ଦେଶ- ବିଦେଶ

ବିଏସପି କାର୍ଯ୍ୟାଳୟ ପରିସରରେ ହୋଇପାରିବନି ସମାଧି: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ତାମିଲନାଡୁ ବିଏସପି ରାଜ୍ୟ ସଭାପତି ଆର୍ମଷ୍ଟ୍ରଙ୍ଗଙ୍କ ମୃତଦେହକୁ ଦଳ କାର୍ଯ୍ୟାଳୟ ପରିସରରେ ସମାଧି ଦେବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ବର୍ତ୍ତମାନ ତାମିଲନାଡୁର ତିରୁଭାଲୁର ଜିଲ୍ଲାର ପୋଥୁର ଗାଁରେ ତାଙ୍କର ଶେଷ ରୀତିନୀତି କରାଯିବ। ତାମିଲନାଡୁ ବିଏସପି ସଭାପତି ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର (ଜୁଲାଇ ୫) ସନ୍ଧ୍ୟାରେ ଚେନ୍ନାଇରେ ଥିବା ତାଙ୍କ ବାସଭବନ ନିକଟରେ ଅଜ୍ଞାତ ବ୍ୟକ୍ତିମାନେ ହତ୍ୟା କରିଥିଲେ | ମାଡ୍ରାସ ହାଇକୋର୍ଟର ବିଚାରପତି ବି ଭବାନୀ ସୁବ୍ରମଣ୍ୟମ ବିଏସପି କାର୍ଯ୍ୟାଳୟରେ ସମାଧି ପାଇଁ ମନା କରିବାବେଳେ ଆବେଦନକାରୀଙ୍କୁ ବିକଳ୍ପ ସମାଧି ସ୍ଥାନ ପ୍ରଶ୍ନ ପଚାରିଥିଲେ। ବାସ୍ତବରେ ତାମିଲନାଡୁ ବିଏସପି ସଭାପତି ଥିବା ଆର୍ମଷ୍ଟ୍ରଙ୍ଗଙ୍କ ପତ୍ନୀ କେ ପୋର୍କୋଡି ମାଡ୍ରାସ ହାଇକୋର୍ଟରେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ପାର୍ଟି ଅଫିସରେ ସମାଧି ଦିଆଯିବାକୁ ଦାବି କରିଥିଲେ।ଏହା ଏକ ଆବାସିକ ସ୍ଥାନ ବୋଲି ଡିଏମକେ ସରକାର ଆପତ୍ତି ଉଠାଇଥିଲେ। ଯାହାକୁ କୋର୍ଟ ଖାରଜ କରିଛନ୍ତି | ଅନ୍ୟପଟେ ବିଏସପି ସୁପ୍ରିମୋ ମାୟାବତୀ ଓ ଜାତୀୟ ସଂଯୋଜକ ଆକାଶ ଆନନ୍ଦ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହି ମାମଲାରେ ପୁଲିସ ବର୍ତ୍ତମାନ ସୁଦ୍ଧା ୮ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାପୂର୍ବରୁ ଶନିବାର ବିଏସପି ସମର୍ଥକମାନେ ସିବିଆଇ ତଦନ୍ତ ଦାବି କରି ସ୍ଲୋଗାନ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଇସ୍ତଫା ଦାବି କରିଥିଲେ । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ବହୁଜନ ସମାଜ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଆଶ୍ଚର୍ଯ୍ୟଜନକ ଏବଂ ଅତ୍ୟନ୍ତ ଦୁଃଖଦାୟକ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଲୋକଙ୍କୁ ପୁଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *