ମୁଖ୍ୟ ଖବର

ସମ୍ୱିଧାନ ଓ ସଂରକ୍ଷଣ ରକ୍ଷା ପାଇଁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ’; ବଲାଙ୍ଗୀରରେ ଗର୍ଜିଲେ ରାହୁଲ

ବଲାଙ୍ଗୀର: ଏଥର ରାହୁଲଙ୍କ ଟାର୍ଗେଟରେ ବିଜେପି ଓ ମୋଦି । ନିର୍ବାଚନ ପାଖେଇ ଆସୁଥିବାବେଳେ କେନ୍ଦ୍ରୀୟ ନେତାଙ୍କ ଫୋକସରେ ରହିଛି ଓଡ଼ିଶା । ଦୁଇ ପ୍ରମୁଖ ଜାତୀୟ ଦଳର ହେଭିୱେଟ ନେତାମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ଜାରି ରହିଛି । ଏହି କ୍ରମରେ ଆଜି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବଲାଙ୍ଗୀର ଗସ୍ତରେ ଆସିଥିବାବେଳେ ସିଧାସଳଖ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କଂଗ୍ରେସ ସରକାରକୁ ଆସିଲେ ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ ବୋଲି କହିଛନ୍ତି ରାହୁଲ । ଦେଶରେ ସମ୍ବିଧାନ ରକ୍ଷା ପାଇଁ କଂଗ୍ରେସକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ରାହୁଲ ।

ଆରମ୍ଭରୁ ବିଜେପି ଉପରେ ବର୍ଷିଲେ: ନିର୍ବାଚନ ପୂର୍ବରୁ ବଲାଙ୍ଗୀର ବିଭିନ୍ନ ଦଳର କେନ୍ଦ୍ରୀୟ ନେତାଙ୍କ ହଟ୍‌ସ୍ପଟ୍‌ ପାଲଟିଛି । ଗତ କିଛିଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ଫେରିଥିବାବେଳେ ଗତ ୧୧ ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତ କରିଥିଲେ । ଏହାପରେ ଆଜି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ବଲାଙ୍ଗୀର ଆସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆଜି ଦିନ ୧୨ଟା ସମୟରେ ସେ ହେଲିକପ୍ଟର ଯୋଗେ ବଲାଙ୍ଗୀର ସ୍ଥାନୀୟ ରିଜର୍ଭ ପଡ଼ିଆରେ ଓହ୍ଲାଇଥିଲେ । ଏକ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ସେ ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡ଼ିଆରେ ହୋଇଥିବା ଜନସଭାରେ ଯୋଗ ଦେଇଥିଲେ । ତେବେ ଏଠି ସେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୭ଟି ବିଧାନସଭା ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେହିପରି ସେ ତାଙ୍କ ଅଭିଭାଷଣରେ ଆରମ୍ଭରୁ ହିଁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ ।

‘ସମ୍ବିଧାନକୁ ଛୁଇଁ ପାରିବନି ବିଜେପି’: ରାହୁଲ କହିଥିଲେ, “ବିଜେପି ଜିତିଲେ ଏବଂ ସରକାର ଗଢ଼ିଲେ ଦେଶର ସମ୍ବିଧାନକୁ ଏମାନେ ଫାଡ଼ିଦେବେ ବୋଲି କହିଛନ୍ତି । ଦେଶର ଗରିବ, ଶ୍ରମିକ, ଆଦିବାସୀ, ଯୁବକ, ମହିଳା ଓ ପଛୁଆବର୍ଗଙ୍କୁ ଯାହା ବି ମିଳିଛି, ଏହି ସମ୍ବିଧାନ ଦେଇଛି । ତେଣୁ ବିଜେପି ଛାଡ଼ନ୍ତୁ, ମୋଦିଙ୍କୁ ବି ଛାଡ଼ନ୍ତୁ, କେହି ବି ଏହାକୁ ହାତ ଲଗାଇ ପାରିବେନି । ବିଜେପି ଦଳିତ ଓ ଲଘୁ ସମ୍ପ୍ରଦାୟ, ଆଦିବାସୀ ଓ ଗରିବଙ୍କ ପାଇଁ ଥିବା ସଂରକ୍ଷଣ ବନ୍ଦ କରିଦେବ । ଦେଶ ପୁଞ୍ଜିପତିଙ୍କ ହାତକୁ ଚାଲିଯିବ । ବିଜେପିର ନୀତି ପାଇଁ ଦେଶର ୨୨ ଜଣ ଆରବପତି ହୋଇଛନ୍ତି । ସାଧାରଣ ଲୋକ ଗରିବ ହୋଇଛନ୍ତି । ଏପରିକି ଏହି ୨୨ ଜଣଙ୍କୁ ୧୬ ଲକ୍ଷ କୋଟି ଟଙ୍କାର ଋଣ ମାଫ ହୋଇଛି । ଏଠି କୃଷି ଋଣ ବୋଝରେ ଜୀବନ ହାରୁଥିବାବେଳେ ଏହି ସରକାର ଏଭଳି ଆରବପତିଙ୍କ ଋଣ ଛାଡ଼ କରି ଚାଷୀଙ୍କ ଋଣ ଛାଡ଼ କରିପାରୁନାହିଁ । ସେହିପରି ମିଡିଆକୁ ମଧ୍ୟ ଏହି ସରକାର କିଣିଛି । ଯାହାଦ୍ଵାରା ସବୁଠି କେବଳ ଆଦାନୀ ଓ ଆମ୍ବନୀଙ୍କ ଘରର ବାହାଘର କିମ୍ବା ୨୪ ଘଣ୍ଟା ମୋଦିଙ୍କୁ ହିଁ ଦେଖାଉଛି ମିଡିଆ । ହେଲେ ଦେଶର ପ୍ରକୃତ ସମସ୍ୟା ଲୋକଙ୍କୁ ଦେଖାଇବାରେ ଅସମର୍ଥ ହୋଇଛି ମିଡିଆ ।” କେବଳ ଦୁଇ ତିନି ଜଣ ମିଡିଆ ମାଲିକ ସାଜି ଏଭଳି କରୁଥିବା କହିଛନ୍ତି ରାହୁଲ ।ମହିଳାଙ୍କୁ କରାଯିବ ଲକ୍ଷପତି’: ରାହୁଲ କହିଛନ୍ତି, “ଆସନ୍ତା ଜୁନ ୪ରେ ଦେଶରେ ଇଣ୍ଡିଆ ମେଣ୍ଟର ସରକାର ହେବ । ସରକାର ହେବା କ୍ଷଣି ଗରିବଙ୍କ ତାଲିକା ହେବ । ଜାତି ଜନଗଣନା ହେବ, ସବୁ ବର୍ଗଙ୍କ ଗଣତି ହେବ । ସବୁ ଗରିବ ପରିବାରର ଜଣେ ଲେଖାଏଁ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଟଙ୍କା ଯିବ । ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ । କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରାଯିବ । ସାରା ଦେଶରେ ମୋଦି ସରକାରଙ୍କ ନିୟମ ଯୋଗୁଁ ବନ୍ଦ ପଡ଼ିଥିବା ଦେଶର ସବୁ କଳକାରଖାନା ପୁଣି ଚାଲୁ କରିଦିଆଯିବ । ଚାଷୀମାନଙ୍କ ପାଇଁ ଋଣ ଛାଡ଼ କରାଯିବ, ଗ୍ୟାରେଣ୍ଟି ଏମ୍‌ଏସ୍‌ପି ଲାଗୁ ହେବ । ବେକାରୀ ଭତ୍ତା ମଧ୍ୟ ଯୁବକଙ୍କୁ ୮୫୦୦ ଦିଆଯିବ । ବର୍ଷକୁ ୫ ଲକ୍ଷ ଚାକିରି ନିଶ୍ଚିତ ଦିଆଯିବ ।” ତେବେ ଏହାଦ୍ବାରା ଅର୍ଥିନୀତିର ଇଞ୍ଜିନ ଷ୍ଟାର୍ଟ ହେବ ବୋଲି ସେ କହିଛନ୍ତି ।”ବିଜେପି ଉପରେ ଗରମ, ବିଜେଡିକୁ ନରମ: ଆଜି ରାହୁଲଙ୍କ ଭାଷଣରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପ୍ରାୟତଃ ଓଡ଼ିଶାରେ ସବୁବେଳେ ବିଜେପି ଓ ବିଜେଡିକୁ ସମାନ ଭାବେ ଟାର୍ଗେଟ କରି ବର୍ଷିଥାଆନ୍ତି ରାହୁଲ । ହେଲେ ଆଜି ବଲାଙ୍ଗୀର ସଭାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ଆରମ୍ଭରୁ ବର୍ଷିଥିଲେ ରାହୁଲ ଗାନ୍ଧୀ । ହେଲେ ବିଜେଡି କିମ୍ବା ନବୀନ ପଟ୍ଟନାୟକଙ୍କୁ ପୂର୍ବ ଭଳି ଟାର୍ଗେଟ କରିନଥିଲେ । ଅର୍ଥାତ ଆଜି କଂଗ୍ରେସ ନେତାଙ୍କ ଟାର୍ଗେଟରେ ରହିଥିଲା ବିଜେପି ।ତେବେ ଆଜି କଂଗ୍ରେସର ଏହି ‘ଜନ ଆଶୀର୍ବାଦ ସଭା’ରେ ଓଡିଶା ପ୍ରଭାରୀ ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ ରାଜ୍ୟର ବହୁ ଶୀର୍ଷ ନେତା ଉପସ୍ଥିତ ଥିଲେ । ଏହା ପୂର୍ବରୁ ସମସ୍ତ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଅଭିଭାଷଣ ରଖି କେନ୍ଦ୍ର ଓ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ । ରାହୁଲ ଗାନ୍ଧୀଙ୍କୁ ଦେଖିବା ଓ ଶୁଣିବା ପାଇଁ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀଙ୍କ ସହିତ ଜନସାଧାରଣ ମଧ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *