ରାଜନୀତି

ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର କହିଲା ବିଜେପି

ଭୁବନେଶ୍ବର: ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର ବୋଲି କହିଛି ବିଜେପି । ରାଜ୍ୟରେ ସାଧାରଣ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜ ନିଜର ଇସ୍ତାହାର ପ୍ରକାଶ କରିଛନ୍ତି । ଏଥିରେ ରାଜ୍ୟବାସୀଙ୍କୁ ବିଜୁଳି ବିଲ ମୁକ୍ତ କରିବାକୁ ପ୍ରମୁଖ ଦଳଗୁଡ଼ିକ ନିଜ ନିଜର ଇସ୍ତାହାରରେ ଦର୍ଶାଇଛନ୍ତି । ହେଲେ ବିଜେଡି ଏହାର ଇସ୍ତାହାରରେ ଦର୍ଶାଇଥିବା ମାଗଣା ବିଜୁଳି ପ୍ରତିଶ୍ରୁତିକୁ ମିଛ ଇସ୍ତାହାର ବୋଲି କହି କଟାକ୍ଷ କରିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ।ସାମ୍ବାଦିକ ସମ୍ମିଳନୀରେ ସମୀର ମହାନ୍ତି ବିଜେଡି ଏହାର ଇସ୍ତାହାରରେ ଦେଇଥିବା ମାଗଣା ବିଜୁଳି ଇସ୍ତାହାରକୁ ସମାଲୋଚନା କରି କହିଛନ୍ତି, “ମାଗଣା ବିଜୁଳି ପ୍ରତିଶ୍ରୁତି ମାଧ୍ୟମରେ ଲୋକଙ୍କୁ ଭ୍ରମିତ କରି ବୋକା ବନେଇବା ପାଇଁ ଚେଷ୍ଟା କରୁଛି ବିଜେଡି । ତେଣୁ ପ୍ରଥମେ କେତେ ବିଜୁଳି ଦେବେ ଓ କେତେ ଉପଭୋକ୍ତା ଉପକୃତ ହେବେ ବିଜେଡି ସ୍ପଷ୍ଟ କରୁ । କାରଣ ଶାସନ କାଳର ୨୪ ବର୍ଷ ପରେ ବିଜେଡି ନିଜର ଇସ୍ତାହାରରେ ମାଗଣା ବିଜୁଳି ଦେବା କଥା କହିଛି । ସଭା ସମିତି ସହ ବିଜ୍ଞାପନରେ ବି ମାଗଣା ବିଜୁଳି ନେଇ ବଡ଼ ବଡ଼ ପ୍ରଚାର କରୁଛି ବିଜେଡି ।” ଏହାକୁ କେବଳ ନିର୍ବାଚନୀ ଥୋପ ଲଗାଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତା ବୋଲି କହିଛନ୍ତି ସମୀର ମହାନ୍ତି ।ସମୀର ଆହୁରି କହିଛନ୍ତି, “ରାଜ୍ୟରେ ୧ କୋଟି ପରିବାର ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ଯଦି ମାଗଣା ବିଜୁଳି ଦେବେ ତେବେ କେତେ ପରିବାରଙ୍କୁ ଦେବେ ସ୍ପଷ୍ଟ କରନ୍ତୁ । ୫୦ ୟୁନିଟ ଭିତରେ କେତେ, ୫୦ ୟୁନିଟ ଉପରେ କେତେ, ୧୦୦ ୟୁନିଟ ଉପରେ କେତେ ଉପଭୋକ୍ତା ବିଜୁଳି ବ୍ୟବହାର କରୁଛନ୍ତି ସ୍ପଷ୍ଟ କରୁ ବିଜେଡି । ୧୦ ଲକ୍ଷରୁ ୧୫ ଲକ୍ଷ ଲୋକ ୫୦ ୟୁନିଟ ଭିତରେ ବିଜୁଳି ବ୍ୟବହାର କରୁଛନ୍ତି ବୋଲି ସୂଚନା ଅଛି । ହେଲେ ଏଥିରେ ସ୍ପଷ୍ଟତା ଆସିବା ଦରକାର । ଖରାଦିନେ ବିଦ୍ୟୁତ ଚାହିଦା ବଢିବ । ସେହି ସମୟରେ କେତେ ବିଜୁଳି ମାଗଣା ଦେବ ବିଜେଡି ତାହା ମଧ୍ୟ ସ୍ପଷ୍ଟ କରୁ । ଜାତୀୟ ହାର ଠାରୁ ୟୁନିଟ ପିଛା ଅଧିକ ୯୦ ପଇସା ଦେଉଛନ୍ତି ଓଡ଼ିଶାର ଖାଉଟି । ୨୪ ବର୍ଷ ଭିତରେ ଓଡ଼ିଶା ଏକମାତ୍ର ରାଜ୍ୟ ଭାବେ ସବସିଡି କି ମାଗଣା ବିଜୁଳି ଦେଇନାହିଁ । ଓଡ଼ିଶାରେ କୋଇଲା ଖଣି ଅଛି । କିନ୍ତୁ ଏନଟିପିସିରୁ ତାମିଲନାଡୁକୁ ୨ ଟଙ୍କା ୫୩ ପଇସାରେ ବିଜୁଳି ଦେଉଛନ୍ତି ବିଜେଡି ସରକାର । କିନ୍ତୁ ଓଡ଼ିଶାବାସୀ ୨ ଟଙ୍କା ୮୨ ପଇସାରେ ବିଜୁଳି ପାଉଛନ୍ତି । କୋଇଲା ଆମର, କାରଖାନା ବି ଆମର । କିନ୍ତୁ ଆମେ ଅଧିକ ପଇସା ବିଜୁଳି ପାଇଁ ଦେଉଛନ୍ତି । ରାଜ୍ୟର ରାଜସ୍ବ ୫୦ ହାଜର ଟଙ୍କା କ୍ଷତି ସହୁଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଟଙ୍କାଟିଏ ବି ଫେରସ୍ତ କଲେ ନାହିଁ ରାଜ୍ୟ ସରକାର ।”

Leave a Reply

Your email address will not be published. Required fields are marked *