ରାଜ୍ୟ

ଲୁଟିଖିଆଙ୍କ ବିରୋଧରେ ମୋର ଲଢେଇ: ସସ୍ମିତା ବେହେରା

ଅନୁଗୁଳ : ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଢେଙ୍କାନାଳ ଲୋକସଭା ସାଂସଦ ପ୍ରାର୍ଥୀ ଇଂ ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୦ ଦଫା ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରି ଅନୁଗୁଳ, ଢେଙ୍କାନାଳର ଅଧୁରା ସ୍ବପ୍ନକୁ ପୁରା କରିବାର ଏକ ରୋଡ଼ମ୍ୟାପ ଉପସ୍ଥାପନ କରିଥିଲେ। ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରାଙ୍କ ଆଶୀର୍ବାଦ ରହିଛି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି I ସସ୍ମିତା ବେହେରା କହିବା ଅନୁଯାୟୀ ଯେଉଁମାନେ ଅନୁଗୁଳ, ଢେଙ୍କାନାଳ ଲୋକଙ୍କୁ ଅଣଦେଖା କରି ବାହାରିଆଙ୍କ ସହ ମିଶି ଲୁଟୁଛନ୍ତି, ସାଂସଦ ଓ ବିଧାୟକ ମାନେ ଓଡ଼ିଶାର ନେତୃତ୍ବ ନେବା ବଦଳରେ ଠିକାଦାର୍ ପାଲଟିଛନ୍ତି, ବ୍ରୋକର ହେଇ ପିସି କାରବାର ଚଳାଇଛନ୍ତି, ତେଣୁ ଏହି ଲଢେଇ ଲୁଟିଖୀଆଙ୍କ ବିରୁଦ୍ଧରେ ଖଟିଖୀଆଙ୍କ ଅଧିକାର, ରୋଜଗାର ଓ ବାସ୍ତବିକ ବିକାଶର ଲଢେଇ ପାଇଁ ଆନ୍ଦୋଳନ କରୁଛି।ତେଣୁ ମୋର ବିଶ୍ଵାସ ବିଜେପି – ବିଜେଡିର ଅଦୃଶ୍ୟ ମେଣ୍ଟର ସରକାରକୁ ହଟାଇ କଂଗ୍ରେସ ସରକାର ଗଢିବା ପାଇଁ ହାତ ଚିହ୍ନକୁ ଦୁଇଟି ଭୋଟ ଦେବେ | ଏହି ଗ୍ୟାରେଣ୍ଟି କାର୍ଡରେ ମହିଳା, ଯୁବ, ଛାତ୍ର, ଚାଷୀ, ମଜଦୂର, ବେରୋଜଗାରଙ୍କୁ ଅଧିକ ଗୁରୁତ୍ବ ଦେବା ସହ ଅନୁଗୁଳ, ଢେଙ୍କାନାଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରାଥମିକତା ଦେବେ ବୋଲି ଉଲ୍ଲେଖ କରିଥିଲେ।ଲୋକଙ୍କ ଆଶୀର୍ବାଦରୁ ବିଜୟୀ ହେଲେ ସେ ନିଜର ପ୍ରତ୍ୟେକ ମାସର ଭତ୍ତାକୁ ସଂସଦୀୟ କ୍ଷେତ୍ରର ମହିଳା ସଶକ୍ତିକରଣ ପାଇଁ ବିନିଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିଶା ମୁକ୍ତ ଢେଙ୍କାନାଳ, ଅନୁଗୁଳ ବନାଇବା, ରୋଜଗାର, ମା, ଭଉଣୀଙ୍କ ସୁରକ୍ଷା, ସ୍ବାଭିମାନ ଓ ସମ୍ମାନ ତଥା ନିମ୍ନଲିଖତ ଜନହିତକାରୀ ବିଷୟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସ୍ବର ଉତ୍ତୋଳନ କରିବେ।ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ ତଥା ପୁନଃ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଗତ ୧୦ ବର୍ଷରେ ପ୍ରାୟ ଦୁର୍ଘଟଣାରେ ୫୦୦ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି । ଉଭୟ ବିଜେପି ଓ ବିଜେଡି ନେତାଙ୍କର ଅବହେଳା ଯୋଗୁଁ ୫୫ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି।ବହୁ ଜନ ଆନ୍ଦୋଳନ ପରେ ମଧ୍ୟ ଅନୁଗୁଳ ଜିଲ୍ଲାରେ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟ ଓ ତାଳଚେରତେ ମେଡିକାଲ କଲେଜ ଓ ଅନୁଗୋଳରେ ସୁପରସ୍ପେସିଆଲିଟ୍ ହସ୍ପିଟାଲ କାର୍ଯକ୍ଷମ ହୋଇ ପାରିଲା ନାହିଁ ।ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥା ” କେନ୍ଦ୍ରୀୟ ପୋଲୁସନ କଣ୍ଟ୍ରୋଲ ବୋର୍ଡ ” ଓ ” ରାଜ୍ୟ ପୋଲ୍ୟୁସନ କଣ୍ଟ୍ରୋଲ ବୋର୍ଡ”ର ଚରମ ନିଷ୍କ୍ରିୟତା ଯୋଗୁଁ ଓ ” ପୁଞ୍ଜିପତି ରାଜ ” ଯୋଗୁଁ, ଅନୁଗୋଳ, ତାଳଚେର ଓ ମେରାମଣ୍ଡଳୀ ଅଞ୍ଚଳ ଦେଶର ପ୍ରମୁଖ ପ୍ରଦୂଷିତ ଅଂଚଳ ରୂପେ ଗଢି ଉଠିଛି ।କୋଇଲା, ଲୁହାପଥର ସମେତ ବିଭିନ୍ନ ଖଣିଜ ପଦାର୍ଥ ଓ ଯନ୍ତ୍ରପାତି ପରିବହନ ପାଇଁ ସ୍ବତନ୍ତ୍ର କରିଡ଼ର ତିଆରି ନ‌କରି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ରାସ୍ତାରେ ଦୈନିକ ହଜାର ହଜାର ଗାଡି ଚଳାଚଳ କରୁଥିବାରୁ ବ୍ୟାପକ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ସୃଷ୍ଟି ହେଉଛି।ବିଜେଡି ଓ ବିଜେପି ନେତାମାନେ ବିଭିନ୍ନ ଉପାୟରେ ଶିଳ୍ପ ଓ ଖଣି ସଂସ୍ଥା ଗୁଡିକ ଠାରୁ ପ୍ରଚୁର ଅନୈତିକ ଲାଭ ନେଉଥିବାରୁ, ସ୍ଥାନୀୟ ବେକାର ଯୁବକ ଯୁବତୀ ମାନେ ନିଯୁକ୍ତି ଓ କର୍ମ ସଂସ୍ଥାନରୁ ବଞ୍ଚିତ ହୋଇ ଦାଦନ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ।ବିଜେଡି ଓ ବିଜେପି ନେତାମାନେ ଲୋକଙ୍କୁ ଭ୍ରମିତ କରାଇ ଏଠାରେ ଛାୟାଯୁଦ୍ଧ କରୁଥିବାବେଳେ, କେନ୍ଦ୍ରରେ ମୋଦି ସରକାର ସହ ଦୁର୍ନୀତି ସରକାର ଚଳାଇବାପାଇଁ ପାଇଁ ଏକଜୁଟ ହୋଇଛନ୍ତି।ବ୍ୟାପକ ପ୍ରଦୂଷଣରେ ପ୍ରଭାବିତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବସ ଷ୍ଟାଣ୍ଡ ନିର୍ମାଣ, ଭିତ୍ତିଭୂମିର ସ୍ଥାପନା ଦେବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି।ସରକାରଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ପରିଚାଳନାରେ କେତେକ ଘରୋଇ ହସ୍ପିଟାଲ ମିଥ୍ୟା ବିଲ ଦେଇ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି ।ଶିଳ୍ପ ପାଇଁ ଜମି ଦେଇଥିବା ବିସ୍ଥାପିତ ପରିବାରକୁ ଏବେ ପର୍ଯ୍ୟନ୍ତ କ୍ଷତିପୁରଣ ମିଳିନି, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାରର ବ୍ୟବସ୍ଥା କରାଯାଇ ନାହିଁ ।ଜଳ, ଜମି, ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କୌଣସି ପଦକ୍ଷେପ ନିଆଯାଇ ନାହିଁ |
ସୂଚନା ଥାଉ କି ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ତରଫରୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି, ଯେଉଁଥିରେ ଚାଷୀଙ୍କୁ ବୋନସ ଦେବା ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ଦେବା ସହ କୃଷିଋଣ ଛାଡ଼ କରାଯିବ। ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ କରାଯିବା ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରିବା ସହ ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ଦିଆଯିବ । ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବା ସହ ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ଦିଆଯିବ ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର ଦିଆଯିବ। ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ବ୍ୟବସ୍ଥା କରା‌ଯିବ ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ଦିଆଯିବ । ରାଜ୍ୟରେ ଜାତିଭିତ୍ତିକ- ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯିବ।
ଏହି ସମ୍ମିଳନୀରେ ଜିଲା କଂଗ୍ରେସ କମିଟି ସଭାପତି ତଥା ଅନୁଗୁଳ ବିଧାନସଭା ପ୍ରାର୍ଥୀ ଅମ୍ବିକା ଭଟ୍ଟ, ତାଳଚେର ବିଧାନସଭା ପ୍ରାର୍ଥୀ ପ୍ରଫୁଲ ଦାସ, ପାଲଲହଡ଼ା ବିଧାନସଭା ପ୍ରାର୍ଥୀ ଫକୀର ସାମଲ ପ୍ରମୁଖ ଯୋଗ ଦେଇ ବିଜେଡିର ୨୫ବର୍ଷ ଓ ବିଜେପିର ୧୦ ବର୍ଷ କୁଶାସନ ଓ ଜନବିରୋଧୀ ନୀତି ବିଷୟରେ ଅବିଭାଷଣ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ବଦଳାଇ କଂଗ୍ରେସ ସରକାର ଆଣିବାକୁ ଜନତାଙ୍କୁ ଆହ୍ୱାନ ଦେଇଥିଲେ, ଶେଷରେ ଅନୁଗୁଳ ଜିଲ୍ଲା ମହିଳା ସଭାପତି ସବିତା ଧୀର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *