ଦେଶ- ବିଦେଶ

ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ: ମୁମ୍ବାଇରେ ଚଳିତ ଋତୁର ପ୍ରଥମ ବର୍ଷା ପଡ଼ିଛି। ବର୍ଷା ଯୋଗୁଁ ଗରମରୁ ସାମୟିକ ଆଶ୍ବସ୍ତି ମିଳିଛି, କିନ୍ତୁ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଧୂଳି ଝଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହି ଝଡ଼ରେ ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧିପାଇଛି।  ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଥିବା ବେଳେ ୭୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ୪୩ ଜଣ ଆହତ ଏବେ ବି ଚିକିତ୍ସାଧୀନ ଥିବା ବେଳେ ୩୧ ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି।ହୋର୍ଡିଂ ଭୁଶୁଡ଼ି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘‘ମୁମ୍ବାଇର ଘାଟକୋପର ଅଞ୍ଚଳରେ ହୋର୍ଡିଂ ପଡ଼ିବା ରୁ ଅନେକ ଲୋକଙ୍କ ଜୀବନ ଯିବା ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଁ ଗଭୀର ସମବେଦନା ଜଣାଉଛି। ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ୟ୍ୟରେ ସଫଳତା କାମନା କରୁଛି’’ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି।ଗତକାଲି ଅପରାହ୍‌ଣ ପ୍ରାୟ ୩ଟାରେ ମୁମ୍ବାଇର ଆକାଶ ସମ୍ପୂର୍ଣ୍ଣ କଳା ହୋଇଯାଇଥିଲା। ଏହାପରେ ପ୍ରାୟ ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଚାରିଦିଗ ଧୂଳିରେ ଭର୍ତ୍ତି ହୋଇଯାଇଥିଲା। ଏହାର ପ୍ରଭାବ ବିଶେଷ ଭାବେ ଘଟକୋପାର, ବାନ୍ଦ୍ରା କୁର୍ଲା, ଧରାବି ଅଞ୍ଚଳରେ ଅଧିକ ଅନୁଭୂତ ‌ହୋଇଥିଲା। ହଠାତ୍‌ ପାଗ ପରିବର୍ତ୍ତନ ଓ ଧୂଳି ଝଡ଼ ଯୋଗୁଁ ‌କେତେକ ସ୍ଥାନରେ ଛୋଟବଡ଼ ଦୁର୍ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *