ମୁଖ୍ୟ ଖବର

ଶରଧାବାଲି ଅଭିମୁଖେ ତିନି ରଥକୁ ହର୍ଷୋଲ୍ଲାସରେ ଟାଣିଲେ ଶ୍ରଦ୍ଧାଳୁ

ପୁରୀ: ବଡ଼ଠାକୁରଙ୍କ ତାଳଧ୍ବଜ, ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିଛି। ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଛି। ମରିଚିକୋଟ ଛକରେ ତାଳଧ୍ବଜ ରଥ ପହଞ୍ଚି ଥିବା ବେଳେ ରାଜନଅର ସମ୍ମୁଖରେ ମା’ ସୁଭଦ୍ରାଙ୍କର ରଥ ପହଞ୍ଚିଛି। ଆଜି ପାଇଁ ରଥଟଣା କାର୍ଯ୍ୟ ବିରାମ ରାଖାଯାଇଛି। ଆସନ୍ତାକାଲି ପୂର୍ବାହ୍ଣରେ ପୁଣି ଥରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି।ତିନି ରଥକୁ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାରେ ସିଂହଦ୍ବାର ସମ୍ମୁଖରୁ ଟାଣିଥିଲେ। ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ରଥ ଟଣାଯିବା ବେଳେ ପୁରୀ ବଡ଼ଦାଣ୍ଡ ଘଣ୍ଟ, ଶଙ୍ଖର ତାଳେତାଳେ ହରିବୋଲ ଓ ହୁଳହୁଳି ଶଦ୍ଦ ଶୁଭିଥିଲା। ଚଳିତ ରଥଯାତାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଡ଼ି ହୋଇଥିଲେ। ସେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ୟ ରଥଯାତ୍ରା ଦେଖିଥିଲେ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।ରଥଟଣା ଯିବା ପୂର୍ବରୁ ତିନି ରଥରେ ବିଜେ ହେଲେ ତିନି ଠାକୁରଙ୍କୁ ବିଜେ କରାଯାଇଥିଲା। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି କରାଯାଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରିବା ପରେ ଆସିଥିଲେ ବଡ଼ଠାକୁର ବଳଭଦ୍ର। ତାପରେ ମା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ରଥାରୂଢ ହୋଇଥିଲେ। ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା’ ସୁଭଦ୍ରା ବିରାଜିତ ହୋଇଥିଲେ। ନନ୍ଦିଘୋଷ ରଥରେ ବିରାଜିଥିଲେ ମହାପ୍ରଭୁ କଳିଆ ସାଆନ୍ତ। ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଗଜପତି ମହାରାଜ । ମହାପ୍ରଭୁଙ୍କ ଆଳତୀ ବନ୍ଦାପନା ସହ ଚାମର ସେବା କଲେ ଗଜପତି ମହାରାଜ। ପରେ ସେ ରଥ ଉପରେ ଛେରାପହଁରା ନୀତି କରିଥିଲେ।ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି। ପୂର୍ବାହ୍‌ଣ ଓ ମଧ୍ୟାହ୍‌ଣରେ ଖରା ସହିତ ଗୁଳୁଗୁଳି ହୋଇଥିବା ବେଳେ ସନ୍ଧ୍ୟାରେ ପାଗ ଭଲି ଥିବାରୁ ଶ୍ରଦ୍ଧାଳୁମାନେ ଆଶ୍ବସ୍ତି ଦେଖାଯାଇଛି।

Leave a Reply

Your email address will not be published. Required fields are marked *