ଦେଶ- ବିଦେଶ

ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ,୮।୩: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ ସମସ୍ତ ଦଳ ସେମାନଙ୍କ ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ଏହି କ୍ରମରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ରାଜ୍ୟରେ ପ୍ରସ୍ତୁତ ହେଉଛନ୍ତି। ଉଦ୍ଧବ ଠାକରେ ବୁଧବାର କହିଛନ୍ତି, ସେ ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁନାହାଁନ୍ତି, କିନ୍ତୁ ନିଶ୍ଚିତ ଭାବରେ ୨୦୨୪ରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ।
ଏହାପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ପଦ ପାଇଁ ଉଦ୍ଧବ ଠାକରେ ସର୍ବଶ୍ରେଷ୍ଠ ଚେହେରା। ସଞ୍ଜୟଙ୍କ ଏହି ବିବୃତ୍ତି ପରେ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଥିଲା। ସେହି ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଉଦ୍ଧବ ଠାକରେଙ୍କ ଏହି ମନ୍ତବ୍ୟ ଆସିଛି।
ଭାଜପା ସରକାରକୁ ଟାର୍ଗେଟ କରି ଠାକରେ କହିଛନ୍ତି,ଏପରି ଏକ ସମୟ ଥିଲା ଯେତେବେଳେ କଂଗ୍ରେସ ଭାବିଥିଲା ଯେ କେହି ସେମାନଙ୍କୁ ପରାସ୍ତ କରିପାରିବେ ନାହିଁ ଏବଂ ବର୍ତ୍ତମାନ ଭାଜପା ମଧ୍ୟ ସମାନ ଭାବୁଛନ୍ତି। କିନ୍ତୁ ଖୁବ ଶୀଘ୍ର ସେମାନଙ୍କ ସରକାର ମଧ୍ୟ ପଡ଼ିବ, ସେମାନେ ମଧ୍ୟ ପରାସ୍ତ ହେବେ। ମୁଁ କେବେ ବି ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁନାହିଁ। କିନ୍ତୁ ଭାଜପାକୁ ହଟାଇବାକୁ ଆମେ ଚେଷ୍ଟା କରିବୁ।

Leave a Reply

Your email address will not be published. Required fields are marked *