ରାଜ୍ୟ

ନିର୍ବାଚନ କର୍ତ୍ତବ୍ୟରେ ଉଲ୍ଲଂଘନ ଅଭିଯୋଗରେ ୧୪ ଜଣ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଏତଲା ଦାୟର

ବାଲେଶ୍ୱର, : ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ କାର୍ଯ୍ୟପାଇଁ ଅଧିକୃତ ହୋଇଥିବା ଯାନବାହାନ ଗୁଡିକ ମଧ୍ୟରୁ ନିର୍ବାଚନୀ କର୍ତ୍ତବ୍ୟରେ ଉଲ୍ଲଂଘନ କରିଥିବା ଅଭିଯୋଗରେ ୧୪ ଜଣ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏତଲା ଦାୟର କରାଯାଇଛି I ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ଏବଂ ଆଗାମୀ ମତଦାନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏହି ଗାଡ଼ି ମାଲିକଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି I

ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯାନବାହନର ଆବଶ୍ୟକତା ଯାହାଦ୍ୱାରା ନିର୍ଦ୍ଧାରିତ ମତଦାନ କେନ୍ଦ୍ରକୁ ପୋଲିଂ କର୍ମଚାରୀ, ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ପରିବହନ କରାଯିବାର ସ୍ଥିରୀକୃତ କରାଯାଇଛି। ସୂଚନା ଥାଉ କି ଜନପ୍ରତିନିଧି ଆଇନ ୧୯୫୧ ଧାରା ୧୬୦ ଅନୁୟାୟୀ ମତଦାନ ସମୟରେ ପରିବହନ ଓ ଅନ୍ୟାନ୍ୟ ନିର୍ବାଚନୀ କାର୍ଯ୍ୟରେ ସହାୟତା କରିବା ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଏହି ଗାଡ଼ିଗୁଡ଼ିକୁ ଆଇନଗତ ଅଧିକୃତ କରାଯାଇ ଅଛି। ଉପୟୁକ୍ତ ନୋଟିସ୍ ସତ୍ତ୍ୱେ ଏହି ୧୪ ଗୋଟି ଗାଡ଼ି ମାଲିକମାନେ ସେମାନଙ୍କ ନିର୍ଦ୍ଧାରିତ ତାରିଖରେ ଡ୍ୟୁଟି ପାଇଁ ରିପୋର୍ଟ କରିନଥିବାରୁ ନିର୍ବାଚନ ପ୍ରସ୍ତୁତିରେ ବାଧା ଉପୁଜିଥିଲା।

ନିର୍ବାଚନ ପ୍ରକ୍ରିୟାରେ ଯାନବାହନ ମାଲିକଙ୍କ ସମେତ ସମସ୍ତ ନାଗରିକ ପୂର୍ଣ୍ଣ ସହୟୋଗ କରିବା ସହ ସମ୍ବିଧାନରେ ପ୍ରଦତ୍ତ ନାଗରିକ ଦାୟିତ୍ୱ ପାଳନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *