ରାଜନୀତି

ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ସବୁଠୁ ଧନୀ ସଂଜୟ ଦାସବର୍ମା

ପୁରୀ: ମେ’ ୨୫ ତାରିଖରେ ପୁରୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ପୁରୀ ଲୋକସଭା ଆସନ ସହ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ଆସନ ପାଇଁ ମତଦାନ ହେବ। ଗତକାଲି ଏ ନେଇ ବିଜ୍ଞପ୍ତି ଜାରି ପରେ ବିଜେଡି, ବିଜେପି, କଂଗ୍ରେସ ସହ ସ୍ବାଧୀନ ଦଳରୁ ପ୍ରାର୍ଥୀମାନେ ନାମାଙ୍କନ ଆରମ୍ଭ କରିଛନ୍ତି। ଗତକାଲି ସୁଦ୍ଧା ୬ ପ୍ରାର୍ଥିପତ୍ର ପଡ଼ିଥିବାବେଳେ ସେଥି ମଧ୍ୟରୁ ୪ଜଣ ପ୍ରାର୍ଥୀ କୋଟିପତି ଓ ଦୁଇଜଣ ଲକ୍ଷପତି ଅଛନ୍ତି। ବ୍ୟକ୍ତିଗତ ଓ ପରିବାରର ସମ୍ପତ୍ତିକୁ ମିଶାଇଲେ ସଂଜୟ କୁମାର ଦାସବର୍ମା ଅଧିକ ସମ୍ପତ୍ତିର ମାଲିକ ହୋଇଥିବାବେଳେ ତାଙ୍କ ତଳକୁ ଅଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମହେଶ୍ବର ମହାନ୍ତିଙ୍କ ପୁଅ ସୁନିଲ। ଏହା ତଳକୁ ଅଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ଆଶ୍ରିତ ପଟ୍ଟନାୟକ। ଲକ୍ଷପତି ତାଲିକାରେ ଦୁଇ ସ୍ବାଧୀନ ପ୍ରାର୍ଥୀ ହରେକୃଷ୍ଣ ସିଂହାରୀ ଓ ସମ୍ବିତ ପଟ୍ଟନାୟକ ରହିଛନ୍ତି।ଅଦ୍ୟାବଧି ନାମାଙ୍କନ କରି ସାରିଥିବା ପ୍ରାର୍ଥୀଙ୍କ ଭିତରେ ସବୁଠୁ ଧନୀ ତାଲିକାରେ ରହିଛନ୍ତି ପୂର୍ବତନ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା। ସଂଜୟଙ୍କ ବ୍ୟକ୍ତିଗତ, ପତ୍ନୀ, ପୁଅ-ଝିଅଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ସର୍ବମୋଟ ୫ କୋଟି ୩୧ଲକ୍ଷ ୧୭ହଜାର ୫୪୫ ଟଙ୍କା। ଯେଉଁଥିରୁ ସ୍ଥାବର ସମ୍ପତ୍ତିର ମୂଲ୍ୟ ୩କୋଟି ୫୫ଲକ୍ଷ ଟଙ୍କା ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨କୋଟି ୨୫ଲକ୍ଷ ୬୭ହଜାର ୫୪୫ ଟଙ୍କା। ୮ଟି ବ୍ୟାଙ୍କ ଆକାଉଣ୍ଟରେ ସଂଜୟଙ୍କ ଜମା ରାଶି ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ରହିଛି। ପତ୍ନୀଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୧୧ଲକ୍ଷ ଟଙ୍କା ରହିଛି। ସଂଜୟଙ୍କ ପରିବାରରେ ଥିବା ସୁନା ଅଳଙ୍କାର ମୂଲ୍ୟ ପ୍ରାୟ ୩୪ଲକ୍ଷ ଟଙ୍କା। ତେବେ ବଡ଼କଥା ହେଉଛି, ସଂଜୟ କିମ୍ବା ତାଙ୍କ ପରିବାର ଲୋକଙ୍କ ନାଁରେ କୌଣସି ଚାରି ଚକିଆ ଗାଡ଼ି ନାହିଁ। ସଂଜୟ ୨୦୦୩ ମସିହାରେ କିଣାଯାଇଥିବା ପଲସର ବାଇକ୍‌ର ମାଲିକ, ଯାହା ବର୍ତ୍ତମାନ ମୂଲ୍ୟ ପ୍ରାୟ ୨ହଜାର ଟଙ୍କା। ସଂଜୟଙ୍କ ଶିକ୍ଷାଗତ ଯୋଗ୍ୟତା ଇଂଜିନିୟରିଂ।

ପୁରୀ ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଥିବା ହରେକୃଷ୍ଣ ସିଂହାରୀଙ୍କ ସମ୍ପତ୍ତି ମୂଲ୍ୟ ୬ଲକ୍ଷ ୫ହଜାର ୨୯୫ ଟଙ୍କା। ତାଙ୍କ ନାମରେ ଥିବା ଏକମାତ୍ର ବ୍ୟାଙ୍କ ଆକାଉଣ୍ଟରେ ୨୦ହଜାର ୨୯୫ ଟଙ୍କା ଜମା ରହିଛି। ପୋଷ୍ଟାଲ ସେଭିଂ ୨୦ହଜାର ଟଙ୍କା ରହିଛି। ୮୦ ଗ୍ରାମର ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୫ଲକ୍ଷ ୩୦ହଜାର ଟଙ୍କା। ନିଜ ନାଁରେ କୌଣସି ଜମି ନାହିଁ। ନିଜ ପାଖରେ ୩୫ହଜାର ଟଙ୍କା ନଗଦ ରାଶି ରହିଛି। ପିପିଲି ବିଧାନସଭା ଆସନରୁ ସ୍ବାଧୀନ ଭାବେ ନାମାଙ୍କନ କରି ଥିବା ସମ୍ବିତ ପଟ୍ଟନାୟକ, ପତ୍ନୀ ମଧୁସ୍ମିତାଙ୍କ ସମ୍ପତ୍ତି ମୂଲ୍ୟ ୫୦ଲକ୍ଷ ୫ହଜାର ୯୧୨ ଟଙ୍କା। ଏଥିରୁ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨୫ଲକ୍ଷ ୧୬ହଜାର ୪୦୬ ଟଙ୍କା ଓ ସ୍ଥାବର ସମ୍ପତ୍ତି ମୂଲ୍ୟ ୨୪ଲକ୍ଷ ୮୯ହଜାର ୫୦୬ ଟଙ୍କା ରହିଛି। ସମ୍ବିତଙ୍କ ପାଖରେ ୩୩ହଜାର ଟଙ୍କା ନଗଦ ରାଶି ଥିବାବେଳେ ପତ୍ନୀଙ୍କ ପାଖରେ ୫ହଜାର ୬୦ ଟଙ୍କା ରହିଛି। ଏକ ଦୁଇଚକିଆ ଗାଡ଼ି ରହିଛି, ଯାହାର ମୂଲ୍ୟ ୬୮ହଜାର ୫୯୧ ଟଙ୍କା। ୧୦୦ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୬ଲକ୍ଷ ୭୩ହଜାର ଟଙ୍କା।ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସମ୍ପତ୍ତି ମୂଲ୍ୟ ୧କୋଟି ୯୦ଲକ୍ଷ ୧୧ହଜାର ୭୭୭ ଟଙ୍କା। ଏଥିରୁ ସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୯୦ଲକ୍ଷ ୧୧ହଜାର ୭୭୭ ଟଙ୍କା। ସମ୍ବିତଙ୍କ ପାଖରେ ନଗଦ ରାଶି ୬୦ହଜାର ଟଙ୍କା ରହିଛି। ଏକମାତ୍ର ବ୍ୟାଙ୍କ ଆକାଉଣ୍ଟରେ ୭୯ଲକ୍ଷ ୯୨ହଜାର ୭୭୭ ଟଙ୍କା ରହିଛି। ୧୦୦ ଗ୍ରାମ ସୁନା ଅଳଙ୍କାର ରହିଛି, ଯାହାର ମୂଲ୍ୟ ୭ଲକ୍ଷ ୨୯ହଜାର ଟଙ୍କା। ବଡ଼କଥା ହେଉଛି, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ହୋଇ ବି ସମ୍ବିତଙ୍କ ନାଁରେ ଦୁଇଚକିଆ କି ଚାରିଚକିଆ, ସେଭଳି କୌଣସି ଗାଡ଼ି ନାହିଁ। ସମ୍ବିତ ପେଷାରେ ଜଣେ ଡାକ୍ତର।ପିପିଲି ବିଧାନସଭା ଆସନରୁ ବିଜେପି ଟିକେଟ୍‌ରେ ଲଢ଼ୁଥିବା ଆଶ୍ରିତ ପଟ୍ଟନାୟକଙ୍କ ବ୍ୟକ୍ତିଗତ, ପତ୍ନୀଙ୍କ ସମ୍ପତ୍ତି ମୂଲ୍ୟ ୧କୋଟି ୬୭ଲକ୍ଷ ୫୪ହଜାର ୧୪୯ ଟଙ୍କା। ଏଥିରେ ୧କୋଟି ୪୪ଲକ୍ଷ ୭୯ହଜାର ୧୪୩ ଟଙ୍କା ଅସ୍ଥାବର ସମ୍ପତ୍ତି ରହିଛି। ଆଶ୍ରିତଙ୍କ ପାଖରେ ୬୭ହଜାର ୩୨୦ ଟଙ୍କା ଓ ପତ୍ନୀ ସ୍ମିତାଙ୍କ ପାଖରେ ୨୩ ହଜାର ୩୭୫ ଟଙ୍କା ନଗଦ ରାଶି ରହିଛି। ଆଶ୍ରିତଙ୍କ ନାଁରେ ୪ଟି ଦାମୀ କାର୍‌ ଓ ଗୋଟିଏ ବୁଲେଟ୍‌ ରହିଛି। ବ୍ୟକ୍ତିଗତ ୬ଟି ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୫ହଜାର ଟଙ୍କା ଜମା ଅଛି। ଆଶ୍ରିତଙ୍କ ନିଜ ପାଖରେ ତଥା ପତ୍ନୀ, ଝିଅଙ୍କ ପାଖରେ ମୋଟ ୬୭ଲକ୍ଷ ୬ହଜାର ୬୮୭ ଟଙ୍କା ମୂଲ୍ୟର ଅଳଙ୍କାର ରହିଛି।

Leave a Reply

Your email address will not be published. Required fields are marked *