଶ୍ରଦ୍ଧାଳୁମାନେ ରଥକୁ ଟାଣି ନେଇଥିଲେ। ଅସୁର କିଆରିରେ ଭୋଗ କରାଯାଇଥିଲା। ଗୋସାଗରେଶ୍ବର ଛକ ନିକଟରେ ସନ୍ଧ୍ୟା ହୋଇଯିବାରୁ ରଥଟଣା ବନ୍ଦ ହୋଇଥିଲା।

Leave a Reply

Your email address will not be published. Required fields are marked *