ବାଣିଜ୍ୟ

ଷ୍ଟକ ବଜାରରେ ଫେରିଲା ଉତ୍ସାହ, ପୁଣି ୭୫୦୦୦ ଟପିଲା ସେନସେକ୍ସ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ଗଠନ ପାଇଁ ବାଟ ସଫା ହୋଇଛି । ଏଭଳି ସ୍ଥିତିରେ ଷ୍ଟକ ବଜାର ମଧ୍ୟ ଆଶ୍ୱସ୍ତିର ନିଶ୍ୱାସ ନେଇଛି । କ୍ରମାଗତ ଦ୍ବିତୀୟ ଦିନ ପାଇଁ ଭାରତୀୟ ଷ୍ଟକ ବଜାରରେ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି।

ଆଜିର କାରବାରର ଷ୍ଟାର ପରଫର୍ମର ଥିଲା ଆଇଟି ଷ୍ଟକ, ଯେଉଁଥିରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା । ବଜାରକୁ ଏନର୍ଜି ଷ୍ଟକର ସମର୍ଥନ ମଧ୍ୟ ମିଳିଛି । ଆଜିର ଅଧିବେଶନରେ ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ସେୟାରରେ ମଧ୍ୟ ପ୍ରବଳ କ୍ରୟ ଦେଖିବାକୁ ମିଳିଛି। କାରବାର ଶେଷ ସୁଦ୍ଧା ବିଏସଇ ସେନସେକ୍ସ ୬୯୨ ପଏଣ୍ଟ ବୃଦ୍ଧି ପାଇ ୭୫,୦୭୪ ପଏଣ୍ଟରେ ବନ୍ଦ ହୋଇ ୭୫,୦୦୦ ପଏଣ୍ଟ ଅତିକ୍ରମ କରିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୨୦୧ ପଏଣ୍ଟ ବୃଦ୍ଧି ସହ ୨୨,୮୨୧ ପଏଣ୍ଟରେ ବନ୍ଦ ହୋଇଛି।ସେୟାର ବଜାରରେ ଚମତ୍କାର ବୃଦ୍ଧି ଯୋଗୁଁ ନିବେଶକଙ୍କ ସମ୍ପତ୍ତିରେ ୮ ଲକ୍ଷ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ଗତ ଅଧିବେଶନରେ ୪୦୮.୦୬ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୪୧୬.୩୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୮.୨୬ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ତେବେ ବିଏସଇ ମାର୍କେଟ କ୍ୟାପ୍ ଏବେ ବି ଜୁନ୍ ୪ର ସର୍ବୋଚ୍ଚ ସ୍ତର ୪୨୬ ଲକ୍ଷ କୋଟି ଟଙ୍କା ତୁଳନାରେ ୧୦ ଲକ୍ଷ କୋଟି ଟଙ୍କା କମ୍ ରହିଛି ।

Leave a Reply

Your email address will not be published. Required fields are marked *