ସାହିତ୍ୟ

ପ୍ରେମ କଣ ଏଡ଼େ ଅନ୍ଧ

କୁହାଯାଏ ପ୍ରେମର ବାଡ଼ ବତାସ ନଥାଏ ଯେତେବେଳେ ପ୍ରେମ ହୁଏ ହଠାତ ଅନ୍ଧଭଳି ଲାଗେ | ଆଖି ବୁଜି ଜଣେ ଜଣକୁ ବିଶ୍ୱାସ କରିହୋଇଯାଏ | ବେଳେବେଳେ ମନକୁ ଅନେକ ପ୍ରଶ୍ନ ଆସେ ଏହା କଣ ସତରେ ସତ ନା ଏହା ଏକ କଳ୍ପନାର କଥା | ଯଦି କଳ୍ପନା ନୁହେଁ ତେବେ କାହିଁକି ଏ ମଣିଷ ଆଖି ବୁଜି ଅନ୍ୟ ଜଣଙ୍କୁ ଅନ୍ଧଭଳି ବିଶ୍ୱାସ କରେ | ପ୍ରେମ କଣ ସତରେ ଏଡ଼େ ଅନ୍ଧ | ପ୍ରେମ ଯଦି ଅନ୍ଧ ତେବେ ଏ ପ୍ରେମ ସେହି ଅନ୍ଧାର ଦୁନିଆକୁ ଖୋଜେ କାହିଁକି | ହୁଏତ ପ୍ରେମ ଅନ୍ଧ ହୋଇପାରେ କିନ୍ତୁ ମଣିଷ ତ ଅନ୍ଧ ନୁହେଁ | ଯଦି ମଣିଷ ଅନ୍ଧ ନୁହେଁ ତାହାଲେ ସେ ଅନ୍ଧ ପ୍ରେମକୁ କାହିଁକି ବିଶ୍ୱାସ କରି ଆପଣାର କରିବାକୁ ଚାହୁଁଥାଏ | ଥରେ ଗୋଟେ କଥା ଶୁଣିବାକୁ ପାଇଥିଲି ଜଣକର ପ୍ରେମିକା ଜଣକୁ ଧୋକା ଦେଲାପରେ ବି ତାକୁ ଆଉ ଆଉ ଚାରି ପାଞ୍ଚ ଜଣ ପୁଅ ଭଲ ପାଉଛନ୍ତି ଜାଣିଛନ୍ତି ସେ ଝିଅ ପୁଅଙ୍କ ଜୀବନ ସହ ଖେଳେ ତଥାପି ସେହି ଝିଅକୁ ଏମାନେ ଏତେ ଭଲପାଉଥିଲେ ଯେ ତାକୁ କିଏ କେମିତି ପାଇବ ବିଧିବଦ୍ଧ ଭାବରେ ଚେଷ୍ଟା ଚଳାଇଥିଲେ | ବାର ମାସର ତେର ଓଷା କରି ତାକୁ ମାଗୁଥିଲେ | ଆଉ ଏକଥା ଶୁଣିବା ପରେ ମୁଁ ଟିକେ ହସିଦେଇ କହିଦେଲି ଏ ପ୍ରେମ କଣ ଏଡ଼େ ଅନ୍ଧ ଏମାନଙ୍କୁ କଣ ଝିଅ ମିଳୁନାହାଁନ୍ତି ଏମାନେ ତାକୁ ପାଇବେ ବୋଲି ପ୍ରତିଯୋଗିତା ମୂଳକ ତା ପଛରେ ଗୋଡାଉଛନ୍ତି | କେତେବେଳେ କାନ୍ଦୁଛନ୍ତି ଆଉ କେତେବେଳେ ହସୁଛନ୍ତି | ବାଃ ବାଃରେ ଆଜିକାଲି ଦୁନିଆ କଣ ହେଇଗଲାଣି | ଯେଉଁ ଖାତାରେ ଜାଗା ନାହିଁ ଏମାନେ ସେହି ଖାତାରେ ନିଜ ନାଁ ଲେଖିବାକୁ ଚାହୁଁଛନ୍ତି ଆଉ ସାଧା ଖାତାରେ ନାଁ ଲେଖିବାକୁ ପଛ ଘୁଞ୍ଚା ଦେଉଛନ୍ତି | ସତରେ ଏ ପ୍ରେମ କଣ ଏଡ଼େ ଅନ୍ଧ | ତାପରେ ଏହାର କାରଣ ଖୋଜିଲି ଆଉ ଜାଣିବାକୁ ପାଇଲି ତା ସୌନ୍ଦର୍ଯ୍ୟତା ପାଇଁ ହିଁ ତାକୁ ଅନେକ ପସନ୍ଦ କରନ୍ତି କାହିଁକି ନା ତା ଭଳି ସୁନ୍ଦରୀ ମିଳିବା ବହୁତ କଷ୍ଟ | ଥରେ ତାକୁ ଯିଏ ଦେଖିବ ସେତାକୁ ତା ଜୀବନସାଥି କରିବାକୁ ଚାହିଁବ | କିନ୍ତୁ ଯୁବପିଢ଼ି ବୁଝନ୍ତିନି ଯେଉଁ ସୁନ୍ଦରତା ପଛରେ ଗୋଡେଇ ଏମାନେ ନିଜର ସମୟ ବର୍ବାଦ କରୁଛନ୍ତି | ବାପ ମା’ଙ୍କ କଥା ନ ମାନି ଘରେ ମିଛ କହି ପୁଳା ପୁଳା ପଇସା ଆଣି ଯେଉଁ ଝିଅଙ୍କ ପଛରେ ଉଡଉଛନ୍ତି ସେ ଝିଅ ଯେତେବେଳେ ଜଣକୁ ଛାଡିଲା ଭଳି ତମକୁ ଛାଡ଼ିଦେବ ସେତେବେଳେ ତମ ମୁଣ୍ଡରେ ପଶିବ ସଠିକ ସମୟ ଆଉ ସଠିକ ବୟସର ମାନେ କଣ | ବୟସ ଅଛି ପରିଶ୍ରମ କର ନିଜେ ରୋଜଗାର କରି ବାପ-ମା’ଙ୍କୁ ସାହାଯ୍ୟ କର | ଉଚିତ ବୟସ ହୋଇଗଲେ ନିଶ୍ଚିନ୍ତ ଭଲ ଜୀବନସାଥି ମିଳିବ ତେଣୁ ଏବେଠୁ ଏତେ ବ୍ୟସ୍ତ କାହିଁକି | ପ୍ରେମ ସରେନି କି ପ୍ରେମ ମରେନି | ଆଉ ଏହି ପ୍ରେମ ଯେତେବେଳେ ହୁଏ ନିଜ ଦୁନିଆବି ଗୋଟେ ଅଲଗା ଦୁନିଆ ଭଳି ଲାଗେ | ଏଥିରେ ଅନ୍ଧଭଳି ଭଲପାଇବା ଥାଏ ଆଉ ନିଜ ଜୀବନସାଥିବି ହୃଦୟର ଭାଷାକୁ ପଢି ତମକୁ ସେହି ଗୁରୁତ୍ୱପୂର୍ଣ୍ଣ ମଣିଷଟା ଭାବୁଥାଏ | ଯେଉଁ ପ୍ରେମରେ ଗୁରୁତ୍ୱ ନଥାଏ ଛଳନା ଥାଏ | ସେ ପ୍ରେମକୁ କାହିଁକି ଆଜିର ଯୁବପିଢ଼ି ପାଇବାକୁ ଚାହାଁନ୍ତି କିଛି ବୁଝା ପଡ଼େନି | ସୁନ୍ଦର ଚେହେରା ହୁଏତ ଆକୃଷ୍ଟ କରିପାରେ କିନ୍ତୁ ମନର ପରିଭାଷାକୁ କେବେ ପଢି ପାରେନି | ଅନେକ କୁହନ୍ତି ଜୀବନସାଥି ଏମିତି ବାଛ ଯେମିତି ସେମାନେ ତମ ହୃଦୟର ଯନ୍ତ୍ରଣାକୁ ବୁଝି ପାରୁଥିବ | କିନ୍ତୁ ଆଜିକାଲି ସେମିତି କିଏ ଯନ୍ତ୍ରଣାକୁ ବୁଝୁଛି ଓଲଟା ଭୟ ରହୁଛି ୟାକୁ ଯଦି ମୁଁ ମୋ ମନର କଥା କହିଦେବି ଆଉ ଏ ଯଦି ତାକୁ ଗ୍ରହଣ ନକରିପାରିବ ତେବେ ମୋତେ ଛାଡି ଚାଲିଯିବ | ସତ କହିବାକୁ ଗଲେ ଆଜିକାଲି ଯାହାର ରୋଜଗାର ଯେତେ ବେଶି ତାଙ୍କ ପାଇଁ ତାଙ୍କ ପ୍ରେମ ଦେଇଥାଏ ଅନେକ ଖୁସି | ସେଥିପାଇଁ ତ ଲୋକେ କୁହନ୍ତି ଟଙ୍କା ଥିଲେ ସବୁକିଛି ମିଳେ ଆଉ ଟଙ୍କା ନଥିଲେ ପ୍ରେମ ବି ଧୋକାରେ ପରିଣତ ହୋଇଯାଏ | ମାନୁଛି ସବୁ ଝିଅ ସମାନ ନୁହଁନ୍ତି କି ସବୁ ପୁଅ ସମାନ ନୁହଁନ୍ତି | ଦିନଥିଲେ ଏ ପ୍ରେମରେ ଅନ୍ଧ ହୋଇ ଅନେକ ଯୁବକ ଯୁବତୀ ନିଜ ଘରଠାରୁ ଦୂରେଇ ଯାଇ ନିଜ ପ୍ରେମକୁ ପାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏବେ ଘର ଠାରୁ ଦୂରେଇ ଯାଇ ପ୍ରେମକୁ ସିନା ପାଇଯାଉଛନ୍ତି କିନ୍ତୁ ସ୍ୱାମୀର ପଇସା ନଥିଲେ ପୁଣି ଆଉ କାହାକୁ ପ୍ରେମ କରି ବିବାହ କରୁଛନ୍ତି | ସେତେବେଳର ପ୍ରେମ ଆଉ ଏବେକାର ପ୍ରେମ ଭିତରେ ବହୁତ ପାର୍ଥକ୍ୟ ରହିଛି | ସେତେବେଳେ ପ୍ରେମରେ ଝିଅ କହୁଥିଲା ତମର କୋଠାଘର ନଥିଲେ ମୁଁ ତମ ଚାଳଛପର ଘରେ ରହିଯିବି | କିନ୍ତୁ ଏବେକା ପ୍ରେମ ତମର ଘର ନଥିଲେ ମୁଁ ତମକୁ କେମିତି ପ୍ରେମ କରିବି | ଆଜିକାଲି ପ୍ରେମରେ ଆଉ ତ୍ୟାଗ ନାହିଁ ଆଜିକାଲି ପ୍ରେମରେ କେବଳ ଲୋଭ ଅଛି | ସେତେବେଳେ ପ୍ରେମରେ ମଧ୍ୟ ନିସ୍ଵାର୍ଥପର ଭଲପାଇବା ଥିଲା ଏହି ପ୍ରେମରେ ଅନ୍ଧ ହୋଇ ସେମାନଙ୍କୁ କେତେ ଯନ୍ତ୍ରଣା ସହିବାକୁ ପଡୁଥିଲା କିନ୍ତୁ ଏବେକାର ପ୍ରେମରେ ଆଉ ନିସ୍ଵାର୍ଥପର ଭଲପାଇବା ନାହିଁ ଜଣେ ଯଦି ପ୍ରେମରେ ଅନ୍ଧ ହେଉଛି ଆଉ ଜଣେ ଜଣକୁ ଅଣଦେଖା କରୁଛି | ସତ କୁହନ୍ତୁ ଏହାକୁ କଣ ପ୍ରେମ କୁହାଯାଏ| ତେବେ ପ୍ରେମ କରନ୍ତୁ ମନା ନାହିଁ କିନ୍ତୁ ପ୍ରେମ ତାକୁ କରନ୍ତୁ ଯିଏ ତମ ପଦବୀକୁ ନୁହେଁ ତମକୁ ଭଲପାଉଥିବ | ଯିଏ ତମ ଟଙ୍କାକୁ ନୁହେଁ ଯିଏ ତୁମ ହୃଦୟକୁ ଚିହ୍ନି ପାରୁଥିବ | ଆଉ ଆଖି ବୁଜି ତମକୁ ସେ ସେତିକି ବିଶ୍ୱାସ କରୁଥିବ ଯେତିକି ତୁମେ ତାକୁ ବିଶ୍ୱାସ କରୁଥିବ | ପ୍ରେମ ଯଦି ସଚ୍ଚା ଥିବ ତେବେ ଏ ଦୁନିଆବି ଭାରି ରଙ୍ଗୀନ ଲାଗିବ |ସେଥିପାଇଁ ତ ଏ ପ୍ରେମର ଅନେକ ରଙ୍ଗ ଆଉ ଏହି ରଙ୍ଗ ଯାହାଠି ଥରେ ଲାଗେ ରାତିର ନିଦକୁ ହଜେଇ କେବଳ ନିଜ ମନର ମଣିଷକୁ ଆଖି ପଲକ ଭିତରେ ପାଏ | ଦିପ୍ତିମୟୀ ନାୟକ

Leave a Reply

Your email address will not be published. Required fields are marked *