ମହାନଗର

ରାଜଧାନୀ ଉପକଣ୍ଠରେ ଅତ୍ୟାଧୁନିକ ସହର: ‘ଭୁବନେଶ୍ବର ସାଉଥ୍‌ ସିଟି’ର ପାଚେରି ନିର୍ମାଣ ଆରମ୍ଭ

ଭୁବନେଶ୍ବର: ଭୁବନେଶ୍ବରରେ ରହିବାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। କିନ୍ତୁ ଜାଗା ଅଭାବରୁ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ପାରୁନାହିଁ। ଉପଯୁକ୍ତ ଭିତ୍ତିଭୂମି ସହ ଏକ ଅତ୍ୟାଧୁନିକ ସହରରେ ରହିବାର ମଜା ଦେବା ପାଇଁ ଭୁବନେଶ୍ବର ଠାରୁ ୨୦ କିମି ଦୂରରେ ବିଡିଏ ପ୍ରସ୍ତୁତ କରିବାକୁ ଯାଉଛି ଭୁବନେଶ୍ବର ସାଉଥ୍‌ ସିଟି। ପ୍ରଥମ ଥର ପାଇଁ ବିଡିଏ ଏଭଳି ଏକ ‘ପ୍ଲାନ୍‌ଡ୍‌ ସିଟି’ ପ୍ରସ୍ତୁତ କରିବାକୁ ଯାଉଛି। ଏହାର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଛି। ମଳିପଡ଼ା, ଗୋଠପାଟଣା ଓ ଦାସପୁର ରାଜସ୍ବ ଗ୍ରାମରେ ଚିହ୍ନଟ ହୋଇଥିବା ୮୨୧.୯୬୪ ଏକର ଜାଗାରେ ବିଡିଏ ପାଚେରି ବୁଲାଇବା କାମ ଆରମ୍ଭ କରିଛି। ଏହି ଜାଗାକୁ ସୁରକ୍ଷିତ କରିବା ପାଇଁ ୭ କୋଟି ଟଙ୍କାରେ ପ୍ରାୟ ୧୦ କିମି ଲମ୍ବା ପାଚେରି ତିଆରି ହେଉଛି। ନିକଟ ଅତୀତରେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରାଳୟର ଏକ ପ୍ରତିନିଧିମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ବିଡିଏ ସହ ଆଲୋଚନା କରି ଫେରିବା ପରେ ତତ୍ପରତା ପ୍ରକାଶ ପାଇଛି।ବିଡିଏ ସମୁଦାୟ ୮୨୧.୯୬୪ ଏକର ଜମିର କିସମ, ଘରୋଇ ମାଲିକାନା ଓ ସରକାରୀ ଜମି କେଉଁ ବିଭାଗ ଅଧୀନରେ ଅଛି ତାହା ଚିହ୍ନଟ କରିଛି। ମଳିପଡ଼ା ରାଜସ୍ବ ଗ୍ରାମରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ(ଓଏସ୍‌ଏଚ୍‌ବି)ର ୨୮.୫୦୦ଏକର ଜମି ରହିଥିବା ବେଳେ ଗୋଠପାଟଣାରେ ଜଙ୍ଗଲ ଜମି ୧୯୪ଏକର, ସରକାରୀ ଜମି ୩୬ଏକର, ଇଡ୍‌କୋର ୭୯ଏକର, ବିଡିଏର ୯୬ ଏକର ଓ ଘରୋଇ ଜମି ୨୧.୯୯୨ ଏକର ରହିଛି। ଘରୋଇ ଜମି ସିଧାସଳଖ କିଣାଯିବା ପାଇଁ ଯୋଜନା ହୋଇଛି। ସେହିଭଳି ଦାସପୁରରେ ୨୧୫.୭୪୩ ଏକର ରହିଥିବା‌ ବେଳେ ୧୦୩. ୩୫୦ଏକର ଗୋଚର ଓ ୨୯. ୫୧୦ଏକର ଜଙ୍ଗଲ ଜମି ରହିଛି। ବାକି ୫. ୦୭୧ଏକର ଘରୋଇ ଜମି ରହିଛି। ଏଭଳି ମୋଟ ୨୭ ଏକର ଘରୋଇ ଜମି ରହିଛି। ଏଥିରେ ଅଧିକ ଲିଜ୍‌ ସୂତ୍ରରେ ଦିଆଯାଇଥିବା ପ୍ଲଟ୍‌ ରହିଛି। ପ୍ରତ୍ୟକ୍ଷ କ୍ରୟ ପ୍ରକ୍ରିୟାରେ ଏହାକୁ କିଣାଯିବାକୁ ଯୋଜନା ହୋଇଛି।

ଏହି ଜମି ଭିତରେ ୩୦ଟି ଇନ୍ଦିରା ଆବାସ ରହିଛି। ଏହି ୩୦ ହିତାଧିକାରୀଙ୍କୁ ଅନ୍ୟତ୍ର ଘର ଦିଆଯିବା ପରେ ସେମାନଙ୍କୁ ଏଠାରୁ ସ୍ଥାନାନ୍ତର କରାଯିବ। ଏହା ସହିତ ୪୦ଟି ଡୁପ୍ଲେକ୍ସ ଘର ରହିଛି। ଏହାକୁ ଏହି ପ୍ରକଳ୍ପରୁ ବାଦ୍‌ ଦେବାକୁ ଯୋଜନା ହୋଇଛି। ଏହି ଜାଗାରେ ଡ୍ରୋନ୍‌ ସର୍ଭେ ଶେଷ ହେବା ପରେ ପ୍ରାଥମିକ ପର୍ଯ୍ୟାୟରେ ନକ୍ସା ପ୍ରସ୍ତୁତ ହୋଇଛି। ଏହି ୪୦ ଘରକୁ ବାଦ୍‌ ଦେବା ଓ ଅନ୍ୟ କୌଣସି ଆବଶ୍ୟକୀୟ ପରିବର୍ତ୍ତନ ହେବା ପରେ ନୂଆ ନକ୍ସା ପ୍ରସ୍ତୁତ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ସାଉଥ୍‌ ସିଟି ପ୍ରକଳ୍ପ ପାଇଁ ରାଜସ୍ବ ବିଭାଗ ଜମି ଆଣିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ବେଳେ ଅନ୍ୟ ଜମି ପାଇଁ ସମ୍ପୃକ୍ତ ସରକାରୀ ସଂସ୍ଥାମାନଙ୍କୁ ଲେଖାଯାଇଛି। ସିଧାସଳଖ କିଣିବା ପାଇଁ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି।

ଏହି ନୂଆ ସହରରେ ସହରୀ ବନ୍ୟା ଓ ବସ୍ତିକୁ ଗୁରୁତ୍ବର ସହ ନିଆଯାଇଛି। କୌଣସି ପରିସ୍ଥିତିରେ ବର୍ଷା ହେଲେ ଯେଭଳି ସହରରେ ପାଣି ରହିବ ନାହିଁ ଓ ଗୋଟିଏ ହେଲେ ବସ୍ତି ଗଢ଼ି ଉଠିବ ନାହିଁ ସେ ନେଇ ଯଥେଷ୍ଟ ଯତ୍ନ ନେବାକୁ ଯୋଜନା ହୋଇଛି। ସହରୀ ବନ୍ୟା ପରିସ୍ଥିତି ରୋକିବା ପାଇଁ ଭୂତଳ ନଳା ପ୍ରସ୍ତୁତ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଲ୍‌ଆଇଜି, ଏମ୍‌ଆଇଜି ଓ ଏଚ୍‌ଆଇଜି ଭଳି ଗୃହନିର୍ମାଣ ଯୋଜନା ହୋଇଛି। ଇନୋଭେଟିଭ୍‌, କଂଗ୍ରିଗେସନ, ଇକୋ-ଇନ୍‌କ୍ଲୁଜିଭ୍‌, ମିକ୍ସଡ୍‌ ଆମେନିଟିଜ୍‌ ଓ ହାଉସିଂ ଏଭଳି ୫ଟି ଭାଗରେ ଏହି ନୂଆ ସହରକୁ ଭାଗ କରାଯାଇଛି। ଗୃହ ନିର୍ମାଣ ପ୍ରକଳ୍ପ ସହ ଚଉଡ଼ା ରାସ୍ତା, ବାଣିଜ୍ୟିକ ପ୍ରତିଷ୍ଠାନ, ଶିକ୍ଷା ପ୍ରତିଷ୍ଠାନ, ହସ୍‌ପିଟାଲ୍‌ ସହ ଚିତ୍ତ ବିନୋଦନ ପାଇଁ ସମସ୍ତ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *