ରାଜ୍ୟ

ସମ୍ଭାବ୍ୟ ବର୍ଷା ପାଇଁ ଆଭାସୀ ମାଧ୍ୟମରେ ଜିଲ୍ଲାପାଳଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ

*ବାଲେଶ୍ୱର, ତା: ୨୪/୦୫: ଆସନ୍ତା ୨୫ ଓ ୨୬ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷା ପାଇଁ ଜାରି କରାଯାଇଥିବା ପାଣିପାଗ ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଆଜି ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଓ ଅଗ୍ନିଶମ, ସ୍ୱାସ୍ଥ୍ୟ, ଟିପିଏନଓଡିଏଲ ଓ ଜନସ୍ୱାସ୍ଥ୍ୟ ବିଭାଗ ଆଦି ବିଭାଗର ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ Iଉକ୍ତ ବୈଠକରେ ଜିଲ୍ଲାପାଳ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ସକ୍ରିୟ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର, ବ୍ଲକ, ତହସିଲ ଏବଂ ସମସ୍ତ ଲାଇନ ବିଭାଗର କଣ୍ଟ୍ରୋଲ ରୁମର ୨୪/୭ କାର୍ଯ୍ୟକାରିତା ଦିଗରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ I ଅତ୍ୟାବଶ୍ୟକ ଔଷଧ ମହଜୁଦ ରଖିବା, ଆବଶ୍ୟକସ୍ଥଳେ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦେବା ପାଇଁ ଅତିରିକ୍ତ ଡାକ୍ତରୀ ଦଳ ନିୟୋଜିତ କରିବା ସହିତ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଷା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଏନଓଡିଏଲକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ଓ ଜନସ୍ୱାସ୍ଥ୍ୟ ବିଭାଗକୁ ଜଳ ଉତ୍ସ ଉପରେ ତୀକ୍ଷ୍ଣ ନଜର ରଖିବା ସହ ନିରାପଦ ପାନୀୟ ଜଳର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ସମୀକ୍ଷା ବୈଠକରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସତର୍କ ରହିବା ସହିତ ବର୍ଷା ଯୋଗୁଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବିପଦକୁ ହ୍ରାସ କରିବା ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *