ସମ୍ପାଦକୀୟ

ଶିକ୍ଷକରୁ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶିକ୍ଷକ ଛାଟରେ ଶିଶୁ ହୁଏ ମଣିଷ। ଏହି ଛାଟ ତା’କୁ ଶିକ୍ଷା, ସଂସ୍କାର, ସମ୍ମାନ ଓ ସଫଳତା ଦିଏ। କେବଳ ଭଲ ଛାତ୍ରଟିଏ ତିଆରି କରିବାରେ ନୁହେଁ, ବରଂ ଶିକ୍ଷକମାନେ ନେତୃତ୍ବ ପ୍ରଦାନ ଓ ରାଷ୍ଟ୍ର ନିର୍ମାଣରେ ମଧ୍ୟ ପରାକାଷ୍ଠା ପ୍ରଦର୍ଶନ କରିଥା’ନ୍ତି। ଯେବେ ଯେବେ ଶାସନ ବ୍ୟବସ୍ଥାରେ ସଂକଟ ସୃଷ୍ଟି ହୋଇଛି ବା ସମାଜ ଗୁରୁଙ୍କ ମାର୍ଗଦର୍ଶନ ‌ଲୋଡ଼ିଛି, ସେବେ ସେବେ ଗୁରୁମାନେ ନିଜ ଉପସ୍ଥିତି ଓ ଯୋଗଦାନ ବଳରେ ସମାଜକୁ ସମ୍ଭାଳି ନେଇଛନ୍ତି। ଶିକ୍ଷାଦାନରୁ ସମାଜ ସଂସ୍କାର; ପୁଣି ରାଜନୀତିକୁ ମଧ୍ୟ ଶିକ୍ଷକମାନେ ଆସିଛନ୍ତି। ଏଥିସହ ଶାସନ ଦାୟିତ୍ବ ବି ସେମାନେ ଦକ୍ଷତାର ସହ ତୁଲାଇଛନ୍ତି। ନିଜ ଶାସନ କାଳରେ ବିକାଶ ଓ ନୀତିନିଷ୍ଠାର ଭିନ୍ନ ପରିଭାଷା ସୃଷ୍ଟି କରି ସମାଜକୁ ସଦ୍‌ମାର୍ଗ ଦେଖାଇଛନ୍ତି। ସ୍ବାଧୀନ ଭାରତରେ ଏଭଳି ଅନେକ ସଫଳ ମୁଖ୍ୟମନ୍ତ୍ରୀ ଦେଖାଯାଇଛନ୍ତି, ଯେଉଁମାନେ ଶିକ୍ଷକତାରୁ ଆସିଛନ୍ତି। ଏହି କ୍ରମରେ ମୁଲାୟମ୍ ସିଂହ ଯାଦବ, ରାଜନାଥ ସିଂହ, ମାୟାବତୀ, ଆନନ୍ଦୀବେନ୍‌ ପଟେଲ ଓ ପ୍ରେମସିଂହ ତମାଙ୍ଗ ଆସନ୍ତି। ପୂର୍ବରୁ ଏହି ଧାରାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ସାମିଲ୍‌ ହେଇଥିବା ବେଳେ ସଦ୍ୟ ସାମିଲ୍‌ ହୋଇଛନ୍ତି ଆମର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିକ୍ଷକତାରୁ ଆସି ଶାସନର ଶୀର୍ଷରେ ପହଞ୍ଚିଛନ୍ତି। ଶିକ୍ଷକରୁ ଶାସନମୁଖ୍ୟ ହୋଇଥିବା ମୋହନ ମାଝୀ ଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।ରାଜ୍ୟରେ କ୍ଷମତା କଡ଼ ଲେଉଟାଇ ସାରିଛି। ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦାୟିତ୍ବ ଗ୍ରହଣ କରି କାର୍ଯ୍ୟାରମ୍ଭ କରିଛନ୍ତି। ଏବେ ସାରା ରାଜ୍ୟରେ ସବୁଠି ତାଙ୍କୁ ନେଇ ଚର୍ଚ୍ଚା…‘ଶୂନ୍ୟରୁ ଶହେ’ ବନିବାର ସେ ଶ୍ରେଷ୍ଠ ଉଦାହରଣ। କେନ୍ଦୁଝର ମାଟିର ଆଦିବାସୀ ପୁଅ ମୋହନ ଚରଣ ରାଇକଳା ଗ୍ରାମର ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆନନ୍ଦପୁର ମହାବିଦ୍ୟାଳୟରୁ ସ୍ନାତକ ସମାପ୍ତି ପରେ ସେ ଝୁମ୍ପୁରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବେ ଯୋଗ ଦେଇଥିଲେ। ପରେ ସେ ରାଜନୀତିକୁ ଆସି ଗାଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା କରି ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀଙ୍କ ଏହି ସଫଳତା ଅତୀତରେ ଦେଶର ଅନ୍ୟ ରାଜ୍ୟରେ ଶିକ୍ଷକରୁ ଶାସକ ହୋଇଥିବା ବ୍ୟକ୍ତିତ୍ବଙ୍କ ସଂପର୍କରେ ଆଲୋଚନାକୁ ପ୍ରାସଙ୍ଗିକ କରିଛି।

One thought on “ଶିକ୍ଷକରୁ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • SUSHANTA KUMAR DAS

    Good information.

    Reply

Leave a Reply

Your email address will not be published. Required fields are marked *