ରାଜ୍ୟ

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,: ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି କର୍ମୀଙ୍କ ଘରେ କେନ୍ଦ୍ର ଚାଲିଛି। ବିଭାଗୀୟ ସୂଚନା ଅନୁଯାୟୀ, ୨୦୨୪ ମାର୍ଚ୍ଚ ସୁଦ୍ଧା ଜିଲାର ୭ଟି ବ୍ଲକରେ ୨୪୩୫ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ସେଥିମଧ୍ୟରୁ ୨୪୨୩ଟି କେନ୍ଦ୍ରର ଗୃହ ନିର୍ମାଣ ନିମନ୍ତେ ଅନୁଦାନ ମଞ୍ଜୁର ହୋଇସାରିଛି। ଏପର୍ଯ୍ୟନ୍ତ ମୋଟ ୧୫୦୬ଟି କେନ୍ଦ୍ରର ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୬୮ଟି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଅପରପକ୍ଷେ ୨୧୩ ଟି କେନ୍ଦ୍ରର ଗୃହ ନିର୍ମାଣ ଲାଗି ଏଯାଏ ଜାଗା ଚିହ୍ନଟ ହୋଇପାରି ନାହିଁ।
ଭଦ୍ରକ ସଦର ବ୍ଲକର ୪୫୦ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୪୪୪ଟି ପାଇଁ ଅନୁଦାନ ମିଳିଥିବା ବେଳେ ୨୪୪ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଭଣ୍ଡାରିପୋଖରୀ ବ୍ଲକରେ ୨୪୦ଟି କେନ୍ଦ୍ର ପାଇଁ ଆର୍ଥିକ ମଞ୍ଜୁରୀ ମିଳିଥିବା ବେଳେ ସେଥିମଧ୍ୟରୁ ୨୦୧, ବନ୍ତ ବ୍ଲକରେ ୨୩୮ଟି କେନ୍ଦ୍ରକୁ ଅନୁଦାନ ମିଳିଥିବା ବେଳେ ୧୫୧ଟିର ନିର୍ମାଣ କାର୍ଯ୍ୟ ସରିଛି। ସେହିପରି ଚାନ୍ଦବାଲି ବ୍ଲକରେ ୪୨୮ କେନ୍ଦ୍ର ମଧ୍ୟରୁ ୨୭୬ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଧାମନଗର ବ୍ଲକରେ ଆର୍ଥିକ ମଞ୍ଜୁରୀ ମିଳିଥିବା ୩୫୩ଟି କେନ୍ଦ୍ର ମଧ୍ୟରୁ ୧୬୮ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ତିହିଡ଼ି ବ୍ଲକରେ ଅନୁଦାନ ମିଳିଥିବା ୩୦୪ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୨୦୨, ବାସୁଦେବପୁର ବ୍ଲକରେ ଆର୍ଥିକ ମଞ୍ଜୁରୀ ମିଳିଥିବା ୪୧୯ଟି କେନ୍ଦ୍ର ମଧ୍ୟରୁ ୨୬୪ଟିର ନିର୍ମାଣ କାର୍ଯ୍ୟ ସରିଛି। ଅପରପକ୍ଷେ ବାସୁଦେବପୁରରେ ୧୧ଟି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରି ନ ଥିବାବେଳେ ଭଦ୍ରକ ବ୍ଲକରେ ୯୧, ବନ୍ତରେ ୩, ଚାନ୍ଦବାଲିରେ ୨୮, ଧାମନଗରରେ ୩୯ ଓ ତିହିଡ଼ିରେ ୪୧ଟି ଗୃହ ନର୍ମାଣ ଲାଗି ଜମି ଚିହ୍ନଟ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *