ମହାନଗର

ଅଭିଶପ୍ତ ଜୀବନ ଜିଉଁଛନ୍ତି ରାଜଧାନୀ ଉପକଣ୍ଠବାସୀ

ଭୁବନେଶ୍ବର: ସୀମାନ୍ତର କେଉଁ ଦୁର୍ଗମ ଅଞ୍ଚଳ ନୁହେଁ, ଖୋଦ୍‌ ରାଜଧାନୀ ଭୁବନେଶ୍ବରକୁ ଲାଗିଥିବା ଅନେକ ଗାଁର ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ବାସ କରି ହେବନି। ଦୟାନଦୀ ଆଖପାଖର ଅଞ୍ଚଳ ପୁରୀ ରାସ୍ତାରେ ଥିବାରୁ ଉପକଣ୍ଠର ଅନ୍ୟ ଇଲାକାଗୁଡ଼ିକ ଅପେକ୍ଷା ସାଧାରଣ ଭାବେ ଅଧିକ ବିକଶିତ ହେବା ଆଶା କରା ଯାଉଥିଲେ ହେଁ ଏହାର ସ୍ଥିତି ମଧ୍ୟ ଆଦୌ ଉତ୍ସାହଜନକ ନୁହେଁ। ରାଜଧାନୀକୁ ଲାଗି ଦୟାନଦୀ କୂଳରେ ଗୋଟିଏ ପଟେ ରହିଛି ଲିଙ୍ଗିପୁର, ଇଟିପୁର ଓ ଟିକରପଡ଼ା ଏବଂ ଅନ୍ୟପଟେ ରହିଛି ଧଉଳି ପଞ୍ଚାୟତ। ଭୁବନେଶ୍ବର-ପୁରୀ ହାଇୱେ ଦୟାସେତୁ ଠାରୁ କଲ୍ୟାଣପୁର ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତା ଏହି ସବୁ ପଞ୍ଚାୟତର ମୁଖ୍ୟରାସ୍ତା। ଅଣଓସାରିଆ ରାସ୍ତା ହୋଇଥିବାରୁ ପିଢ଼ିପିଢ଼ି ଧରି ଗମନାଗମନର ସମସ୍ୟା ଭୋଗୁଛନ୍ତି ଲୋକେ। ଏହି ଅଞ୍ଚଳ ଭୁବନେଶ୍ବର ବ୍ଲକ୍‌ ଅଧୀନରେ ଯାଉଥିଲେ ହେଁ ଏପର୍ଯ୍ୟନ୍ତ ‘ମୋ ବସ୍‌’ କିମ୍ବା ‘ଲକ୍ଷ୍ମୀ ବସ୍‌’ ଏ ଅଞ୍ଚଳକୁ ଗଡ଼ିନାହିଁ।ଅତି ଖରାପ ରାସ୍ତା ହୋଇଥିବାରୁ ଚଢ଼ାଦରରେ ମଧ୍ୟ ଭଡ଼ାଗାଡ଼ି ବି ଆସିବାକୁ ସହଜ‌ରେ ରାଜି ହୁଅନ୍ତି ନାହିଁ। ସେହି କାରଣରୁ ଭୁବନେଶ୍ବରରେ ବସ୍‌ ବା ଟ୍ରେନ୍‌ରୁ ଓହ୍ଲାଇବାପରେ, ବିଶେଷକରି ରୋଗୀକୁ ଚିକିତ୍ସା ପାଇଁ ରାଜଧାନୀର କୌଣସି ଡାକ୍ତରଖାନାକୁ ନେବା ଆଣିବା କରିବା ସମୟରେ ଏହି ପଞ୍ଚାୟତଗୁଡ଼ିକର ଲୋକେ ନାହିଁ ନଥିବା ସମସ୍ୟାରେ ପଡ଼ନ୍ତି। ଗମନାଗମନ ସମସ୍ୟା ଯୋଗୁଁ ଏହି ଅଞ୍ଚଳରେ ବିକାଶ ବାଟବଣା ହୋଇଛି। ଧଉଳିକୁ ଟିକରପଡ଼ା ସହ ସଂଯୋଗ କରିବା ପାଇଁ ୨୦୧୬ ମସିହାରେ ଦୟାସେତୁର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ୮ ବର୍ଷ ପରେ ବି ଏହି ସେତୁ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ସେତୁ ହୋଇଥିଲେ ମାତ୍ର ୫୦୦ ମିଟର ବାଟ ଲାଗିଥା’ନ୍ତା ଧଉଳି, ହେଲେ ଏବେ ପ୍ରାୟ ୧୩ କିଲୋମିଟର ବୁଲି ବୁଲି ଯାଉଛନ୍ତି ଟିକରପଡ଼ା ଓ ଓଇଟିପୁର ପଞ୍ଚାୟତର ଲୋକ। ଧଉଳି ପଟର ଲୋକ ରାଜସ୍ବ କାର୍ଯ୍ୟାଳୟକୁ ମଧ୍ୟ ଆସିବାକୁ ସମସ୍ୟା ଭୋଗୁଛନ୍ତି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ସେତୁ ହୋଇଗଲେ ବଢ଼ି ସମୟରେ କିଛି ସମସ୍ୟା ହେଲେ ଧଉଳି ପାହାଡ଼ ଉପରକୁ ସହଜରେ ଯାଇହେବ। ଏ ଅଞ୍ଚଳ ଦେଇ ଭୁବନେଶ୍ବର ରିଂ-ରୋଡ ପ୍ରକଳ୍ପ ହେବା ପାଇଁ ଘୋଷଣା ହୋଇଥିଲେ ହେଁ କାମ ଆରମ୍ଭ ହେଉନାହିଁ। କେବେ ହେବ, କାହାରି ପାଖରେ ଉତ୍ତର ନାହିଁ।

Leave a Reply

Your email address will not be published. Required fields are marked *