ମୁଖ୍ୟ ଖବର

ବିଜେପିକୁ ଝଟକା; ଦଳ ଛାଡିଲେ ୧୩ ଦଳୀୟ ନେତା

ଚେନ୍ନାଇ: ତାମିଲନାଡୁରେ ବିଜେପିର ମୋଟ ୧୩ ଜଣ କର୍ମକର୍ତ୍ତା ଆଜି ଦଳ ଛାଡି ଏହାର ମେଣ୍ଟ ସହଯୋଗୀ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ)ରେ ଯୋଗ ଦେଇଛନ୍ତି। ଏହି ୧୩ ଜଣ ଦଳୀୟ ନେତା ଚେନ୍ନାଇ ପଶ୍ଚିମରେ ଥିବା ବିଜେପିର ଆଇଟି ଶାଖାର ସଦସ୍ୟ ଥିଲେ।

ଏଡାପ୍ପାଡି ପଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ଏହି ନେତାଙ୍କୁ ‘ପୋଚିଂ’ କରିଥିବା ନେଇ ବିଜେପି ରାଜ୍ୟ ୟୁନିଟ୍‌ ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଛି।

ବିଜେପି ଆଇଟି ୱିଙ୍ଗର ଜିଲ୍ଲା ସଭାପତି ଅନବରସନ ଏକ ବିବୃତିରେ କହିଛନ୍ତି, ମୁଁ ବର୍ଷ ବର୍ଷ ଧରି ବିଜେପି ପାଇଁ କାମ କରିଛି। ଲୋକମାନେ ଜାଣନ୍ତି ଯେ ମୁଁ କେବେ ବି କୌଣସି ପଦ ଆଶା କରିନାହିଁ। ଗତ କିଛି ଦିନ ଧରି ଦଳରେ ଦେଖାଦେଇଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ଏହି ବିବୃତିରେ ୧୦ ଜଣ ଆଇଟି ୱିଙ୍ଗ ଜିଲ୍ଲା ସମ୍ପାଦକ ଏବଂ ଦୁଇ ଜଣ ଆଇଟି ୱିଙ୍ଗ ଜିଲ୍ଲା ଉପସଚିବଙ୍କ ସ୍ୱାକ୍ଷର ରହିଛି।

ଉଲ୍ଲେଖଯୋଗ୍ୟ, ନିକଟରେ ବିଜେପିର ଅନେକ ବିଧାୟକ ଇସ୍ତଫା ଦେଇ ଏଆଇଏଡିଏମକେରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଦିନ ବିଜେପି ବୁଦ୍ଧିଜୀବୀ ଶାଖା ରାଜ୍ୟ ସମ୍ପାଦକ କ୍ରିଷ୍ଣନ, ଆଇଟି ଶାଖା ରାଜ୍ୟ ସମ୍ପାଦକ ଦିଲୀପ କାନନ, ତ୍ରିଚି ଗ୍ରାମୀଣ ଜିଲ୍ଲା ଉପାଧ୍ୟକ୍ଷ ବିଜୟ ଏବଂ ରାଜ୍ୟ ଓବିସି ଶାଖା ସମ୍ପାଦକ ଅମ୍ମୁ ଏଡାପାଡି କେ ପଲାନିସ୍ୱାମୀଙ୍କ ସହ ବୈଠକ କରିବା ପରେ ଏଆଇଏଡିଏମକେରେ ଯୋଗ ଦେଇଥିଲେ।

ସେହିପରି ଆଇଟି ୱିଙ୍ଗର ରାଜ୍ୟ ସମ୍ପାଦକ କ୍ରିଷ୍ଣନ ମଧ୍ୟ ଆନ୍ନାମଲାଇଙ୍କୁ ଦାୟୀ କରି ବିଜେପିରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ଏଆଇଏଡିଏମକେ ଓ ବିଜେପି ସମର୍ଥକଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି କର୍ମକର୍ତ୍ତାମାନେ ପ୍ରଶ୍ନ ଉଠାଇଛନ୍ତି ଯେ ଏଡାପ୍ପାଡି ପଲାନିସ୍ୱାମୀ ମେଣ୍ଟ ସହଯୋଗୀ ହୋଇ ସେମାନଙ୍କୁ କିପରି ହସଖୁସିରେ ସ୍ୱାଗତ କରିପାରିବେ? ଏଭଳି ଏକ ଟ୍ଵିଟର ପୋଷ୍ଟ ଉପରେ ବିଜେପି କ୍ରୀଡ଼ା ଓ ଦକ୍ଷତା ବିକାଶ ରାଜ୍ୟ ସଭାପତି ଅମର ପ୍ରସାଦ ରେଡ୍ଡୀ କହିଛନ୍ତି ଯେ ଏଆଇଏଡିଏମକେ ମେଣ୍ଟ ସହଯୋଗୀ ହୋଇଥିବାରୁ ଏହା କରିବା ଉଚିତ୍‌ ନୁହେଁ।

Leave a Reply

Your email address will not be published. Required fields are marked *