ମୁଖ୍ୟ ଖବର

୧୯ରୁ ବଢ଼ିବ ତାତି, ୪୫ ଛୁଇଁପାରେ; କଲବଲ ହେବ ଅଧା ଓଡ଼ିଶା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପାଣିପାଗରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ସର୍ବାଧିକ ତାପମାତ୍ରା ସ୍ଥିର ରହିବ। ତେବେ ପରବର୍ତ୍ତୀ ୪ ଦିନରେ ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୮ ତାରିଖ ବେଳକୁ ନୂଆପଡ଼ା ତାପମାତ୍ରା ୪୫ ଡିଗ୍ରି ଛୁଇଁପାରେ। ବଲାଙ୍ଗୀର, ମାଲକାନଗିରି, ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ ଓ ଭବାନୀପାଟଣା ସହରର ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ। ଏହି ସମୟ ମଧ୍ୟରେ ଉପକୂଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିବ ଏବଂ ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ। ତେବେ ୧୯ ତାରିଖରେ ଅଧା ଓଡ଼ିଶା ତାତିରେ ଆଉଟୁପାଉଟୁ ହେବ। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୪୨ରୁ ୪୫ ଡିଗ୍ରି ମଧ୍ୟରେ ରହିବ। ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ୩୮ରୁ ୪୦ ଡିଗ୍ରି ମଧ୍ୟରେ ପହଞ୍ଚିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ମଧ୍ୟ ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ସମ୍ବଲପୁରରେ ୪୦.୫, ବଲାଙ୍ଗୀରରେ ୪୦.୩, ଝାରସୁଗୁଡ଼ାରେ ୪୦.୨, ସୁନ୍ଦରଗଡ଼ରେ ୪୦ ଡିଗ୍ରି ରହିଥିଲା। ପାରଳାଖେମୁଣ୍ଡି ଓ ଝାରସୁଗୁଡ଼ାରେ ହାଲୁକା ବର୍ଷା ରେକର୍ଡ କରାଯାଇଛି।ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୧୯ ତାରିଖଠାରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରିରୁ ଅଧିକ ରହିବ। ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆସିବା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି କମିବାର ସମ୍ଭାବନା ଦେଖାଯାଉ ନାହିଁ। ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ। ୧୬ ଓ ୧୭ରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ। ଭୁବନେଶ୍ବରରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ନାହିଁ। ଏହି ସମୟରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି ଜିଲ୍ଲାରେ ତାପମାତ୍ରା କମ୍‌ ରହିବ। ୨୨ ଓ ୨୩ ତାରିଖ ବେଳକୁ ଉତ୍ତର ଓଡ଼ିଶା ବିଶେଷକରି ବାରିପଦା ଓ ଝାରସୁଗୁଡ଼ାରେ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିପାରେ। ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଛି।ତାହା ଆସିବା ପରେ ବଙ୍ଗୋପସାଗରରେ ପହଞ୍ଚୁଛି। ୧୭ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଦ୍ବାରା କେରଳ, ଉପକୂଳ କର୍ଣ୍ଣାଟକ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ପବନ ଏବେ ଦକ୍ଷିଣ ପଶ୍ଚିମ ଦିଗରୁ ବହୁଛି। ତେବେ ପୂର୍ବା ପବନ ବଙ୍ଗୋପସାଗରକୁ ପ୍ରବାହିତ ହେବାର ସମ୍ଭାବନା ରହିଛି। ଫଳରେ ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଘୂର୍ଣ୍ଣିବଳୟ ନ ହେଲେ ମଧ୍ୟ ଏମ୍‌ଜେଓ(ମେଡେନ୍‌ ଜୁଲିଅନ୍‌ ଓସିଲେସନ) ଅନୁକୂଳ ହେବାକୁ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବଙ୍ଗୋପସାଗରରେ ସକ୍ରିୟ ହେବା ସହ ଆଣ୍ଡାମାନ, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲା‌ଦେଶରେ ୨୨ ବେଳକୁ ଭାରୀ ବର୍ଷା ହେବ। ପ୍ରଭାବରେ ମେ’ ୪ର୍ଥ ସପ୍ତାହରେ ଉପକୂଳ ଓଡ଼ିଶାରେ ମଧ୍ୟ କିଛି ପରିମାଣର ବର୍ଷା ହେବାର ସମ୍ଭାବନା ରହିଥିବା ସେ ପୂର୍ବାନୁମାନ କରିଛନ୍ତି।

Leave a Reply

Your email address will not be published. Required fields are marked *