ମୁଖ୍ୟ ଖବର

ଓଡ଼ିଶାରେ କିଏ ଗଢ଼ିବେ ସରକାର? ବୁଥ ବାହୁଡ଼ା ମତରେ ଏମିତି ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଭୁବନେଶ୍ବର: ଓଡ଼ିଶାରେ ଏଥର ସରକାର କିଏ ଗଢ଼ିବେ? ଶାସକ ଦଳ ୬ଷ୍ଠ ଥର ସରକାର ଗଢ଼ିବା ପାଇଁ ଯୋଜନା କରୁଥିବା ବେଳେ ମୁଖ୍ୟ ବିରୋଧୀ ଭାରତୀୟ ଜନତା ପାର୍ଟି ପଦ୍ମ ଫୁଟାଇବାକୁ ପ୍ରସ୍ତୁତ ଅଛି। ଦିନକ ପରେ ଜଣାପଡ଼ିବ ଯେ, କାହା ହାତରେ ଶାସନର ଡୋର ରହିବ। ଆଜି ବିଭିନ୍ନ ଜାତୀୟ ସର୍ଭେ ସଂସ୍ଥାଗୁଡ଼ିକ ବୁଥ୍‌ ବାହୁଡ଼ା ମତ ପ୍ରକାଶ କରିଛନ୍ତି। ସର୍ଭେ ରିପୋର୍ଟ କହୁଛି ଏଥର ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଭଲ ପ୍ରଦର୍ଶନ କରିବ। ବିଜୁ ଜନତା ଦଳକୁ ୨୦୧୯ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିବା‌ ନେଇ ସନ୍ଦେହ ଦେଖାଯାଇଛି।ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁସାରେ ଉଭୟ ବିଜେଡି ଓ ବିଜେପିକୁ ୬୨ରୁ ୮୦ ଭିତରେ ଆସନ ମିଳିପାରେ। କଂଗ୍ରେସ ୫ରୁ ୮ ଆସନରେ ବିଜୟୀ ହେବ। ସୂଚନାଯୋଗ୍ୟ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୭୪। ଭୋଟ୍‌ ହାର ମଧ୍ୟ ଉଭୟ ବିଜେଡି ଓ ବିଜେପିକୁ ୪୨ ପ୍ରତିଶତ ଲେଖାଏଁ ମିଳିପାରେ। ସେହିପରି ସର୍ଭେ ସଂସ୍ଥା କହିଛି ଯେ, ରାଜ୍ୟର ୧୩ ପ୍ରତିଶତ ଲୋକ ପରିବର୍ତ୍ତନ ଚାହିଁଛନ୍ତି। ଏଥି ପାଇଁ ସେମାନେ ମତଦାନ କରିଛନ୍ତି। ଓଡ଼ିଶାର ଭୋଟିଂ ପ୍ରତିଶତ ଭୌଗଳିକ ଦୃଷ୍ଟିକୋଣରୁ ହୋଇଥାଏ। ବିଜେପି ଗ୍ରାମାଞ୍ଚଳରେ ୪୨ ପ୍ରତିଶତ ଭୋଟ୍‌ ଓ ସହରାଞ୍ଚଳରେ ୪୦ ପ୍ରତିଶତ ପାଇପାରେ। ସେହିପରି ଗ୍ରାମାଞ୍ଚଳରେ ବିଜେଡି ୪୨ ଓ ସହରାଞ୍ଚଳରେ ୪୪ ପ୍ରତିଶତ ଭୋଟ୍‌ ପାଇପାରେ। କଂଗ୍ରେସକୁ ଗ୍ରାମାଞ୍ଚଳରେ ୧୨ ପ୍ରତିଶତ ଓ ସହରାଞ୍ଚଳରେ ୧୧ ପ୍ରତିଶତ ଭୋଟ୍‌ ମିଳିଥିବା ଆକଳନ କରିଛି। ଅନ୍ୟ ଦଳକୁ ଗ୍ରାମାଞ୍ଚଳରେ ୪ ଓ ସହରାଞ୍ଚଳରେ ୫ ପ୍ରତିଶତ ମିଳିଥିବା ସର୍ଭେ ସଂସ୍ଥା କହିଛି।ଅନ୍ୟପଟରେ ଜନ୍‌ କି ବାତ୍‌ ସର୍ଭେ ଅନୁସାରେ ବିଜୁ ଜନତା ଦଳକୁ ଓଡ଼ିଶା ବିଧାନସଭାରେ ୮୧ଟି ଆସନ ମିଳିପାରେ। ବିଜେପି ୫୮ ଓ କଂଗ୍ରେସ ୮ ଆସନରେ ବିଜୟୀ ହୋଇପାରନ୍ତି। ‘ସ୍କୁଲ୍‌ ଅଫ୍ ପଲିଟିକ୍ସ’ ଆକଳନ କରିଛି ଯେ ବିଜେଡି ରାଜ୍ୟରେ କ୍ଷମତାଚ୍ୟୁତ ହେବ। ସେମାନେ ଶାସକ ଦଳକୁ ୪୬ରୁ ୫୯ ଆସନ ଦେଇଛନ୍ତି। ସେମାନେ ଦାବି କରିଛନ୍ତି, ୪୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବ ଦଳ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟିର ଭୋଟ ପ୍ରତିଶତ ବଢ଼ି ୪୨.୪ ପ୍ରତିଶତରେ ପହଞ୍ଚିବ। ଅର୍ଥାତ୍ ଦଳକୁ ୭୮ରୁ ୯୦ ଆସନ ମିଳିପାରେ। କଂଗ୍ରେସକୁ ଏହି ସଂସ୍ଥା ୭ରୁ ୧୩ ଆସନ ଦେଇଛି। ଅର୍ଥାତ୍ ୧୫.୧ ପ୍ରତିଶତ ଭୋଟ୍ ଦଳ ପାଇବ ବୋଲି ଆକଳନ କରାଯାଇଛି।କ’ଣ ଥିଲା ୨୦୧୯ ଫଳସାଧାରଣ ନିର୍ବାଚନ-୨୦୧୯ରେ ଶାସକ ବିଜୁ ଜନତା (ବିଜେଡି) ଦଳକୁ ୪୪.୭୧ ପ୍ରତିଶତ ଭୋଟ୍‌ ପାଇଥିଲା। ୨୦୧୪ ତୁଳନାରେ ଏହା ୧.୩ ପ୍ରତିଶତ ଭୋଟ୍‌ ଅଧିକ ଥିଲା। ଦଳ ୧୧୨ଟି ଆସନରେ ବିଜୟୀ ହୋଇଥିଲା। କିନ୍ତୁ ପୂର୍ବ ନିର୍ବାଚନ ତୁଳନାର ୫ଟି କମ୍‌ ଆସନରେ ବିଜୟୀ ହୋଇଥିଲା। ଭାରତୀୟ ଜନତା ପାର୍ଟି (ବିଜେପି) ୩୨.୪୯ ପ୍ରତିଶତ ଭୋଟ୍‌ ପାଇଥିଲା। ବିଜେପି ୨୦୧୪ ତୁଳନାରେ ୧୪.୫ ପ୍ରତିଶତ ଭୋଟ୍‌ ଅଧିକ ପାଇଥିଲା। ବିଜେପିର ୧୩ଟି ଆସନ ଅଧିକରେ ବିଜୟୀ ହୋଇଥିଲା। ଦଳର ୨୩ ଜଣ ବିଧାୟକ ନିର୍ବାଚନ ଜିତିଥିଲେ। ୨୦୧୪ରେ କଂଗ୍ରେସ ୧୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ଏହା ୯କୁ ଖସି ଆସିଥିଲା। କଂଗ୍ରେସର ୯.୬ ପ୍ରତିଶତ ଭୋଟ୍‌ ହ୍ରାସ ପାଇଥିଲା। କଂଗ୍ରେସକୁ ମୋଟ୍‌ ୧୬.୧୨ ପ୍ରତିଶତ ଭୋଟ୍‌ ମିଳିଥିଲା।

Leave a Reply

Your email address will not be published. Required fields are marked *